ନୂଆଦିଲ୍ଲୀ: ସାମନ୍ୟ ବାଇକ୍ ଦୁର୍ଘଟଣା ପାଲଟିଗଲା ହିଂସକ ବିବାଦର କାରଣ। ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ଚାଲିଗଲା ବାପ- ପୁଅଙ୍କ ଜୀବନ। ଗୁରୁତର ଆହତ ଆଉ ଜଣେ ପୁଅ ଏବେ ଚିକିତ୍ସାଧୀନ। ଘଟଣା ଘଟିଛି ଉତ୍ତର ପ୍ରଦେଶ କାନପୁରରେ।

ସୂଚନା ଅନୁସାରେ, ରବିବାର ବିଳମ୍ବିତ ରାତିରେ ନୌବସ୍ତା ପୋଲିସ ଥାନା ଅଧୀନ ଯଶୋଦା ନଗର ବାଇପାସରେ ବୃନ୍ଦାବନ ଗେଷ୍ଟ ହାଉସ ନିକଟରେ ଘଟିଛି। ପୋଲିସ କହିଛି ଏକ ଆପାଚେ ବାଇକରେ ଜଣେ ବ୍ୟକ୍ତି ନିଜ ଦୁଇ ପୁଅଙ୍କ ସହ ଯାଉଥିଲେ। ମାତ୍ର ଗେଷ୍ଟ ହାଉସ ନିକଟରେ ସେମାନଙ୍କ ବାଇକ, ତିନି ଜଣ ଯୁବକ ବସି ଯାଉଥିବା ଆଉ ଏକ ବାଇକକୁ ଧକ୍କା ଦେଇଥିଲା। ଅବଶ୍ୟ ଏଥିରେ କାହାର କୌଣସି କ୍ଷତି ହୋଇନଥିଲା। ଏହାକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା। ହେଲେ ବିବାଦ ସଙ୍ଗେ ସଙ୍ଗେ ଆକ୍ରମଣରେ ପରିଣତ ହୋଇଥିଲା।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଅଭିଯୁକ୍ତମାନେ ପ୍ରଥମେ ବାପା ଏବଂ ତାଙ୍କ ଦୁଇ ପୁଅଙ୍କୁ ହେଲମେଟ ସହ ବିଧା- ଗୋଇଠା ମାରିଥିଲେ। ଆଉ ଏହା ପରେ ସେମାନେ ବିଚ୍ ରାସ୍ତାରେ ଛୁରାମାଡ଼ କରିଥିଲେ। ଏଥିରେ ବାପ- ପୁଅ ଘଟଣାସ୍ଥଳରେ ହିଁ ଟଳିପଡ଼ିଥିଲେ। ସେମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଥିଲେ। ହେଲେ ଅଭିଯୁକ୍ତମାନେ ସେମାନଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ। ଏମିତିରେ ଉତ୍ୟକ୍ତ ଲୋକେ ଅଭିଯୁକ୍ତଙ୍କୁ ଧରି ପୋଲିସର ଜିମା ଦେଇଥିଲେ। ଏହା ଭିତରେ ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଥିଲେ।

Also Read: କର୍ଣ୍ଣାଟକ ଭଟକଲ ନଦୀରେ ବୁଡ଼ି ୭ ମହିଳାଙ୍କ ସମେତ ୮ ମୃତ

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହାଲେଟ ହସ୍ପିଟାଲକୁ ନେଇଥିଲା। ଯେଉଁଠାରେ ଡାକ୍ତର ବାପା- ପୁଅଙ୍କୁ ମୃତ ଘୋଷଣା କରିଥିଲେ ଏବଂ ଗୁରୁତର ସାନପୁଅକୁ ଚିକିତ୍ସା ଆରମ୍ଭ ହୋଇଥିଲା। ମୃତକଙ୍କ ପରିଚୟ ଚକେରୀ କୋଇଲା ନଗରର ଶିବମ ବୋଲି ଜଣାପଡ଼ିଛି। ପୋଲିସର ସୂଚନା ଅନୁସାରେ, କିଦବଈ ନଗର ସ୍ଥିତ କନକ ମାର୍ବଲରେ ସେ କାମ କରୁଥିଲେ ଏବଂ କାମ ପରେ ଘରକୁ ଫେରୁଥିବା ସମୟରେ ଏଭଳି ଘଟିଛି। କାନପୁର ପୋଲିସ କମିଶନର କହିଛନ୍ତି ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଏଥିରୁ ଜଣେ ବ୍ଲିଙ୍କଇଟରେ କାମ କରୁଥିବା ବେଳେ ଅନ୍ୟ ଦୁଇ ଜଣ ବେରୋଜଗାର। ପୋଲିସ ଫେରାରଙ୍କୁ ଧରିବା ପାଇଁ ଟିମ ଗଠନ କରି ଯାଞ୍ଚ କରୁଛି।