ଟାଙ୍ଗୀ: ପବିତ୍ର ରଥଯାତ୍ରାରେ ଭକ୍ତଙ୍କ ଗହଣରେ ମାଉସୀ ମାଆ ଘରକୁ ଯିବାକୁ ଶ୍ରୀମନ୍ଦିର ବାହରକୁ ଚାଲିଆସନ୍ତି ଜଗତର ନାଥ ଜଗନ୍ନାଥ। ସାଙ୍ଗରେ ଆସିଥାନ୍ତି ଭଉଣୀ ସୁଭଦ୍ରା ଏବଂ ବଡ଼ ଠାକୁର ବଳଭଦ୍ର । ତିନିରଥରେ ବସି ପହଞ୍ଚିଥାନ୍ତି ମାଉସୀ ମା’ ଘରେ। ଆଉ ପ୍ରଭୁଙ୍କର ଏହି ଅନନ୍ୟ ଲୀଳା ଦେଖିବାକୁ କାହିଁ କେତେ ଦୂରରୁ ଛୁଟି ଆସିଥାନ୍ତି ଭକ୍ତି। ତେବେ ଏହି ପବିତ୍ର ଦିନରେ ଶ୍ରୀକ୍ଷେତ୍ରକୁ ଛାଡ଼ିଦେଲେ ଆହୁରି ଅନେକ ସ୍ଥାନରେ ମଧ୍ୟ ପାଳନ ହୋଇଥାଏ ଘୋଷଯାତ୍ରା। ଯାହାର ରହିଛି ସ୍ବତନ୍ତ୍ର ମାହାତ୍ମ୍ୟ। ଏହିଭଳି ଏକ ଅନନ୍ୟ ରଥଯାତ୍ରା ପାଳନ ହୁଏ ଖୋର୍ଦ୍ଧା ‘କାଙ୍କଣ ଶିଖରୀ ଧାମ’ରେ। ଏଠାରେ ନୌକାରେ ତିଆରି ରଥରେ ହୋଇଥାଏ ମହାପ୍ରଭୁଙ୍କ ରଥଯାତ୍ରା।

ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ୍ ଅଧୀନ ନଈରୀ ଗ୍ରାମର ଚିଲିକା କୂଳରେ ତଥା ଚିଲିକା ମଧ୍ୟରେ ଥିବା ଏକ କୁଦରେ ରହିଛି ଜଗନ୍ନାଥଙ୍କ ଲୀଳାକ୍ଷେତ୍ର ଭାବେ ପରିଚିତ ଏହ "କାଙ୍କଣ ଶିଖରୀ" ଧାମ । ସେହିଠାରେ ହିଁ ଆଜକୁ ଦୀର୍ଘ ବର୍ଷ ଧରି ଏଭଳି ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି । ସମଗ୍ର ବିଶ୍ବରେ ସବୁଠି ସ୍ଥଳ ପଥରେ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଏଠି ସମ୍ପୂର୍ଣ୍ଣ ଭିନ୍ନ ଅର୍ଥାତ ଜଳ ପଥରେ ହୋଇଥାଏ ରଥଯାତ୍ରା। ୩ଟି ନୌକାକୁ ଗୋଟିଏ ରଜ୍ଜୁରେ ବନ୍ଧା ଯିବା ପରେ ସେଥିରେ ନିର୍ମାଣ ହୋଇଥାଏ ରଥ । ଏହାର ନାଁ ମଧ୍ୟ ରହିଛି ନନ୍ଦିଘୋଷ , ତାଳଧ୍ୱଜ , ଦର୍ପଦଳନ। ସେହି ରଥରେ ବିରାଜମାନ କରିଥାନ୍ତି ମହାପ୍ରଭୁ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରା । ନୌକାରେ ତିଆରି ରଥରେ ବିଜେ ହେବା ପରେ ରଥଟଣା ହୋଇଥାଏ। ପୁରୀର ଜଗନ୍ନାଥଙ୍କ ରୀତିନୀତି ଅନୁସାରେ ସମସ୍ତ ନୀତିକାନ୍ତି ଅନୁଯାୟୀ ପାଳନ ହୋଇଥାଏ ଏହି ରଥଯାତ୍ରା ।

Also Read: ୪ ସେ.ମି. ଉଚ୍ଚତାରେ ତିନି ରଥ ଗଢ଼ିଲେ ଭଦ୍ରକ ଶିଳ୍ପୀ, ସାଉଁଟୁଛନ୍ତି ପ୍ରଶଂସା

ଆଉ ଏହି ରଥଯାତ୍ରା ପାଇଁ ଚିଲିକାର ନୀଳ ଜଳରାଶି ପାଲଟି ଯାଇଥାଏ ବଡ଼ଦାଣ୍ଡ ଏବଂ ଚିଲିକା ଢେଉରେ ମହାପ୍ରଭୁଙ୍କ ଅନୁଷ୍ଠିତ ହୋଇଥାଏ ବିରଳ ରଥଯାତ୍ରା। ଏହି ରଥକୁ ଟାଣିବାକୁ ଦଉଡ଼ିର ଆବଶ୍ୟକତା ନାହିଁ ବରଂ ଭାବରେ ବନ୍ଧା ଲୀଳାମୟ ଠାକୁର ଏବଂ ଶ୍ରଦ୍ଧାଳୁ-ଭକ୍ତଙ୍କ ଗହଣରେ ମହାପ୍ରଭୁଙ୍କ ହୋଇଥାଏ ଏହି ରଥଯାତ୍ରା । "କାଙ୍କଣ ଶିଖରୀ" କୁଦକୁ ପରିକ୍ରମା କରିବା ପରେ ଠାକୁର ପୁଣି ମନ୍ଦିରକୁ ଫେରିଥାନ୍ତି । ଘଣ୍ଟ-ଘଣ୍ଟା, କାହାଳୀ, ମୃଦଙ୍ଗ, ଝାଞ୍ଜ, କୀର୍ତ୍ତନ ସାଙ୍ଗକୁ ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଥାଏ ଗଗନ ପବନ। ଏହି ବିରଳ ରଥଯାତ୍ରା ଦେଖିବା ପାଇଁ ହଜାର ହଜାର ଭକ୍ତ- ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥାଏ ।