କଟରା: ଜମ୍ମୁ ଓ କାଶ୍ମୀରରେ ଥିବା ପ୍ରସିଦ୍ଧ ବୈଷ୍ଣୋଦେବୀ ମନ୍ଦିରରେ ହୋଇଥିବା ଏକ ବଡ଼ ଅନିୟମିତତା ଏବେ ସାମ୍ନାକୁ ଆସିଛି। ମନ୍ଦିର ବୋର୍ଡ ଦ୍ୱାରା ସରକାରୀ ଟଙ୍କାଶାଳକୁ ପଠାଯାଇଥିବା ୨୦ ଟନ ରୂପା ଆଭୂଷଣର ମାତ୍ରା ୫ରୁ୬ ପ୍ରତିଶତ ଅସଲି ବୋଲି ଜଣାପଡିଛି ବାକି ୯୫% ନକଲୀ।‘ଦି ଇକୋନମିକସ୍ ଟାଇମସ୍’ ରିପୋର୍ଟ ଅନୁସାରେ ୫୫୦ କୋଟି ଟଙ୍କାର ଅନୁମାନ କରାଯାଉଥିବା ରୂପା ଆଭୂଷଣରୁ ମାତ୍ର ୩୦ କୋଟି ଟଙ୍କାର ଅସଲି ଅଳଙ୍କାର ମିଳିଛି। ଏହି ଯାଞ୍ଚରୁ ଭକ୍ତ ମନ୍ଦିରରେ ମାଙ୍କୁ ଉପହାର ଦେଇଥିବା ରୂପା ଆଭୂଷଣରେ କାଡମିୟମ ଭଳି ଅନ୍ୟ ଧାତୁର ଉପସ୍ଥିତି ଥିବା ଜଣାପଡିଛି। କାଡମିୟମ ଏକ ବିଷାକ୍ତ ଓ କ୍ୟାନସରକାରକ ଧାତୂ।

ତଦନ୍ତ ଦାବି କଲା ସ୍ୱର୍ଣ୍ଣକାର ସଂଘ
ଯାଞ୍ଚରୁ ଏହା ଜଣାପଡିଛି ଯେ ଶ୍ରୀମାତା ବୈଷ୍ଣୋଦେବୀ ମନ୍ଦିରରେ ଭକ୍ତ ଚଢାଇଥିବା ଆଭୂଷଣର ସିଂହ ଭାଗ ବିଷାକ୍ତ ଧାତୁରେ ନିର୍ମିତ ହୋଇଥିଲା। କଟରା ଓ ଜମ୍ମୁ ପ୍ରାନ୍ତର ସ୍ୱର୍ଣ୍ଣାଳଙ୍କାର ବ୍ୟବସାୟୀ ସଂଘ ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିବା ବେଳେ ତଦନ୍ତର ନିଷ୍କର୍ଷ କୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ସଂଘ ବଜାରରେ କଡ଼ା ଯାଞ୍ଚ କରିବାକୁ ପ୍ରଶାସନକୁ ଅନୁରୋଧ କରିଛି।

ସାମ୍ନାକୁ ଆସିଛି ଏପରି ରିପୋର୍ଟ
ସ୍ୱର୍ଣ୍ଣକାର ସଂଘର ପଦାଧିକାରୀମାନେ କହିଛନ୍ତି ଯେ ମନ୍ଦିରରେ ଅର୍ପିତ ହେଉଥିବା ରୌପ୍ୟ ଆଭୂଷଣ ଓ ଧାର୍ମିକ ବସ୍ତୁରେ ନକଲୀ ଧାତୁ ମିଳିଥିବାର ଖବର ସାମ୍ନାକୁ ଆସିଛି। ପଦାଧିକାରୀ କହିଛନ୍ତି ଯେ କିଛି ଅଣ ପଞ୍ଜିକୃତ ବିକ୍ରେତା ଭକ୍ତଙ୍କୁ ସ୍ୱଳ୍ପ ମୂଲ୍ୟରେ ନକଲୀ ରୂପା ଉତ୍ପାଦ ବିକ୍ରି କରୁଥିବା ଆଶଙ୍କା କରାଯାଉଛି। ଏହା ଦ୍ୱାରା ନା କେବଳ ଭକ୍ତଙ୍କ ଧାର୍ମିକ ଭାବନା ଆହତ ହେଉଛି ବରଂ ସ୍ଥାନୀୟ ପଞ୍ଜିକୃତ ସ୍ୱର୍ଣ୍ଣକାର ସଂସ୍ଥା ମଧ୍ୟ ବଦନାମ ହୋଇଛନ୍ତି। ଏଣୁ ଭବିଷ୍ୟତରେ ଏପରି ଘଟଣା ରୋକିବା ପାଇଁ ସଂସ୍ଥା ଶ୍ରଦ୍ଧାଳୁଙ୍କୁ ନିବେଦନ କରିଛି ଯେ ମାଙ୍କୁ ଉପହାର ଦେବା ପାଇଁ କେବଳ ପଞ୍ଜିକୃତ ଡିଲରଙ୍କଠାରୁ ସାମଗ୍ରୀ କ୍ରୟ କରନ୍ତୁ ଓ ମନ୍ଦିରରେ ଅର୍ପଣ ପୂର୍ବରୁ କ୍ରୟ କରିଥିବା ସାମଗ୍ରୀର ଶୁଦ୍ଧତା ମଧ୍ୟ ଯାଞ୍ଚ କରାଇ ନିଅନ୍ତୁ। ଆସୋସିଏସନ ପ୍ରଶାସନ, ପୋଲିସ ଓ ସମ୍ବଦ୍ଧିତ ବିଭାଗଙ୍କୁ ବଜାର ନିରୀକ୍ଷଣ କରିବାକୁ ଓ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛି।