ଭୁବନେଶ୍ବର ୭।୧: ବନ୍ଧୁକ ମୁନରେ ବାନ୍ଧବୀଙ୍କୁ ଧମକ । ହାତରେ ବନ୍ଧୁକ ମୁହଁରୁ ବାହାରୁଛି ଫିଲ୍ମି ଷ୍ଟାଇଲରେ ଗୋଟିଏ ପରେ ଗୋଟିଏ ଡାଏଲଗ୍ । ମୋର ହେବୁନି, ତ କାହାର ହେବାକୁ ଦେବିନି I ମୋତେ ଧୋକା ଦେଲୁ, ହେଲେ ମୋ ଭାଇକୁ ଦବୁନି । ଏମିତିକା କିଛି ଫିଲ୍ମି ଡାଏଲଗ୍ କହି ଯୁବତୀଙ୍କୁ ବନ୍ଧୁକ ଦେଖାଇ ଧମକ ଦେଉଛନ୍ତି ଜଣେ ଯୁବକ । କାର୍‌ରେ ଯୁବତୀଙ୍କ ସହ ଅଛନ୍ତି ଅନ୍ୟ ଜଣେ ଯୁବକ । କାର୍ ବାହାରେ ବନ୍ଧୁକ ଧରି ଠିଆ ହୋଇଛନ୍ତି ଧମକ ଦେଉଥିବା ଯୁବକ । ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।

ଜଣା ପଡିଛି ଯେ, କାର୍ ଭିତରେ ବସିଥିବା ଯୁବତୀ ଜଣଙ୍କ ହେଉଛନ୍ତି ଜଣେ ବାର୍ ଗର୍ଲ । ତାଙ୍କ ଘର କୋଲକାତାରେ । ସେ ଭୁବନେଶ୍ୱରର ଏକ ବାର୍‌ରେ କାମ କରନ୍ତି । ହାତରେ ବନ୍ଧୁକ ଧରି ଧମକ ଦେଉଥିବା ବ୍ୟକ୍ତି ହେଉଛନ୍ତି ନିମାପଡ଼ା ଅଞ୍ଚଳର । ତେବେ ଯୁବତୀଙ୍କୁ ଅନ୍ୟ ଜଣେ ବନ୍ଧୁ ସହ କାର୍‌ରେ ଦେଖିବା ପରେ, ଯୁବତୀ ରହୁଥିବା ଭଡ଼ା ଘର ପାର୍କିଂ ନିକଟରେ ଏହିଭଳି ଧମକ ଦେଉଛନ୍ତି ସଂପୃକ୍ତ ଯୁବକ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ତେବେ ଭିଡିଓରୁ ଅନୁମାନ କରାଯାଉଛି ଯେ, ଯୁବକ ଜଣଙ୍କ ସଂପୃକ୍ତ ଯୁବତୀଙ୍କୁ ଭଲ ପାଉଥିଲେ । ହେଲେ ଯୁବତୀ ଜଣଙ୍କ ତାଙ୍କୁ ଧୋକା ଦେଇଛନ୍ତି । ଅନ୍ୟ ଜଣେ ଯୁବକଙ୍କ ସହ ସମ୍ପର୍କ ରଖିଛନ୍ତି । ଧରାପଡିଯିବା ପରେ ଯୁବତୀଙ୍କୁ ସଂପୃକ୍ତ ଯୁବକ ଜଣଙ୍କ ଏଭଳି ଧମକ ଦେଉଛନ୍ତି ।

କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି, ଦିନକୁ ଦିନ ନିଶା କାରବାର ବଢ଼ିବା ସହ ଏବେ ଖୁଲମଖୁଲା ବନ୍ଧୁକ ଧରି ବୁଲୁଛନ୍ତି ଯୁବକ । ବେଆଇନ ପିସ୍ତଲ ଦେଖାଇ ଭୟଭୀତ କରିବା ସହ ଆତଙ୍କ ଖେଳାଉଛନ୍ତି ଏମାନେ । ହେଲେ ଏସବୁ ବିଷୟରେ କେମିତି ଜାଣି ପାରୁନି ପୋଲିସ ।