କୋଲକାତା ୨୭।୨: କେନ୍ଦ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର ଶୁକ୍ରବାର କୋଲକାତାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳ ଅଚାନକ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ତାହା ଭାଇରାଲ ହୋଇଯାଇଛି। ଭୂମିକମ୍ପ ହେଉଥିବା ବେଳେ କେନ୍ଦ୍ରମନ୍ତ୍ରୀଙ୍କୁ ସଭା ମଞ୍ଚରେ ଛିଡା ହୋଇଥିବା ଦେଖାଯାଉଛି। ଭୂମିକମ୍ପ ବେଳେ ଏପରି ଏକ ସମୟ ଆସିଲା ଯେତେବେଳେ କେନ୍ଦ୍ର ମନ୍ତ୍ରୀ ମୋତେ ଭାଷଣ ବନ୍ଦ କରିଦେବା ଦରକାର କି? ବୋଲି ପଚାରିଥିଲେ। ଭୂମିକମ୍ପ କାଳରେ ସଭା ସ୍ଥଳର ଆଲୋକ ସଜ୍ଜା ସବୁ ଝୁଲୁଥିବାର ଦେଖାଯାଇଛି।

ଶୁକ୍ରବାର ମଧ୍ୟାହ୍ନରେ ଅନୁଭୂତ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୫ ମପା ଯାଇଛି। ଭୂମିକମ୍ପ ଯୋଗୁ ଲୋକେ ଅଚାନକ ଆତଙ୍କିତ ହୋଇପଡିଥିଲେ। ଘର ଓ କାର୍ଯ୍ୟାଳୟରୁ ବାହାରକୁ ଦୌଡିଥିଲେ। ପାଣିପାଗ ବିଜ୍ଞାନ ବିଭାଗ ଅନୁସାରେ ଭୂମିକମ୍ପ ମଧ୍ୟାହ୍ନ ଗୋଟାଏ ୨୨ ମିନିଟ୍ ରେ ଅନୁଭୂତ ହୋଇଥିଲା ଓ ଏହାର କେନ୍ଦ୍ର ସ୍ଥଳ ବାଂଲାଦେଶ ନୂଆବଜାର ଅଞ୍ଚଳରେ ଥିଲା।

ରାଜ୍ୟ ସଚିବାଳୟ ନବନ୍ନାରେ ଭୂମିକମ୍ପ ଅନୁଭୂତ ହେବାରୁ କର୍ମଚାରୀ ବିଲ୍ଡିଂରୁ ତଳକୁ ଓହ୍ଲାଇ ଆସିଥିଲେ। ସଲ୍ଟଲେକ୍ ସ୍ଥିତ ସହରର ଆଇଟି ହବ ଓ ସହରର ଅନ୍ୟ ଅଞ୍ଚଳରେ ବହୁତଳ ଭବନ ସବୁ କମ୍ପି ଉଠିଥିଲା। ଲୋକେ ଭୟଭୀତ ହୋଇ ବାହାରକୁ ଚାଲି ଆସିଥିଲେ। ତେବେ କିଛି ସମୟ ପରେ କମ୍ପନ ସ୍ୱଭାବିକ ହେବା ପରେ ଲୋକେ ନିଜନିଜ ସ୍ଥାନକୁ ଫେରିଛନ୍ତି। ଭୂମିକମ୍ପ କ୍ଷୟକ୍ଷତି ନେଇ କୌଣସି ସୂଚନ ହସ୍ତଗତ ହୋଇନାହିଁ।

Also read..
ଭୂକମ୍ପର ଝଟ୍କାରେ ଥରିଲା କୋଲକାତା ମାଟି, ରିକ୍ଟର ସ୍କେଲରେ ତୀବ୍ରତା ୫.୪ ରେକର୍ଡ