ଭୁବନେଶ୍ୱର: ବଡ଼ଧରଣର ଡକାୟତି ଯୋଜନା ପଣ୍ଡ କରିଛି ମୈତ୍ରୀ ବିହାର ପୋଲିସ। ଡକାୟତି ପୂର୍ବରୁ ୫ ଜଣ ଅଭିଯୁକ୍ତଙ୍କୁ କାବୁ କରିଛି ପୋଲିସ। ନୂଆ ୨୦୦ ଫୁଟିଆ ରାସ୍ତାରେ ଖଣ୍ଡା ଦେଖାଇ ଲୋକଙ୍କୁ ଲୁଟ୍ କରିବା ପାଇଁ ଅଭିଯୁକ୍ତମାନେ ଯୋଜନା କରୁଥିବା ନେଇ ପୋଲିସ ସୂଚନା ପାଇଥିଲା।

ସୂଚନା ଅନୁଯାୟୀ, ଏକୁଟିଆ ଯାଉଥିବା ଲୋକଙ୍କୁ ଟାର୍ଗେଟ୍ କରି ଲୁଟ୍ କରିବା ପାଇଁ ଅଭିଯୁକ୍ତମାନେ ଯୋଜନା କରିଥିଲେ। ଖବର ପାଇ ମୈତ୍ରୀ ବିହାର ପୋଲିସ ଅଚାନକ ଘଟଣାସ୍ଥଳରେ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ଅଭିଯୁକ୍ତମାନେ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ। ତେବେ ପୋଲିସ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ କାବୁ କରିଥିଲା।

ଗିରଫ ଅଭିଯୁକ୍ତମାନେ ହେଲେ କାହ୍ନା ନାୟକ, ଶ୍ରୀକାନ୍ତ ପ୍ରଧାନ, ବିକାଶ ବେହେରା, ପି. କ୍ରିଷ୍ଣା ରାଓ ଓ ପବିତ୍ର ଭୋଳ। ସେମାନଙ୍କ ନିକଟରୁ ଗୋଟିଏ ତେଲେଙ୍ଗା କଟୁରୀ, ଚାପଡ଼, ଲଙ୍କା ଗୁଣ୍ଡ ଓ ମୋବାଇଲ୍ ଫୋନ୍ ଜବତ କରାଯାଇଛି। ପୋଲିସର ସୂଚନା ଅନୁସାରେ, ଗିରଫ ୫ ଜଣଙ୍କ ନାଁରେ ପୂର୍ବରୁ ଏକାଧିକ ଛିନତାଇ ମାମଲା ରହିଛି। ଜେଲରୁ ଫେରିବା ପରେ ସେମାନେ ପୁଣି ଡକାୟତି ପାଇଁ ଯୋଜନା ଚଳାଇଥିବା ଜଣାପଡ଼ିଛି।

Also Read: ମଜୁରୀ ମାଗିଲେ ଧମକ ! ତେଲେଙ୍ଗାନାରୁ ସହାୟତା ମାଗିଲେ ଓଡ଼ିଆ ଶ୍ରମିକ

ଏନେଇ ମୈତ୍ରୀ ବିହାର ଥାନା ପୋଲିସ ୫ ଜଣଙ୍କୁ ଗିରଫ କରି ମାମଲା ରୁଜୁ କରିଛି। ଏହି ଘଟଣାରେ ଅଭିଯୁକ୍ତମାନଙ୍କ ପୂର୍ବ ଅପରାଧିକ ରେକର୍ଡ ଓ ଅନ୍ୟ କୌଣସି ଅପରାଧରେ ସେମାନଙ୍କ ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ଅଧିକ ତଦନ୍ତ ଜାରି ରହିଛି।