ନୂଆଦିଲ୍ଲୀ: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ରବିବାର ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଖେଳା ଯାଉଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚରେ ଭାରତୀୟ ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ନିମନ୍ତ୍ରଣ ପାଇ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଆଫଗାନିସ୍ତାନ ଆରମ୍ଭରୁ ହିଁ ୱିକେଟ୍ ହରାଇଥିଲା। ଦୁର୍ବଳ ପ୍ରଦର୍ଶନ କରିବା ସହିତ ଦଳ ନିର୍ଦ୍ଧାରିତ ୨୦ ଓଭରେ ୮ ୱିକେଟ ହରାଇ ୧୫୬ ରନ୍ କରିଛି। ଭାରତକୁ ମ୍ୟାଚ୍ ଜିତିବାକୁ ହେଲେ ୧୫୭ ରନର ସହଜ ଲକ୍ଷ୍ୟ ହାସଲ କରିବାକୁ ପଡ଼ିବ।

ଆଜିର ମ୍ୟାଚରେ ଭାରତୀୟ ବୋଲରଙ୍କ ଘାତକ ବୋଲିଂରେ ଗଛ ପତ୍ରଝଡ଼ା ଦେଲା ପରି ଆଫଗାନିସ୍ତାନର ଗୋଟିଏ ପରେ ଗୋଟିଏ ୱିକେଟ୍ ପଡ଼ିଥିଲା। ଆଫଗାନିସ୍ତାନର ଅଧା ଦଳ ମାତ୍ର ୪୩ ରନରେ ଆଉଟ୍ ହୋଇଯାଇଥିଲା। ଭାରତୀୟ ଦ୍ରୁତ ବୋଲର ଜସପ୍ରିତ ବୁମରାହ ମ୍ୟାଚର ପ୍ରଥମ ଓଭରରେ ରହମାନୁଲ୍ଲାହ ଗୁରବାଜଙ୍କୁ ଆଉଟ୍ କରି ଭାରତକୁ ଏକ ଦୃଢ଼ ଆରମ୍ଭ ଦେଇଥିଲେ। ଏହାପରେ ୱିକେଟ୍‌ରେ ଯେମିତି ଲାଇନ ଲାଗି ଯାଇଥିଲା। ୱିକେଟ ପତନ ପରେ ଆଫଗାନିସ୍ତାନ ବ୍ୟାଟିଂ ଲାଇନ ପୂରା ଦୁର୍ବଳ ହୋଇଯାଇଥିଲା।

ବୁମରାହଙ୍କ ପରେ, ଅନ୍ୟ ଭାରତୀୟ ବୋଲରମାନେ ମଧ୍ୟ ଆଫଗାନିସ୍ତାନର ଗୋଟିଏ ପରେ ଗୋଟିଏ ୱିକେଟ୍ ନେଇଥିଲେ। ଦ୍ୱିତୀୟ ୱିକେଟ୍ ଭାବେ ଇବ୍ରାହିମ୍ ଜାଦ୍ରନ ମାତ୍ର ୧୦ ବଲରୁ ୧୧ ରନ୍ କରି ରନ୍ ଆଉଟ୍ ହୋଇଥିଲେ। ତା’ପରେ ଅର୍ଶଦୀପ ସିଂହ ସେଦିକୁଲ୍ଲାହ ଅଟଲ (୧୩ ରନ୍)ଙ୍କୁ ଆଉଟ୍ କରିଥିଲେ। ସ୍କୋର ୪୧ ରନରେ ପହଞ୍ଚିବା ପରେ, ଅକ୍ଷର ପଟେଲ ଗୁଲବଦିନ୍ ନାଇବ (୨ ରନ୍)ଙ୍କୁ ଏବଂ ୪୩ ରନରେ ବରୁଣ ଚକ୍ରବର୍ତ୍ତୀ ଦାରୱିଶ୍ ରସୁଲି (୨ ରନ୍)ଙ୍କୁ ଆଉଟ୍ କରି ଆଫଗାନିସ୍ତାନର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ।

