କୋଲକାତା: ତୃଣମୂଳ କଂଗ୍ରେସ (TMC) ର ଜାତୀୟ ସାଧାରଣ ସମ୍ପାଦକ ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କୁ ନିଜ ଆଖିର ଚିକିତ୍ସା କରାଇବା ପାଇଁ ସେପ୍ଟେମ୍ବର ମାସରେ ବିଦେଶ ଯାତ୍ରା କରିବାକୁ ଅନୁମତି ମିଳିଛି । ଯାତ୍ରା ପୂର୍ବରୁ ଅଭିଷେକଙ୍କୁ ନିଜର ସମ୍ପୂର୍ଣ୍ଣ ଯାତ୍ରା ସୂଚୀ, ବିମାନ ବିବରଣୀ, ବିଦେଶରେ ରହିବାର ସ୍ଥାନ ଏବଂ ଯେଉଁ ହସ୍ପିଟାଲ ଓ ଡାକ୍ତରଙ୍କ ଅଧୀନରେ ସେ ଚିକିତ୍ସିତ ହେବାକୁ ଚାହୁଁଛନ୍ତି, ସେସବୁର ବିସ୍ତୃତ ତଥ୍ୟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ଆପତ୍ତିଜନକ ତଥା ଧମକପୂର୍ଣ୍ଣ ବକ୍ତବ୍ୟ ଦେଇଥିବା ଅଭିଯୋଗରେ ଅଭିଷେକ ବାନାର୍ଜୀ ଏକ ଆଇନଗତ ମାମଲାର ସାମ୍ନା କରୁଛନ୍ତି।ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ୪୦ ବର୍ଷୀୟ ଅଭିଷେକଙ୍କୁ ଅଗଷ୍ଟ ୫ ତାରିଖରେ କୋଲକାତା ହାଇକୋର୍ଟ ବିଦେଶ ଯିବାକୁ ଅନୁମତି ଦେବାକୁ ମନା କରିଦେଇଥିଲେ। ବିଚାରପତି ସୌଗତ ଭଟ୍ଟାଚାର୍ଯ୍ୟଙ୍କ ଏକକ ପୀଠ କହିଥିଲେ ଯେ, ଯେତେବେଳେ ଭାରତ ମଧ୍ୟରେ ଆବଶ୍ୟକୀୟ ଚିକିତ୍ସା ସୁବିଧା ଉପଲବ୍ଧ ଅଛି, ସେତେବେଳେ ଏହି ଚିକିତ୍ସା ପାଇଁ ଦେଶ ବାହାରକୁ ଯିବାର କୌଣସି ବିଶେଷ ଆବଶ୍ୟକତା ନାହିଁ।

ଅଗଷ୍ଟ ୫, ୨୦୨୬ରେ କୋଲକାତା ହାଇକୋର୍ଟର ବିଚାରପତି ସୌଗତ ଭଟ୍ଟାଚାର୍ଯ୍ୟ ଅଭିଷେକଙ୍କ ବିଦେଶ ଯାତ୍ରା ଆବେଦନକୁ ଖାରଜ କରିଦେଇଥିଲେ। ହାଇକୋର୍ଟ କହିଥିଲେ ଯେ, କୋଲକାତାର ଏସଏସକେଏମ (SSKM) ହସ୍ପିଟାଲର ମେଡିକାଲ ବୋର୍ଡ ଆଗରେ ହାଜର ହୋଇ ନିଜର ଚିକିତ୍ସା ଆବଶ୍ୟକତା ପରୀକ୍ଷା କରାଇବାକୁ ଅଭିଷେକ ଅନିଚ୍ଛା ପ୍ରକାଶ କରିଥିଲେ। ଭାରତରେ ଭଲ ଚିକିତ୍ସା ସୁବିଧା ଥିବାରୁ ଏହି ସମୟରେ ତାଙ୍କୁ ବିଦେଶ ଯିବାକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ହାଇକୋର୍ଟ କହିଥିଲେ।  

ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଅଭିଷେକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଅଗଷ୍ଟ ୧୦, ୨୦୨୬ରେ ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ବିଚାରପତି ଭି. ମୋହନାଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ କୋଲକାତା ହାଇକୋର୍ଟଙ୍କ ଆଦେଶକୁ ରଦ୍ଦ କରି ଅଭିଷେକଙ୍କୁ ୩ ସପ୍ତାହ ପାଇଁ ବିଦେଶ ଯିବାକୁ ଅନୁମତି ଦେଇଛନ୍ତି।