ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟି (BSP) ର ସୁପ୍ରିମୋ ମାୟାବତୀ ତାଙ୍କ ପରିବାର ଓ ଦଳୀୟ ସଂଗଠନକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ତାଙ୍କ ପୁତୁରା ଆକାଶ ଆନନ୍ଦ ଏବଂ ଝିଆରୀ ଦୀପିକା ଆନନ୍ଦଙ୍କୁ ଦଳର ସମସ୍ତ ଦାୟିତ୍ୱରୁ ସମ୍ପୂର୍ଣ୍ଣ ଦୂରରେ ରଖିବାକୁ ଘୋଷଣା କରିଛନ୍ତି। ଅପରପକ୍ଷରେ, ତାଙ୍କର ସାନ ପୁତୁରା ଈଶାନ ଆନନ୍ଦଙ୍କୁ ଦଳରେ ଏକ ପ୍ରମୁଖ ଏବଂ "ସମ୍ମାନଜନକ ଦାୟିତ୍ୱ" ଦିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସାମାଜିକ ଗଣମାଧ୍ୟମ 'X' ରେ ମାୟାବତୀ ଲେଖିଛନ୍ତି ଯେ, ସେ ପ୍ରତ୍ୟେକ ଦିଗକୁ ଗମ୍ଭୀରତାର ସହ ଅନୁଧ୍ୟାନ କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ପଦକ୍ଷେପ ପାଇଁ ସେ BSP ପ୍ରତିଷ୍ଠାତା କାଂଶୀରାମଙ୍କ ଜୀବନ ଆଦର୍ଶ ଏବଂ ବାବାସାହେବ ଡଃ ବି.ଆର୍. ଆମ୍ବେଦକର ତାଙ୍କ ପୁଅକୁ ଲେଖିଥିବା ଏକ ପତ୍ରରୁ ପ୍ରେରଣା ପାଇଛନ୍ତି। ମାୟାବତୀ କହିଛନ୍ତି ଯେ, ଯେଉଁମାନେ ସମାଜସେବା ଲକ୍ଷ୍ୟ ନେଇ ରାଜନୀତିରେ ପ୍ରବେଶ କରନ୍ତି, ସେମାନଙ୍କୁ ପରିବାର ଓ ଆତ୍ମୀୟସ୍ୱଜନଙ୍କ ମୋହରୁ ଉପରକୁ ଉଠିବାକୁ ପଡ଼ିବ। BSP ପ୍ରତିଷ୍ଠାତା କାଂଶୀରାମ ମଧ୍ୟ ନିଜ ପରିବାର ଗଠନ ନକରି ନିଜର ସମ୍ପୂର୍ଣ୍ଣ ଜୀବନ ବହୁଜନ ସମାଜର କଲ୍ୟାଣ ପାଇଁ ଉତ୍ସର୍ଗ କରିଥିଲେ।

ନିଜ ସାନଭାଇ ଆନନ୍ଦ କୁମାରଙ୍କ ବଡ଼ ପୁଅ ଆକାଶ ଆନନ୍ଦଙ୍କୁ ସେ ପରିବାରର ଅନୁରୋଧ କ୍ରମେ ରାଜନୀତିକୁ ଆଣିଥିଲେ। ମାତ୍ର ବିବାହ ପରେ ଆକାଶ ନିଜ ଶ୍ୱଶୁର ଅଶୋକ ସିଦ୍ଧାର୍ଥଙ୍କ ପ୍ରଭାବରେ ଆସି ଦଳବିରୋଧୀ କାର୍ଯ୍ୟକଳାପରେ ଛନ୍ଦି ହୋଇପଡ଼ିଥିଲେ। ତାଙ୍କୁ ପୁଣି ଦଳକୁ ଫେରାଇ ଆଣିବା ଦଳ ପ୍ରତି ବିଶ୍ୱାସଘାତକତା ହେବ ବୋଲି ମାୟାବତୀ ଦର୍ଶାଇଛନ୍ତି।

 ଆକାଶଙ୍କ ବାଟରେ ନଚାଲିବା ଭଳି ସସର୍ତ୍ତ ନିୟମ ସହ ଈଶାନ ଆନନ୍ଦଙ୍କୁ ଦଳରେ ନୂଆ ଦାୟିତ୍ୱ ଦିଆଯିବ। ମାତ୍ର ସେ ଯଦି କୌଣସି ଦଳବିରୋଧୀ କାର୍ଯ୍ୟ କରନ୍ତି, ତେବେ ତାଙ୍କୁ ମଧ୍ୟ ବାହାର କରାଯିବ ଏବଂ ଆନନ୍ଦ କୁମାରଙ୍କ ପରିବାରର ଅନ୍ୟ କୌଣସି ସଦସ୍ୟଙ୍କୁ ସୁଯୋଗ ନଦେଇ ଦଳର ଜଣେ ନିଷ୍ଠାପର ଦଳିତ କାର୍ଯ୍ୟକର୍ତ୍ତାଙ୍କୁ ଆଗକୁ ଅଣାଯିବ।

୧୯୫୬ ଫେବୃଆରୀ ୨୩ ରେ ଡଃ ଆମ୍ବେଦକର ନିଜ ପୁଅ ଯଶବନ୍ତଙ୍କୁ ଲେଖିଥିବା ଚିଠିର ସୂଚନା ଦେଇ ମାୟାବତୀ କହିଛନ୍ତି ଯେ, ସାର୍ବଜନୀନ ସମ୍ପତ୍ତି କୌଣସି ବ୍ୟକ୍ତିଗତ ମାଲିକାନାର ନୁହେଁ। ସେହିପରି ବହୁଜନ ସମାଜ ହିଁ ତାଙ୍କର ପ୍ରକୃତ ପରିବାର। ଶେଷରେ ସେ ଘୋଷଣା କରିଛନ୍ତି ଯେ, ସେପ୍ଟେମ୍ବର ୨୩ ତାରିଖରେ BSP ର ଏକ ଗୁରୁତ୍ୱପୂର୍ଣ୍ଣ ଅଲ୍-ଇଣ୍ଡିଆ ବୈଠକ ଅନୁଷ୍ଠିତ ହେବ, ଯାହା ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ନୂତନ ଉତ୍ସାହ ଭରିବ।