ନୂଆଦିଲ୍ଲୀ,୦୪/୦୮ :ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍ ସିରିଜରୁ ବାଦ୍ ପଡ଼ିଛନ୍ତି ଷ୍ଟାର୍ ବୋଲର ଜସପ୍ରିତ ବୁମରା । ଆହତ ଜନିତ କାରଣ ପାଇଁ ତାଙ୍କୁ ବାଦ୍ ଦିଆଯାଇଛି । ଏହାପୂର୍ବରୁ ସେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ସୁଯୋଗ ପାଇଥିଲେ । କିନ୍ତୁ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରୁ ବାଦ୍ ପଡିବା ପରେ ତାଙ୍କ ଜାଗାରେ ଆକିବ୍ ନବୀଙ୍କୁ ସୁଯୋଗ ମିଳିଛି । ଅନେକ ନବୀଙ୍କୁ ସୁଯୋଗ ମିଳିଥିବାରୁ ଖୁସି ଅଛନ୍ତି ହେଲେ ପୁଣି ଥରେ ନିରାଶ ହୋଇଛନ୍ତି ମହମ୍ମଦ ଶାମି ।

୨୦୨୫ରେ ଶେଷ ଥର ପାଇଁ ଶାମି ଇଂଲଣ୍ଡ ବିପକ୍ଷ ଏକ ଟି୨୦ ମୁକାବିଲାରେ ନଜର ଆସିଥିଲେ । କିନ୍ତୁ ୨୦୨୩ ପରଠୁ ସେ କୌଣସି ଟେଷ୍ଟ୍ ମୁକାବିଲା ଖେଳି ନାହାଁନ୍ତି । ଦିନିକିଆରେ ସେ ଗତବର୍ଷ ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ଥର ଖେଳିଥିଲେ । ଘରୋଇ ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରୁଥିଲେ ମଧ୍ୟ ଫିଟନେଶ୍ କାରଣରୁ ତାଙ୍କୁ ଅନ୍ତର୍ଜାତୀୟ ଫର୍ମାଟରୁ ବାହାରେ ରହିବାକୁ ପଡୁଛି ।

Also Read :- 'ସବୁଠୁ ତଳେ ଆର୍ ଅଶ୍ୱୀନ୍' : ପ୍ରଥମେ ଏମିତି କହିଲେ ଅର୍ଶଦୀପ, ପରେ ମାଗିଲେ କ୍ଷମା

ଶାମିଙ୍କ ଭବିଷ୍ୟତ କଣ ?

ନିକଟରେ ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କୁ ମହମ୍ମଦ ଶାମିଙ୍କ ବାବଦରେ ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତରରେ ସେ କହିଥିଲେଯେ, ଟେଷ୍ଟ୍ କ୍ରିକେଟ୍ ଖେଳିବା ପାଇଁ ଯେଉଁ ଫିଟନେସ୍ ଦରକାର ତାହା ଶାମିଙ୍କ ପାଖରେ ନାହିଁ । ଗତ ରଣଜୀରେ ସେ ୧୩୮୩ଟି ବଲ୍ ପକାଇ ୩୭ ଓ୍ୱିକେଟ୍ ହାସଲ କରିଥିଲେ । ତାଙ୍କର ଆଭରେଜ୍ ମଧ୍ୟ ୧୬.୭୨ ରହିଥିଲା । ଟୁର୍ଣ୍ଣାମେଣ୍ଟରେ ସେ ୫୦ଟି ମେଡେନ୍ ଓଭର ପକାଇଥିଲେ । ଅନ୍ୟ ଦିଗରେ ନବୀ ୬୦ଟି ଓ୍ୱିକେଟ୍ ନେଇଥିବା ବେଳେ ତାଙ୍କର ଆଭରେଜ୍ ଥିଲା ୧୨.୫୬

ଦେଖିବାକୁ ଗଲେ ଅଗରକରଙ୍କ ବୟାନରୁ ଗୋଟିଏ କଥା ସ୍ପଷ୍ଟ ଯେ, ଭାରତୀୟ ଦଳରେ ଆଉ ଶାମିଙ୍କୁ ଜାଗା ମିଳିବନି । ଯଦି ତଥାପି ସେ କମବ୍ୟାକ୍ ନେଇ ଆଶା ରଖନ୍ତି ତାହାଲେ ଘରୋଇ ଟୁର୍ଣ୍ଣାମେଣ୍ଟରେ ଆହୁରି ଅଧିକ ଭଲ ପ୍ରଦର୍ଶନ କରିବାକୁ ହେବ । ଆଗକୁ ଦୁଲୀପ ଟ୍ରଫି ରହିଛି । ଏଠାରେ ସେ ନିଜକୁ ପ୍ରମାଣିତ କରିପାରିବେ । ଯାହା ପରେ ହିଁ ସୁଯୋଗ ମିଳିବା ସମ୍ଭାବନା ବଢିଯିବ ।