ବ୍ରହ୍ମପୁର ୧୧।୬: ପ୍ରେମିକାଙ୍କୁ ହତ୍ୟା କରି ପରେ ଦୁର୍ଘଟଣା ରୂପ ଦେବାକୁ ଯାଇ ପୋଲିସ ହାତରେ ଧରାପଡିଛି ଅଭିଯୁକ୍ତ ପ୍ରେମିକ । ପ୍ରେମିକା ବିବାହ ପାଇଁ ବାରମ୍ବାର ଦାବି କରିବାରୁ ଯୋଜନା ବଦ୍ଧ ଭାବେ ବୁଲାଇବାକୁ ନେଇ ବାଇକ୍‌ରୁ ଠେଲି ଦେଇଥିଲା । ଆଉ ସେଥିରୁ ପଡ଼ି ପ୍ରେମିକା ମରିଯିବା ପରେ ତାହାକୁ ଦୁର୍ଘଟଣାର ରୂପ ଦେଇଥିଲା । ଏଭଳି ଘଟଣାରେ ପୋଲିସ ଅଭିଯୁକ୍ତ ପ୍ରେମିକ ରାକେଶ ଆଚାର୍ଯ୍ୟକୁ ଗିରଫ କରି କୋର୍ଟ ଚାଲାଣ କରିଛି । ରାକେଶର ଘର ଦିଗପହଣ୍ଡି ଥାନା ନିମଖଣ୍ଡି ପେଣ୍ଠ ଅଂଚଳରେ ।

ଆଙ୍କୁଲି ଓଭରବ୍ରିଜ ଉପରେ ୭ ତାରିଖ ରାତିରେ ଏକ ଦୁର୍ଘଟଣା ଘଟି ରୋହି ଗାଁର ଯୁବତୀଙ୍କ ମୃତ୍ୟୁ ଘଟିଥିଲା । ଏହି ଖବର ତାଙ୍କ ପରିବାର ଲୋକଙ୍କୁ ପ୍ରେମିକ ରାକେଶ ଆଚାର୍ଯ୍ୟ ଦେଇଥିଲା । କିନ୍ତୁ ରାକେଶର କଥାରେ ତାଳମେଳ ନଥିବା ଦେଖି ଯୁବତୀଙ୍କ ମାମୁଁ କାହ୍ନୁ ଜେନା ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥି୍ଲେ ।

Also Read:- ସ୍ନାନଯାତ୍ରାରେ ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ, ଠାକୁରଙ୍କ ବେଶ ତିଆରିରେ ଲାଗିଛନ୍ତି ବେଶ କାରିଗର

ପୋଲିସ ରାକେଶ ଆଚାର୍ଯ୍ୟକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଯୁକ୍ତ ଦୁଇ ବିଜ୍ଞାନ ପାସ୍ କରିବା ପରେ ଯୁବତୀ ଜଣଙ୍କ ବ୍ରହ୍ମପୁରରେ ରହି ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ । ୭ ତାରିଖ ସନ୍ଧ୍ୟାରେ ତାଙ୍କ ପ୍ରେମିକ ରାକେଶଙ୍କ ସହିତ ବାଇକ୍‌ରେ ବସି ଗୋପାଳପୁର ଯାଇଥିଲେ । ସେଠାରୁ ରାତିରେ ଫେରିବା ବେଳେ ଆଙ୍କୁଲି ଓଭରବ୍ରିଜ୍ ନିକଟରେ ଦୁର୍ଘଟଣା ଘଟିଥିଲା। ଯୁବତୀ ଗୁରୁତର ହୋଇଥିଲେ । ମେଡିକାଲରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ପୋଲିସ ଏହି ଘଟଣାରେ ଶବ ଜବତ କରି ତଦନ୍ତ ଆରମ୍ଭ କରିଥିଲା। ଯୁବତୀଙ୍କ ମାମୁଙ୍କ ଅଭିଯୋଗ କ୍ରମେ ତଦନ୍ତ କରି ହତ୍ୟା କରିବାର କାରଣ ଜାଣିବା ସହ ହତ୍ୟା କରାଯାଇ ଦୁର୍ଘଟଣାର ରୂପ ଦିଆଯାଇଥିବା ଜାଣିବା ପରେ ତାଙ୍କୁ ଗିରଫ କରିଥିଲା ।