ନୂଆଦିଲ୍ଲୀ: ଦୀର୍ଘ ୧୭ ବର୍ଷ ପରେ ଭାରତ ପୁଣିଥରେ ଏକ ସ୍ୱଳ୍ପ ବର୍ଷାର ସବୁଠାରୁ ଖରାପ ପରିସ୍ଥିତିକୁ ସାମ୍ନା କରିବାକୁ ଯାଉଛି। ଶକ୍ତିଶାଳୀ ଏଲ୍ ନିନୋ ପ୍ରଭାବରେ ବର୍ଷା ପରିମାଣରେ କମୁଛି, ଫଳରେ ଫସଲ ଅମଳ ପ୍ରତି ବିପଦ ଆଶଙ୍କା ସୃଷ୍ଟି ହୋଇଛି। ଚଳିତ ବର୍ଷ ଜୁନ୍ରୁ ସେପ୍ଟେମ୍ବର ମୌସୁମୀ ଋତୁରେ ଏପର୍ଯ୍ୟନ୍ତ ସ୍ୱାଭାବିକ ତୁଳନାରେ ପ୍ରାୟ ୧୫ ପ୍ରତିଶତ କମ୍ ବର୍ଷା ହୋଇଛି। ଯଦି ଏହି ଅଭାବ ଜାରି ରହେ, ତେବେ ୨୦୦୯ ପରେ ଭାରତରେ ସବୁଠୁ ଦୁର୍ବଳ ମୌସୁମୀ ବର୍ଷା ଦେଖିପାରେ।

ଏନେଇ ଭାରତୀୟ ପାଣିପାଗ ବିଭାଗ (IMD)ର ତଥ୍ୟ କହୁଛି ଯେ ଚଳିତ ମୌସୁମୀ ଋତୁରେ ବର୍ଷା ସ୍ୱାଭାବିକଠାରୁ ୧୫ ପ୍ରତିଶତ କମ୍ ରହିଛି। ୨୦୦୯ରେ ମୌସୁମୀ ବର୍ଷା ସ୍ୱାଭାବିକଠାରୁ ୧୮ ପ୍ରତିଶତ କମ୍ ରହିଥିଲା। ତେଣୁ ବର୍ତ୍ତମାନର ଅଭାବ ଯଦି ଦୂର ନହୁଏ, ତେବେ ଚଳିତ ବର୍ଷର ମୌସୁମୀ ବର୍ଷା ୨୦୦୯ ପରେ ସବୁଠୁ ଦୁର୍ବଳ ହୋଇପାରେ ବୋଲି ଆଇଏମ୍ଡି ଚେତାବନୀ ଦେଇଛି। ବଡ଼ କଥା ହେଉଛି, ମେ’ ମାସରେ ଆଇଏମ୍ଡି ଚଳିତ ମୌସୁମୀ ଋତୁରେ ପ୍ରାୟ ୧୦ ପ୍ରତିଶତ ବର୍ଷା ଅଭାବ ରହିବ ବୋଲି ଆକଳନ କରିଥିଲା। କିନ୍ତୁ ବର୍ତ୍ତମାନର ପରିସ୍ଥିତି ଏହାଠାରୁ ଅଧିକ ଖରାପ ରହିଛି।

ଏପଟେ ସେପ୍ଟେମ୍ବରର ଶେଷ ସପ୍ତାହରେ ବଙ୍ଗୋପସାଗରରେ ଏକ ଟ୍ରପିକାଲ୍ ସାଇକ୍ଲୋନ୍ ସୃଷ୍ଟି ପାଇଁ ପାଣିପାଗ ପରିସ୍ଥିତି ଅନୁକୂଳ ହୋଇପାରେ ବୋଲି ଅଷ୍ଟ୍ରେଲିଆସ୍ଥିତ ଗ୍ଲୋବାଲ୍ ୱେଦର୍ କ୍ଲାଇମେଟ୍ ଆନାଲିଟିକ୍ସର ମ୍ୟାନେଜିଂ ଡାଇରେକ୍ଟର କ୍ରିଷ୍ଟିଆନ୍ ୱର୍ନର କହିଛନ୍ତି। ଏଭଳି ଝଡ଼ ସୃଷ୍ଟି ହେଲେ ପୂର୍ବ ଓ ଉତ୍ତର-ପୂର୍ବ ଭାରତରେ ଆବଶ୍ୟକ ବର୍ଷା ହୋଇପାରେ ଏବଂ ସେହି ଅଞ୍ଚଳର ବର୍ଷା ଅଭାବ କିଛିଟା କମିପାରେ ବୋଲି ୱାର୍ନର କହିଛନ୍ତି।

