ଶ୍ରୀନଗର,|୦୨ : ପାକିସ୍ତାନ ସହ ସିନ୍ଧୁ ଜଳ ଚୁକ୍ତିକୁ ବାତିଲ କରିଛି ଭାରତ । ପହଲଗାମ ଆକ୍ରମଣ ପରେ ଆକ୍ସନ ନେଇଛନ୍ତି କେନ୍ଦ୍ର ସରକାର । ବନ୍ଦ କରିଦେଇଛନ୍ତି ସବୁ ପୁରୁଣା ଚୁକ୍ତି । ଫଳରେ ପାଣି ଟୋପାଏ ପାଇଁ ବିକଳ ହେଉଛି ଶତ୍ରୁ ଦେଶ । ଏବେ ପାକିସ୍ତାନର ଆତଙ୍କବାଦୀ ପ୍ରୀତି ଆହୁରି ମହଙ୍ଗା ପଡିବାକୁ ଯାଉଛି । ଭାରତ ସରକାର ଚେନାବ ନଦୀରେ ବଡ ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ କମ୍ପାନୀ ଏନଏଚପିସି ଜମ୍ମୁ-କାଶ୍ମୀରର ରାମବନ ଜିଲ୍ଲାରେ ସାଓ୍ୱଲକୋଟ୍ ହାଇଡ୍ରୋ ଇଲେକ୍ଟ୍ରିକ୍ ପ୍ରକଳ୍ପ ନିର୍ବାଣ ପାଇଁ ଟେଣ୍ଡର ଜାରି କରିଛି ।

ରିପୋର୍ଟ ଅନୁସାରେ, ଏନଏଚପିସି ୫୧୨୯ କୋଟି ଟଙ୍କାର ଟେଣ୍ଡର ଜାରି କରିଛି । ସମସ୍ତ ପ୍ରକଳ୍ପକୁ ଗୋଟିଏ ପର୍ଯ୍ୟାୟରେ ତିଆରି କରାଯିବ । ଏଥିରେ ଡାଇଭର୍ଜେଣ୍ଟ୍ ଟନେଲ ନିର୍ମାଣ, ଡ୍ୟାମ୍ ଆଦି ସାମିଲ ରହିଛି । ଡ୍ୟାମ୍ ସହ ଜଡିତ ରାସ୍ତା ନିର୍ମାଣ, ଦକ୍ଷିଣ ପାର୍ଶ୍ୱର ଶାଖାନଦୀର ବିକାଶ ଏବଂ ଏହା ସହ ଜଡିତ ସମସ୍ତ ସହାୟକ କାର୍ଯ୍ୟ ସମାନ ଟେଣ୍ଡରରେ ନିର୍ମାଣ ହେବ । ଗୋଟିଏ ଟେଣ୍ଡରରେ ହିଁ ସବୁ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପ କାମ ସରିଲେ ଚେନାବ ନଦୀରୁ ବିଦ୍ୟୁତ ଉତ୍ପାଦନ ଆରମ୍ଭ ହେବ । ଯାହା ସ୍ଥାନୀୟ ଅଞ୍ଚଳ ସମେତ ପଡୋଶୀ ରାଜ୍ୟର ବିଜୁଳି ନିଅଣ୍ଟ ପୁରା କରିପାରିବ ।

ଆହୁରି ମଧ୍ୟ ଟେଣ୍ଡରରେ କୁହାଯାଇଛି ଯେ, ପ୍ରକଳ୍ପ କାମ ପାଇଁ ନିଲାମି ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହେବ । ଯାହା ମାର୍ଚ୍ଚ ୨୦ ଯାଏଁ ଚାଲିବ । ନିଲାମିର ବୈଧତା ୧୮୦ ଦିନ ରଖାଯାଇଛି । ସେହିପରି ପ୍ରକଳ୍ପ ନିର୍ମାଣ ୩୨୮୫ ଦିନରେ ସାରିବା ପାଇଁ ନିର୍ଦ୍ଦେଶ ରହିଛି ।

୧୮୫୬ ମେଗାଓ୍ୱାଟର ବିଜୁଳି ଉତ୍ପାଦନ

ସାଓ୍ୱଲକୋଟ୍ ହାଇଡ୍ରୋ ଇଲେକ୍ଟ୍ରିକ୍ ପ୍ରକଳ୍ପରୁ ୧୮୫୬ ମେଗାଓ୍ୱାଟର ବିଦ୍ୟୁତ ଉତ୍ପାଦନ ଲକ୍ଷ୍ୟ ରହିଛି । ଏହା ଜମ୍ମୁ କାଶ୍ମୀରର ବିଦ୍ୟୁତ ଆବଶ୍ୟକତାକୁ ପୂରଣ କରିବ । ଦେଶର ପାଓ୍ୱାର୍ ଗ୍ରୀଡକୁ ମଧ୍ୟ ମଜବୁତ କରିବ ।

ସିନ୍ଧୁ ନଦୀ ବିବାଦ ପରେ ଚେନାବ ନଦୀରେ ଭାରତର ସମ୍ଭାବ୍ୟ ପ୍ରକଳ୍ପକୁ ଆର୍ଥିକ ଏବଂ ରଣନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱ ବୋଲି କୁହାଯାଉଛି । ଏହି ପରିଯୋଜନା ଜଳ ଉତ୍ସକୁ ସଠିକ ଢଙ୍ଗରେ ବ୍ୟବହାର କରିବାରେ ସାହାଯ୍ୟ କରିବ । ଏହାସହ ପାକିସ୍ତାନକୁ ମଧ୍ୟ ବଡ ଝଟକା ଦେବ ।