ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ସାନଫ୍ରାନସିସ୍କୋ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୈଷୟିକ ତ୍ରୁଟି କାରଣରୁ ଉଡାଣ କରିବାର ୮ ଘଣ୍ଟା ପରେ ଦିଲ୍ଲୀ ଫେରସ୍ତ ଆସିବାକୁ ପଡିଛି। ଏୟାରଲାଇନ୍ସ ଏହି ସୂଚନା ଦେଇଛି। ବୁଧବାର ଏୟାର ଇଣ୍ଡିଆ ଉଡାଣ ସଂଖ୍ୟା ଏ-୧୭୩ ଦିଲ୍ଲୀ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଆମେରିକାର ସାନଫ୍ରାନସିସ୍କୋ ଲାଗି ଉଡାଣ କରିଥିଲା। ଏହି ବୋଇଂ ବିମାନରେ ୨୩୦ ଜଣ ଯାତ୍ରୀ ଥିଲେ।  

ଏହି ଯାତ୍ରାରେ ବିମାନ ୮ ଘଣ୍ଟାରୁ ଅଧିକ ସମୟ ଆକାଶରେ ଅଧାରୁ ଅଧିକ ପଥ ଅତିକ୍ରମ କରିସାରିବା ପରେ ୟୁ-ଟର୍ଣ୍ଣ ନେଇଛି। ଉଡାଣ କାଳରେ ପାଇଲଟ ବିମାନରେ ଏକ ଯାନ୍ତ୍ରିକ ତ୍ରୁଟି ଥିବା ଜାଣି ପାରିଥିଲେ। ଏଣୁ ବିମାନକୁ ଆଗକୁ ନେବା ବଦଳେ ପାଇଲଟ ଓ କ୍ରୁ ସୁରକ୍ଷା ମାନକକୁ ଦୃଷ୍ଟିରେ ରଖି ଫେରିଯିବାକୁ ଉଚିତ ମଣିଥିଲେ।  ମାମଲାରେ ବୟାନ ଜାରି କରି ଏୟାର ଇଣ୍ଡିଆ ମୁଖପାତ୍ର କହିଛନ୍ତି ଯେ ମେ ୨୭ ତାରିଖରେ ଦିଲ୍ଲୀରୁ ସାନଫ୍ରାନସିସ୍କୋ ଯାଉଥିବା ଉଡାଣ ଏଆଇ ୧୭୩ନିର୍ଦ୍ଧାରିତ ପ୍ରକ୍ରିୟାରେ ଏକ ବୈଷୟିକ ତ୍ରୁଟି ଯୋଗୁ ଦିଲ୍ଲୀ ଫେରି ଆସିଛି ଓ ବିମାନ ସୁରକ୍ଷିତ ଅବତରଣ କରିଯାଇଛି।

ଏୟାର ଇଣ୍ଡିଆ ସ୍ପଷ୍ଟ କରିଛି ଯେ ଏବେ ଏୟାର ଲାଇନର କଡ଼ା ସୁରକ୍ଷା ମାନକ ଅନୁସାରେ ବିମାନର ଗହନ ବୈଷୟିକ ଯାଞ୍ଚ ହେବ। ତେବେ ଅଧବାଟରୁ ବିମାନ ଫେରି ଆସିବା ଯୋଗୁ ଯାତ୍ରୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି। ତେବେ ଏୟାର ଲାଇନ ଯାତ୍ରୀଙ୍କ ଅସୁବିଧା ଲାଗି ଦୁଃଖ ପ୍ରକାଶ କରିଛି। ଏବେ ଯାତ୍ରୀମାନଙ୍କ ରହଣୀ ଓ ସେମାନଙ୍କୁ ବିକଳ୍ପ ବିମାନରେ ଗନ୍ତବ୍ୟ ଅଭିମୁଖେ ପଠାଇବା ପାଇଁ ଏୟାରଲାଇନ୍ସ ବ୍ୟବସ୍ଥା କରୁଛି।