ନବରଙ୍ଗପୁର: ଡାବୁଗାଁ ଥାନା ହାଜତ ଭିତରେ ଗିରଫ ଯୁବକଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ। ଘଟଣାରେ ୩ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ୍ କରିଛନ୍ତି ଏସପି। ନିଲମ୍ବିତ ହୋଇଥିବା ପୋଲିସ କର୍ମଚାରୀଙ୍କ ମଧ୍ୟରେ ଅଛନ୍ତି ସବ୍ ଇନ୍ସପେକ୍ଟର ବିକ୍ରମ ସାହୁ, କନଷ୍ଟେବଲ କର୍ଣ୍ଣ ପୂଜାରୀ ଏବଂ ବୁଦୁରାମ ମାଝୀ । ଏମାନଙ୍କୁ କାର୍ଯ୍ୟରେ ଅବହେଳା ନେଇ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ନବରଙ୍ଗପୁର ଏସପି।

ସୂଚନାଥାଉକି, ମେଦେନା ପଞ୍ଚାୟତ ଅଞ୍ଚଳ ଗ୍ରାମର ଜଣେ ପୂର୍ଣ୍ଣ କଲାରଙ୍କୁ ଦୁଷ୍କର୍ମ ମାମଲାରେ ୨ ଦିନ ତଳେ ଡାବୁଗାଁ ପୋଲିସ ଗିରଫ କରିଥିଲା। ମଙ୍ଗଳବାର ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ମଧ୍ୟ ଶେଷ ହୋଇଥିଲା। ତେବେ ବୁଧବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବାକୁ ଥିବାବେଳେ, ମଙ୍ଗଳବାର ବିଳମ୍ବିତ ରାତିରେ ସେ ଚାଦରକୁ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ।

ଏହା ପରେ ମୃତ ଯୁବକ ପରିବାର ଲୋକ ଏବଂ ଶତାଧିକ ଗ୍ରାମବାସୀ ଡାବୁଗାଁ ଥାନା ସାମ୍ନାରେ ପ୍ରତିବାଦ କରିବା ସହ କ୍ଷତିପୂରଣ ଦାବି କରିଥିଲେ। ଫଳରେ ସେଠାରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା। ପରିବାର ଲୋକେ ଯୁବକଙ୍କୁ ପୋଲିସ ପିଟିପିଟି ମାରିଦେଇ ଆତ୍ମହତ୍ୟାର ରୂପ ଦେଇଥିବା ଅଭିଯୋଗ କରିଥିଲେ। ଏମିତିକି ଉତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ପୋଲିସ ଥାନା ଉପରକୁ ଉତ୍ୟକ୍ତ ଲୋକେ ଢେଲା ପଥର ଓ କାଚ ବୋତଲ ମାଡ଼ ମାରିଥିଲେ। ଏଥିରେ ଜଣେ ହୋମ ଗାର୍ଡ ଆହତ ହୋଇଛନ୍ତି।

ପରେ ପୋଲିସ ଉତ୍ୟକ୍ତ ଲୋକଙ୍କୁ ସେଠାରୁ ଘଉଡ଼ାଇ ଥିଲେ ଏବଂ ଘଟଣା ସ୍ଥଳରେ ପ୍ରଶାସନ ପକ୍ଷରୁ ଅତିରିକ୍ତ ଏସପି, ଉପଜିଲ୍ଲାପାଳ, ବିଜେଡି ନେତା ପ୍ରଦୀପ ମାଝୀ ଓ ମନୋହର ରନ୍ଧାରୀ, ଭୁଜବଳ ମାଝୀ ଲୋକଙ୍କ ସହ କଥା ହୋଇଥିଲେ ଏବଂ ବୁଝା ସୁଝା କରିଥିଲେ ପରେ ରାସ୍ତା ରୋକ ହଟିଥିଲା।

ଅନ୍ୟପଟେ ଘଟଣାକୁ ନେଇ ଉପଜିଲ୍ଲାପାଳ କହିଛନ୍ତି ହାଜତ ଭିତରେ ମୃତ୍ୟୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ଏବଂ ଯାହାର ଭୁଲ ଯୋଗୁ ଏହିଭଳି ଘଟଣା ଘଟିଛି ତାଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ପ୍ରକାଶ ମିଶ୍ର।

ତେବେ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି। ଥାନା ଭିତରେ ୨୪ ଘଣ୍ଟା ପୋଲିସ କର୍ମଚାରୀଙ୍କ ଉପସ୍ଥିତି ସତ୍ତ୍ୱେ ଜଣେ ଆସାମୀ କିଭଳି ଆତ୍ମହତ୍ୟା କଲେ? ତାହାକୁ ନେଇ ଏବେ ସନ୍ଦେହ ଘନୀଭୂତ ହେବାରେ ଲାଗିଛି। ତେବେ ଏହା ପଛରେ ପୁଲିସର ଅବହେଳା ରହିଛି ନା ଅନ୍ୟ କିଛି କାରଣ, ତାହା ଉଚ୍ଚସ୍ତରୀୟ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।