ଅନୁଗୋଳ: ଘର ବାଡ଼ି ପଛ ପଟେ ଲୁଚିଥିଲା ବିରାଟ ଅଜଗର ସାପ । ଉଦ୍ଧାର କଲା ସ୍ନେକ ହେଲପଲାଇନ୍ । ଅନୁଗୋଳ ତାଳଚେର ସହରର କିଶୋରୀପାଳ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘର ବାଡ଼ିରୁ ଉଦ୍ଧାର ହୋଇଛି ଏହି ବିରାଟ ଅଜଗର ସାପ । ଏହାର ଲମ୍ବ ପ୍ରାୟ ୯ ଫୁଟ୍ ହୋଇଥିବା ବେଳେ, ସ୍ନେକ ହେଲପଲାଇନ୍ ସଦସ୍ୟ ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଛନ୍ତି।

ସୂଚନା ଅନୁସାରେ, କିଶୋରୀପାଳର ମୁକ୍ତିକାନ୍ତ ନାୟକ ବୁଧବାର ଦ୍ବିପ୍ରହରରେ ନିଜ ଘରର ବଗିଚା ସଫା କରୁଥିଲେ । ଏହି ସମୟରେ ବୁଦା ଭିତରେ ଏକ ଅଜଗର ସାପ ଶୋଇଥିବା ଦେଖିବାକୁ ପାଇଥିଲେ। ତେବେ ସଙ୍ଗେ ସଙ୍ଗେ ସେ ସାପଟିକୁ ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତର ପାଇଁ ସ୍ନେକ ହେଲ୍ପ ଲାଇନକୁ ଫୋନ୍ କରିଥିଲେ ।

ଖବର ପାଇ ଉଦ୍ଧାର କରିବା ପାଇଁ ସ୍ନେକ ହେଲ୍ପ ଲାଇନର ଦୁଇଜଣିଆ ଟିମ୍ ମୁକ୍ତିକାନ୍ତଙ୍କ ଘରେ ପହଞ୍ଚିଥିଲା । ସ୍ନେକ ହେଲ୍ପ ଲାଇନ ସଦସ୍ୟ ନୀହାରିକା ମହାପାତ୍ର ଏବଂ ବିଭୂତି ଭୂଷଣ ମହାପାତ୍ର ସତର୍କତାର ସହିତ ପ୍ରାୟ ୯ ଫୁଟ ଲମ୍ବର ଇଣ୍ଡିଆନ୍ ରକ୍ ପାଇଥନ ପ୍ରଜାତିର ଅଜଗର ସାପକୁ ଉଦ୍ଧାର ଆରମ୍ଭ କରିଥିଲେ ।

Also Read: ଜଟଣୀ-ସୁନ୍ଦରପଦା ରାସ୍ତାରେ ବାଘ ଆତଙ୍କ, ସତ କହିଲା ବନ ବିଭାଗ

ଉଦ୍ଧାର ସମୟରେ ପ୍ରଥମେ ବିଭୂତିଙ୍କ ହାତରେ ଅଜଗରଟି ଗୁଡ଼େଇ ହେଇଯାଇଥିଲା । ଏମିତିରେ ନିହାରିକା ବିଭୂତିଙ୍କ ହାତରୁ ଅଜଗରକୁ କାଢ଼ିବା ବେଳେ, ସାପଟି ତାଙ୍କ ହାତକୁ ମଧ୍ୟ ଗୁଡ଼େଇ ଦେଇଥିଲା । ଶେଷରେ ଉଭୟ ନିହାରିକା ଏବଂ ବିଭୂତି ମିଶି ଅଜଗରକୁ କୌଶଳ କରି ବ୍ୟାଗରେ ଭର୍ତ୍ତି କରିଥିଲେ । ତେବେ ଉଦ୍ଧାର ପରେ ଅଜଗରକୁ ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯାଇଛି ।