ଭୁବନେଶ୍ବର ୧୯।୯: ପୁଣି ବଙ୍ଗୋପସାଗରରେ ବାତ୍ୟା ଭୟ । ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ କ୍ରମଶଃ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବାକୁ ଯାଉଛି । ତେବେ ଏହା କେବଳ ଏକ ସାଧାରଣ ଲଘୁଚାପ ହୋଇ ରହିବ ନା ଆଗକୁ ଅବପାତ ଓ ଗଭୀର ଅବପାତର ରୂପ ନେଇ ଉପକୂଳ ଆଡ଼କୁ ମୁହାଁଇବ ? ପୂର୍ବ ଭଳି ଭୟଙ୍କର ବାତ୍ୟା ଭଳି କୌଣସି ବଡ଼ ବାତ୍ୟାର ଭୟ ଅଛି ନା ଏହା କେବଳ ପ୍ରବଳରୁ ଅତି ପ୍ରବଳ ବର୍ଷାର କାରଣ ହେବ ? ଅନ୍ୟପଟେ ୨୨ରୁ ୨୫ ସେପ୍ଟେମ୍ବର ମଧ୍ୟରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଆକସ୍ମିକ ବନ୍ୟା ଏବଂ ଭୂସ୍ଖଳନର ଆଶଙ୍କା ରହିଛି ବୋଲି ସ୍ପଷ୍ଟ କରିଛନ୍ତି ପାଣିପାଗ ବିଜ୍ଞାନୀ ।

ଉତ୍ତର ଆଣ୍ଡାମାନ ସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସେହି ସମାନ ଅଞ୍ଚଳରେ ଏକ 'ଲଘୁଚାପ କ୍ଷେତ୍ର' ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ସିଷ୍ଟମଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହିତ କ୍ରମଶଃ ଆହୁରି ଶକ୍ତିଶାଳୀ ହେବ । ଆସନ୍ତା ୨୧ ତାରିଖ ବେଳକୁ ଏହା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ 'ଅବପାତ' ବା ଡିପ୍ରେସନର ରୂପ ନେବ ଏବଂ ୨୨ ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚି ଏକ 'ଗଭୀର ଅବପାତ'ରେ ପରିଣତ ହେବ । ଏହା ନିଜର ଦିଗ ବଜାୟ ରଖି ୨୩ ସେପ୍ଟେମ୍ବର ସକାଳ ସୁଦ୍ଧା ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟସ୍ଥ ସମୁଦ୍ରରେ ପହଞ୍ଚିବ। ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଏହି ବଳୟଟି ସମୁଦ୍ର ମଧ୍ୟରେ ଦୀର୍ଘ ସମୟ ଗତି କରୁଥିବାରୁ ଏହା ପ୍ରଚୁର ପରିମାଣରେ ଜଳୀୟ ବାଷ୍ପ ବହନ କରୁଛି । ଫଳରେ ଏହା ତୀବ୍ର ଅବପାତ କିମ୍ବା ଏକ ସୀମିତ ତଥା ଛୋଟ ଧରଣର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନାକୁ ବି ସମ୍ପୂର୍ଣ୍ଣ ଏଡ଼ାଇ ଦିଆଯାଇନପାରେ । ଫଳରେ ବାତ୍ୟା ହେବାର ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ଚେତାବନୀ ଜାରି କରାଯାଇଛି ।

Also Read:- ୨୩ ଆଡ଼କୁ ଘନୀଭୂତ ହୋଇପାରେ ସିଷ୍ଟମ ! ଓଡ଼ିଶାରେ ପ୍ରସ୍ତୁତି ଜୋରଦାର, ବିଚଳିତ ନହେବାକୁ ମନ୍ତ୍ରୀଙ୍କ ପରାମର୍ଶ

ଅନ୍ୟପଟରେ ପାଣିପାଗ ବିଜ୍ଞାନୀ ବିଶ୍ୱଜିତ୍ ସାହୁଙ୍କ କହିବା କଥା ଯଦି କୌଣସି ବାତ୍ୟା ସୃଷ୍ଟି ହୁଏ ତାହା ଅତି ଭୟଙ୍କର ନୁହଁ ସାମାନ୍ୟ ତଥା ଛୋଟ ଧରଣର ହୋଇପାରେ । ପବନର ବେଗ କମ୍ ରହିବ ହେଲେ ବର୍ଷାର ପରିମାଣ ବହୁତ ଅଧିକ ରହିବ । ଏହି ସିଷ୍ଟମ ଯୋଗୁଁ ଉପକୂଳରେ ବିନାଶକାରୀ ପବନର ବିଶେଷ ପ୍ରଭାବ ନରହିଲେ ମଧ୍ୟ, ପ୍ରବଳରୁ ଅତି ପ୍ରବଳ ବର୍ଷା ବିପଦ ସୃଷ୍ଟି କରିପାରେ । ବିଶେଷ କରି ସେପ୍ଟେମ୍ବର ୨୨ ତାରିଖରୁ ୨୫ ତାରିଖ ମଧ୍ୟରେ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକୁ ପ୍ରବଳ ବର୍ଷା ଭିଜାଇବ । ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁଟ, ନୂଆପଡ଼ା, କଳାହାଣ୍ଡି ଏବଂ କନ୍ଧମାଳ ଭଳି ପାହାଡ଼ିଆ ଜିଲ୍ଲାଗୁଡ଼ିକରେ ସ୍ଥିତି ସମ୍ବେଦନଶୀଳ ହୋଇପାରେ । ଏହି ସବୁ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ମାଟି ଧସିବା ବା ଭୂସ୍ଖଳନ ହେବାର ଆଶଙ୍କା ରହିବା ସହ ପାହାଡ଼ିଆ ନାଳଗୁଡ଼ିକରେ ଆକସ୍ମିକ ବନ୍ୟା ବା ଫ୍ଲାସ୍ ଫ୍ଲଡ୍ ପରିସ୍ଥିତି ସୃଷ୍ଟି ହୋଇପାରେ ।

ସେହିପରି ବର୍ଷା ସମୟରେ ପାହାଡ଼ିଆ ତଳି ଅଞ୍ଚଳ ଏବଂ ନାଳ-ନଦୀ ନିକଟକୁ ନଯିବା ସହ କଚ୍ଚା ଘରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପାଣିପାଗ ବିଭାଗ ଓ ପକ୍ଷରୁ ସତର୍କତା ଜାରି କରାଯାଇଛି । ଆଗାମୀ ୪ ଦିନ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶା ପାଇଁ ବର୍ଷା ଓ ଆକସ୍ମିକ ବନ୍ୟାର ବିପଦ ରହିଛି । ଲଘୁଚାପର ସ୍ଥିତି ଦେଖି ହିଁ ସ୍ପଷ୍ଟ ହେବ ବାତ୍ୟାର ଗତିବିଧି କ’ଣ ଓ ଏହା କେତେ ପ୍ରଭାବଶାଳୀ ।

Watch Video: