ଢେଙ୍କାନାଳ: ନଈ କୂଳରେ ଜଣେ ୨୮ ବର୍ଷୀୟା ଯୁବତୀଙ୍କୁ ଦୁଷ୍କର୍ମ ପରେ ବୀଭତ୍ସ ଭାବରେ ହତ୍ୟା ଉଦ୍ୟମ ଅଭିଯୋଗ। ଏହି ମାମଲାରେ ପୋଲିସ ତନାଘନା ଆରମ୍ଭ କରିଥିବା ବେଳେ, ଗୁରୁତର ମହିଳାଙ୍କୁ କଟକ ଏସସିବିରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣା ଏବେ ପୁଣି ରାଜ୍ୟରେ ଚର୍ଚ୍ଚାର କାରଣ ପାଲଟିଛି। ଘଟଣା ଘଟିଛି ଢେଙ୍କାନାଳ ଭାପୁର ଅଞ୍ଚଳରେ।

ସୂଚନା ଅନୁସାରେ, ଗତ ୨୭ ତାରିଖ ଦିନ ଦ୍ବିପ୍ରହରରେ ଭାପୁର ଅଞ୍ଚଳର ପୀଡ଼ିତା ନିଜ ଘର ପାଖ ସାପୁଆ ନଈକୁ ଗାଧୋଇବାକୁ ଯାଇଥିଲେ । ହେଲେ ସେଠାରେ କିଛି ଯୁବକ ତାଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ କରିବା ପରେ, ଧରାପଡ଼ିଯିବା ଭୟରେ ଅତି ନିର୍ମମ ଭାବରେ ଭାବେ ପଥରେ ଛେଚି ହତ୍ୟା ଉଦ୍ୟମ କରିଥିଲେ। ଯୁବତୀଙ୍କ ମୁହଁ ଆଖି ଓ ମୁଣ୍ଡକୁ ପଥରେ ଛେଚି ଦେଇଥିବା ବେଳେ, ମୁମୂର୍ଷୁ ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରି ପ୍ରଥମେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଯୋଗୁ ପୀଡ଼ିତାଙ୍କୁ କଟକ ଏସସିବିକୁ ସ୍ଥାନତାରିତ କରାଯାଇଛି। ଏବେ ପୀଡ଼ିତା କଟକ ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି।

Also Read: ଥାନା ହାଜତରେ ଅଭିଯୁକ୍ତର ଆତ୍ମହତ୍ୟା ଘଟଣା, ୩ ପୋଲିସ କର୍ମଚାରୀ ନିଲମ୍ବିତ

ସେପଟେ ଏହି ମାମଲାରେ ସ୍ଥାନୀୟ ଭାପୁର ଫାଣ୍ଡିରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ସଠିକ କାର୍ଯ୍ୟାନୁଷ୍ଠାନ ନେଇନଥିବା ଅଭିଯୋଗ କରିଛନ୍ତି। ଏପଟେ ଏପରି ଜଘନ୍ୟ କାଣ୍ଡରେ ଗ୍ରାମର ମହିଳାମାନେ ଭୟଭୀତ ହୋଇଥିବା ବେଳେ ଅଭିଯୁକ୍ତ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ମାମଲାରେ ଢେଙ୍କାନାଳ ଏସଡିପିଓ ରମେଶ ଚନ୍ଦ୍ର ଦୋରା ପ୍ରତିକ୍ରିୟା ରଖି କହିଛନ୍ତି, ‘ପୀଡ଼ିତା ଗାଧୋଇବାକୁ ଯାଇଥିବାବେଳେ ଘଟଣା ଘଟିଛି। ତାଙ୍କ ମୁହଁରେ ଓ ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି । ଦୁଷ୍କର୍ମ ହୋଇଛି କି ନାହିଁ ତାହା ତଦନ୍ତ ଓ ଡାକ୍ଚରୀ ରିପୋର୍ଟ ପରେ ଜଣାପଡ଼ିବ। ଦୋଷୀଙ୍କୁ ଧରିବାକୁ ୩ ଟି ଟିମ୍ ଗଠନ କରାଯାଇଛି । ଖୁବଶୀଘ୍ର ଦୋଷୀ ଧରାପଡ଼ିବେ।’