Also Read- ୨୩ ଆଡ଼କୁ ଘନୀଭୂତ ହୋଇପାରେ ସିଷ୍ଟମ ! ଓଡ଼ିଶାରେ ପ୍ରସ୍ତୁତି ଜୋରଦାର, ବିଚଳିତ ନହେବାକୁ ମନ୍ତ୍ରୀଙ୍କ ପରାମର୍ଶ

ତେବେ ଏହା ଦେଶର ମୋଟ ବର୍ଷା ଚିତ୍ରରେ ବଡ଼ ପରିବର୍ତ୍ତନ ଆଣିବା ସମ୍ଭାବନା କମ୍ ବୋଲି ୱର୍ନର ଆକଳନ କରିଛନ୍ତି। ତାଙ୍କ ଅନୁସାରେ, ମୌସୁମୀ ଋତୁ ଶେଷ ସୁଦ୍ଧା ଦେଶର ବର୍ଷା ଅଭାବ ୧୩ରୁ ୧୬ ପ୍ରତିଶତ ମଧ୍ୟରେ ରହିପାରେ।

ଲାନସେଷ୍ଟର ୟୁନିଭର୍ସିଟିର ବିଶେଷ ମୌସୁମୀ ପୂର୍ବାନୁମାନ ପ୍ଲାଟଫର୍ମ କ୍ରୁସିଆଲ୍ (CRUCIAL ) ମଧ୍ୟ ଚଳିତ ମୌସୁମୀ ବର୍ଷାକୁ ନେଇ ଆକଳନ କରୁଛି। ମୌସୁମୀ ଋତୁ ଶେଷ ହେବାକୁ ଦୁଇ ସପ୍ତାହରୁ କମ୍ ସମୟ ଥିବା ବେଳେ, ଚଳିତ ବର୍ଷ ବର୍ଷା ଅଭାବ ୧୦ରୁ ୨୦ ପ୍ରତିଶତ ମଧ୍ୟରେ ରହିବାର ୬୮ ପ୍ରତିଶତ ସମ୍ଭାବନା ଥିବା ଏହି ପ୍ଲାଟଫର୍ମର ପ୍ରତିଷ୍ଠାତା ତଥା ଗ୍ରହ ବିଜ୍ଞାନୀ ମାର୍କ ରୋଲଷ୍ଟନ୍ ଆକଳନ କରିଛନ୍ତି।

ଚାଷ ଓ ଖାଦ୍ୟ ଦର ଉପରେ ପ୍ରଭାବ

ଭାରତର କୃଷି ଅର୍ଥନୀତି ପାଇଁ ମୌସୁମୀ ବର୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦେଶର କୋଟି କୋଟି ଚାଷୀ ଚାଷ ଜମିରେ ଜଳସେଚନ ପାଇଁ ମୌସୁମୀ ବର୍ଷା ଉପରେ ନିର୍ଭର କରନ୍ତି। ଭାରତ ବିଶ୍ୱର ପ୍ରମୁଖ ଚାଉଳ, ଚିନି ଓ କପା ଉତ୍ପାଦନକାରୀ ଦେଶ ମଧ୍ୟରୁ ଅନ୍ୟତମ। ଦେଶର ବାର୍ଷିକ ବର୍ଷାର ଅଧିକାଂଶ ଅଂଶ ମୌସୁମୀ ଋତୁରେ ହୋଇଥାଏ।

ଦୀର୍ଘ ସମୟ ଧରି ବର୍ଷା ଅଭାବ ରହିଲେ ଏହାର ପ୍ରଭାବ କେବଳ ଚଳିତ ଫସଲ ଉପରେ ନୁହେଁ, ପରବର୍ତ୍ତୀ ଫସଲ ଋତୁ ଉପରେ ମଧ୍ୟ ପଡ଼ିପାରେ। ଏମିତିରେ ବି ଚାଉଳ, ଆଖୁ ଓ ମକା ଚାଷର ରୋପଣ ଗତ ଋତୁ ତୁଳନାରେ କମ ହୋହିଛି। ଆଉ ଏବେ ବର୍ଷାର ଅଭାବ ହେଲେ ଖାଦ୍ୟ ମୂଲ୍ୟବୃଦ୍ଧିର ଚିନ୍ତା ମଧ୍ୟ ବଢିପାରେ। ଅଗଷ୍ଟରେ ଖାଦ୍ୟ ମୁଦ୍ରାସ୍ଫୀତି ୫.୯୫ ପ୍ରତିଶତରେ ପହଞ୍ଚିଛି, ଯାହା ଚଳିତ ବର୍ଷର ସର୍ବୋଚ୍ଚ ସ୍ତର। ଏହା କ୍ରମାଗତ ସପ୍ତମ ମାସରେ ଖାଦ୍ୟ ମୂଲ୍ୟ ବୃଦ୍ଧିକୁ ଦର୍ଶାଉଛି। ଆଉ ଯଦି ବର୍ଷା ଅଭାବ ଜାରି ରହିଲା ତେବେ ଆଗକୁ ସ୍ଥିତି ସାଂଘାତିକ ହୋଇପାରେ।

କ୍ୱାଣ୍ଟ ଇକୋର ଅର୍ଥନୀତିଜ୍ଞ ୟୁଭିକା ସିଙ୍ଗଲଙ୍କ ଆକଳନ ଅନୁସାରେ, ସ୍ୱାଭାବିକ ବର୍ଷା ତୁଳନାରେ ବର୍ଷାରେ ପ୍ରତି ୧ ପ୍ରତିଶତ ପଏଣ୍ଟ ଅଭାବ ହେଲେ ସାଧାରଣତଃ ଖାଦ୍ୟ ମୁଦ୍ରାସ୍ଫୀତି ପ୍ରାୟ ୨୫ ବେସିସ୍ ପଏଣ୍ଟ ବଢ଼ିପାରେ। ଦେଶରେ ବର୍ତ୍ତମାନ ମୁଦ୍ରାସ୍ଫୀତି ସର୍ବୋଚ୍ଚ ସ୍ତରରେ ରହିଛି। ବର୍ଷା ଅଭାବ ଓ ଖାଦ୍ୟ ଦର ବୃଦ୍ଧି ମଧ୍ୟରେ ସରକାର ଯୋଗାଣ ବଢ଼ାଇବା ପାଇଁ ଶୁଳ୍କମୁକ୍ତ ଚିନି ଆମଦାନିକୁ ଅନୁମତି ଦେଇଛି। ଏହାସହ ଖାଦ୍ୟ ମୂଲ୍ୟ ନିୟନ୍ତ୍ରଣ ପାଇଁ କେତେକ ରାଜ୍ୟରେ ସରକାରୀ ସବସିଡି ଦରରେ ପିଆଜ ବିକ୍ରି କରାଯାଉଛି। ତେଣୁ ସ୍ଥିତି ପୂର୍ବରୁ ହିଁ ମୌସୁମୀ ଜନତି ଚାପରେ ରହିଛି।

ଏଲ୍ ନିନୋର ପ୍ରଭାବ, ମୌସୁମୀ ବର୍ଷାର ଅଭାବ ଓ ବଙ୍ଗୋପସାଗରରେ ସମ୍ଭାବ୍ୟ ଘୂର୍ଣ୍ଣିଝଡ଼ ମଧ୍ୟରେ ଏବେ ମୌସୁମୀ ଋତୁର ଅବଶିଷ୍ଟ ଦିନଗୁଡ଼ିକ ଉପରେ ନଜର ରହିଛି। ଆଗାମୀ ବର୍ଷା ଦେଶର କୃଷି ଉତ୍ପାଦନ ଓ ଖାଦ୍ୟ ମୂଲ୍ୟ ଉପରେ କେତେ ପ୍ରଭାବ ପକାଇବ, ତାହା ଏବେ ଗୁରୁତ୍ୱପୂର୍ଣ୍ଣ ହୋଇଛି।