ଲଗାତର ୱିକେଟ୍ ଯିବା ପରେ ଆଫଗାନିସ୍ତାନ ମାତ୍ର ୪୩ ରନରେ ୫ ୱିକେଟ୍ ହରାଇ ଚାପଗ୍ରସ୍ତ ହୋଇଥିଲା।ଏହାପରେ ଷଷ୍ଟ ୱିକେଟ୍ ପାଇଁ ଆସିଥିବା ମହମ୍ମ ନବୀ ଅଜମତୁଲ୍ଲା ଓମାରଜାଇଙ୍କ ସହ ମିଶି ଦଳର ସ୍କୋରକୁ ଆଗକୁ ବଢ଼ାଇଥିଲେ। ସେ ୧୬ ଓଭର ପର୍ଯ୍ୟନ୍ତ ଓମାରଜାଇଙ୍କ ସହ ଦଳୀୟ ସ୍କୋରକୁ ଦ୍ରୁତ ଗତିରେ ଆଗକୁ ନେବାକୁ ଚେଷ୍ଟା କରିଥିଲେ। ହେଲେ ୧୬.୨ ଓଭର ବେଳଙ୍କୁ ଅର୍ଶଦୀପ ସିଂହ ଆଉଟ କରିଥିଲେ। ନବୀ ୨୭ ବଲ୍ ଖେଳି ୩୩ ରନ୍ କରିଥିଲେ।

ଏପଟେ ଓମାରଜାଇ ସତର୍କତାର ସହ ଖେଳ ଜାରି ରଖିଥିବା ବେଳେ ସେପଟେ ୱିକେଟ ପତନ ଧାରା ଜାରି ରହିଥିଲା। ନବୀଙ୍କକ ପରେ ରଶିଦ ଖାନଙ୍କୁ(୧) ଅର୍ଶଦୀପ ସିଂହ ଆଉଟ କରିବା ପରେ ନୂର ଅହମଦଙ୍କୁ ରନ ଆଉଟ କରିଥିଲେ ଶ୍ରେୟସ ଆୟର।

ଭାରତୀୟ ବୋଲିଂ

ପ୍ରଥମ ଓଭରରେ ବୁମ୍ରା ୱିକେଟ୍ ନେଇ ଦଳକୁ ଭଲ ଆରମ୍ଭ ଦେବା ପରେ ଭାରତୀୟ ବୋଲରମାନେ ଦମଦାର ପ୍ରଦର୍ଶନ କରି ଆଫଗାନିସ୍ତାନର ଟିମ୍ ପୂରା ଭାଙ୍ଗି ଦେଇଥିଲେ। ଭାରତ ପକ୍ଷରୁ ଅର୍ଶଦୀପ ସିଂହ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ବୁମ୍ରା, ଅକ୍ଷର ପଟେଲ ଓ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏ ୱିକେଟ ନେଇଥିଲେ।

ବୁମ୍ରାଙ୍କ ରେକର୍ଡ

ଆଜିର ମ୍ୟାଚ୍ରେ ବୁମ୍ରାହ ରହମାନୁଲ୍ଲାହ ଗୁରବାଜଙ୍କ ୱିକେଟ ନେବା ପରେ ଟି-୨୦ କ୍ରିକେଟରେ ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ଟି-୨୦ ଫର୍ମାଟରେ ୩୫୦ ୱିକେଟ ହାସଲ କରିବାରେ କେବଳ ତୃତୀୟ ଭାରତୀୟ ଏବଂ ଦ୍ୱିତୀୟ ଭାରତୀୟ ଦ୍ରୁତ ବୋଲର ହୋଇଛନ୍ତି। ପୂର୍ବରୁ ଏହି ସ୍ୱତନ୍ତ୍ର ତାଲିକାରେ ୟୁଜଭେନ୍ଦ୍ର ଚହଲ (୩୯୬ ୱିକେଟ) ପ୍ରଥମ ସ୍ଥାନରେ ଅଛନ୍ତି, ଏବଂ ଭୁବନେଶ୍ୱର କୁମାର (୩୬୩ ୱିକେଟ) ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏଥିରେ ଆଇପିଏଲ୍ ୱିକେଟ ତାଲିକା ମଧ୍ୟ ସାମିଲ ଅଛି। ବୁମ୍ରା ତାଙ୍କ ଟି-୨୦ କ୍ୟାରିୟରରେ, ଜାତୀୟ ଟିମ ସହ ଖେଳିବା ସହିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍ଆଇ) ଏବଂ ଘରୋଇ ସ୍ତରରେ ଗୁଜରାଟ ପାଇଁ ଖେଳିଛନ୍ତି।