ପୁରୀ ୧୧।୬: ଆସନ୍ତା ୨୯ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା । ଦେବସ୍ନାନ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କର ଚିତ୍ତାକର୍ଷକ ହାତୀବେଶ ଅନୁଷ୍ଠିତ ହେବ । ଏଥିପାଇଁ ଦୟଣାମାଳି ସେବକ ବସନ୍ତ ରଣାଙ୍କ ତତ୍ତ୍ଵାବଧାନରେ ହାତୀବେଶ ବେଶ ପ୍ରସ୍ତୁତ ଚାଲିଛି । ଅକ୍ଷୟ ତୃତୀୟାରେ ଏହି ହାତୀବେଶକୁ ବେଶ କାରିଗର ମାନଙ୍କ ଦ୍ବାରା ଅନୁକୂଳ ହୋଇଥିଲା । ବେଶ କାରିଗର ମାନେ ଶୁଦ୍ଧପୂତ ଭାବେ ଠାକୁରଙ୍କ ବେଶ ତିଆରି କରୁଛନ୍ତି ।

ପରମ୍ପରା ଅନୁସାରେ ବାଲିସାହି ସ୍ଥିତ ଗୋପାଳ ତୀର୍ଥ ମଠ ପ୍ରଭୁ ବଳଭଦ୍ର ଓ ସୁଦର୍ଶନଙ୍କ ବେଶ ଏବଂ ରାଘବ ଦାସ ମଠ ପକ୍ଷରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କର ବେଶ ଯୋଗାଇଥାନ୍ତି । ଠାକୁରଙ୍କ ବେଶ ତିଆରି ପାଇଁ ବାଉଁଶ, ବେତ, କନା, ସୋଲ, ଜରି, କଦଳୀ ପଟୁକା, ଜମ୍ବୁରା, ଲେସ୍ ଓ କଇଁଥ ଅଠା ଆଦି ବ୍ୟବହାର କରାଯାଇ ଏହି ପାରମ୍ପରିକ ପଦ୍ଧତିରେ ବେଶ ତିଆରି କରାଯାଉଛି ।

Also Read:- ପୋଷ୍ଟମର୍ଟମ ରିପୋର୍ଟରେ ଖୋଲିଲା ସତ, ପାଣିରେ ବୁଡ଼ି ଅଣନିଶ୍ବାସୀ ହୋଇ ଚନ୍ଦ୍ରିକାଙ୍କ ମୃତ୍ୟୁ

କିମ୍ବଦନ୍ତୀ ଅନୁଯାୟୀ ପଞ୍ଚଦଶ ଶତାବ୍ଦୀରେ ମହାରାଷ୍ଟ୍ରରୁ ମହାଗାଣପତ୍ୟ ସମ୍ପ୍ରଦାୟର ଗଣପତି ଭଟ୍ଟ ନାମକ ଜନୈକ ବ୍ରାହ୍ମଣ ଶ୍ରୀକ୍ଷେତ୍ରକୁ ଆଗମନ କରିଥିଲେ । ପ୍ରଭୁ ଗଣେଶଙ୍କ ବଡ଼ ଭକ୍ତ ଥିଲେ ଗଣପତି ଭଟ୍ଟ । ସ୍ନାନ ପୂର୍ଣ୍ଣିମା ଦିନ ସେ ଚତୁର୍ଦ୍ଧା ବିଗ୍ରହଙ୍କୁ ସ୍ନାନ ମଣ୍ଡପରେ ଦର୍ଶନ କରି ସନ୍ତୋଷ ଲାଭ କରିନଥିଲେ । ନିରାଶ ମନରେ ଫେରି କିଛି ବାଟ ଯିବା ପରେ ତାଙ୍କୁ ଶୂନ୍ୟବାଣୀ ହୋଇଥିଲା । ପୁନଶ୍ଚ ଯେତେବେଳେ ଭକ୍ତ ଗଣପତି ଭଟ୍ଟ ଶ୍ରୀମନ୍ଦିରକୁ ଫେରି ଆସନ୍ତି ସେତେବେଳେ ଦେଖିଲେ ସ୍ନାନ ବେଦୀରେ ହାତୀବେଶରେ ମହାପ୍ରଭୁ ଦର୍ଶନ ଦେଉଛନ୍ତି । ତେଣୁ ସେବେଠାରୁ ଏହି ହାତୀବେଶ ଅନୁଷ୍ଠିତ ହୋଇ ଆସୁଛି ବୋଲି କହିଛନ୍ତି ବେଶ କାରିଗର ।