ଭଟକଲ: କର୍ଣ୍ଣାଟକ ଉତ୍ତର କନ୍ନଡ ଜିଲ୍ଲାରେ ରବିବାର ନଦୀରେ ବୁଡି ୮ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ୭ ଜଣ ମହିଳା ଥିବା ଜଣାପଡିଛି। ଘଟଣା ଜଣାପଡିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ପୋଲିସ ସୂତ୍ର ଅନୁସାରେ ଲୋକେ ନଦୀରେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଛି। ନଦୀରେ ସୁଅ ଆସିବାରୁ ଲୋକେ ଭାସି ଯାଇଛନ୍ତି। ଦୁର୍ଘଟଣା ସୂଚନା ମିଳିବାମାତ୍ରେ ସ୍ଥାନୀୟ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ତୁରନ୍ତ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ। ଅଧିକାରୀଙ୍କ ଆଶଙ୍କା ନଦୀରେ ଭାସିଯାଇଥିବା ଲୋକଙ୍କ ସଂଖ୍ୟା ଅଧିକ ହୋଇପାରେ। ଏଣୁ ମୃତ୍ୟୁ ସଂଖ୍ୟା ବଢିପାରେ।

ଅଧିକାରୀଙ୍କ ଅନୁସାରେ ନଦୀରେ ଭାସିଯାଇଥିବା ଲୋକଙ୍କ ଉଦ୍ଧାର ନିମନ୍ତେ ଲଗାତାର ଉଦ୍ଧାର ଅଭିଯାନ ଜାରି ରହିଛି। ସ୍ଥାନୀୟ ବୁଡାଳୀ ଓ ବିପର୍ଯ୍ୟୟ ପ୍ରସମନ ଟିମ୍ ମଧ୍ୟ ଉଦ୍ଧାର ଅଭିଯାନରେ ନିୟୋଜିତ ହୋଇଛନ୍ତି। ପୋଲିସ ସୂଚନା ଅନୁସାରେ ଏ ପର୍ଯ୍ୟନ୍ତ ୮ ଜଣ ଲୋକଙ୍କ ଶବ ଉଦ୍ଧାର ହୋଇଛି ଓ ଆଉ କେତେକ ଲୋକ ନିଖୋଜ ଅଛନ୍ତି। ଏହି ଦୁର୍ଘଟଣା ହକ୍କାଲୁ ନଦୀରେ ଘଟିଛି। ଲୋକେ ଗାଧଉଥିବା ବେଳେ ଅଚାନକ ନଦୀରେ ସୁଅ ଆସିଯାଇଥିଲା। ଏଣୁ ଲୋକେ ଭାସି ଯାଇଛନ୍ତି ବୋଲି ପୋଲିସ ଅଧିକାରୀ କହିଛନ୍ତି।