ନୂଆଦିଲ୍ଲୀ-;ପାକିସ୍ତାନରେ ପୁଣି ତେଜିଲା ରାଜନୈତିକ ଝଡ଼। ଗୋଟିଏ ପଟେ ଆତଙ୍କବାଦ ଓ ବିଗୁଡ଼ୁଥିବା ଆଇନଶୃଙ୍ଖଳାକୁ ନେଇ ଚିନ୍ତା, ଅନ୍ୟପଟେ ଜେଲରେ ବନ୍ଦୀ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥନରେ ଆନ୍ଦୋଳନ। ଏହି ରାଜନୈତିକ ଟଣାଓଟରା ମଧ୍ୟରେ ପାକିସ୍ତାନର ଖାଇବର ପଖ୍ତୁନଖ୍ୱା ପ୍ରଦେଶରେ ଘୋଷଣା ହୋଇଛି ଜରୁରୀକାଳୀନ ସ୍ଥିତି। ଏହା ସହିତ ଇମ୍ରାନ ଖାନଙ୍କ ଦଳ ପିଟିଆଇର ନିର୍ବାଚିତ ପ୍ରାଦେଶିକ ସରକାରର କ୍ଷମତା ମଧ୍ୟ ଶେଷ ହୋଇଛି। କାହିଁକି ନିଆଗଲା ଏତେ ବଡ଼ ନିଷ୍ପତ୍ତି? ଏହା ପଛରେ କେବଳ ସୁରକ୍ଷା ଚିନ୍ତା ନା ରହିଛି ରାଜନୈତିକ ଲଢ଼େଇ?

ପାକିସ୍ତାନରେ କ୍ଷମତାକୁ ନେଇ ସଂଘର୍ଷ ଏବେ ନୂଆ ମୋଡ଼ ନେଇଛି। ଅକ୍ଟୋବର ୧୧ ତାରିଖରେ ରାଷ୍ଟ୍ରପତି ଆସିଫ୍ ଅଲି ଜରଦାରୀ ଖାଇବର ପଖ୍ତୁନଖ୍ୱା ପ୍ରଦେଶରେ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସରକାରଙ୍କ ପରାମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ପଦକ୍ଷେପ ଫଳରେ ଇମ୍ରାନ ଖାନଙ୍କ ଦଳ ପାକିସ୍ତାନ ତେହରିକ୍-ଏ-ଇନସାଫ୍ ବା ପିଟିଆଇ ଦ୍ୱାରା ପରିଚାଳିତ ପ୍ରାଦେଶିକ ସରକାରର କ୍ଷମତା ସ୍ଥଗିତ ହୋଇଛି। ପୂର୍ବରୁ ଏହି ପ୍ରଦେଶରେ ପିଟିଆଇର ଶାସନ ଥିଲା। ଏବେ ପ୍ରଶାସନର ଦାୟିତ୍ୱ ରାଜ୍ୟପାଳ ଫୈସଲ କରିମ କୁଣ୍ଡିଙ୍କ ହାତକୁ ଯାଇଛି। ତାଙ୍କୁ ସହଯୋଗ କରିବା ପାଇଁ ୧୧ ଜଣିଆ ପରାମର୍ଶଦାତା ପରିଷଦ ଗଠନ କରାଯାଇଛି।ଏହି ପଦକ୍ଷେପ ପଛରେ ରହିଛି ସୁରକ୍ଷାକୁ ନେଇ ବଡ଼ ବିବାଦ। ଯଦି ଆମେ ଦେଖିବା ତେବେ ଖାଇବର ପଖ୍ତୁନଖ୍ୱା ପ୍ରଦେଶର ସୀମା ଆଫଗାନିସ୍ତାନ ସହ ଲାଗିଛି।

ଏହି ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ ଓ ସୁରକ୍ଷାକର୍ମୀଙ୍କ ଉପରେ ହିଂସା ଘଟଣାକୁ ନେଇ ପାକିସ୍ତାନ ସରକାର ଚିନ୍ତା ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାରଙ୍କ ଅଭିଯୋଗ, ଆତଙ୍କବାଦ ମୁକାବିଲାରେ ପ୍ରାଦେଶିକ ସରକାର ଅର୍ଥାତ ରାଜ୍ୟ ସରକାର ଆବଶ୍ୟକ ସହଯୋଗ କରୁନଥିଲେ। ଏହା ଫଳରେ ସୁରକ୍ଷା ପରିସ୍ଥିତି ଅଧିକ ଜଟିଳ ହୋଇଥିବା ସରକାର କହିଛନ୍ତି। ଏହି କାରଣ ଦର୍ଶାଇ ପାକିସ୍ତାନ ସମ୍ବିଧାନର ଧାରା ୨୩୨ ଓ ୨୩୪ ଅନୁଯାୟୀ ଜରୁରୀକାଳୀନ ସ୍ଥିତି ଏବଂ ରାଜ୍ୟପାଳ ଶାସନ ଲାଗୁ କରାଯାଇଛି। ଏହା ଅନୁଯାୟୀ ପ୍ରଦେଶର ପ୍ରଶାସନିକ କ୍ଷମତା କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣକୁ ଯାଇଛି।ଖାଇବର ପଖ୍ତୁନଖ୍ୱା କେବଳ ଏକ ପ୍ରଦେଶ ନୁହେଁ, ଏହା ଇମ୍ରାନ ଖାନଙ୍କ ପିଟିଆଇର ଏକ ପ୍ରମୁଖ ରାଜନୈତିକ ଗଡ଼। ୨୦୨୪ ନିର୍ବାଚନ ପରେ ମଧ୍ୟ ଏଠାରେ ଦଳର ପ୍ରଭାବ ରହିଥିଲା।

ତେଣୁ ଏହି ସରକାରର କ୍ଷମତା ସ୍ଥଗିତ ହେବାକୁ ଦଳ ପାଇଁ ଏକ ବଡ଼ ରାଜନୈତିକ ଝଟକା ଭାବେ ଦେଖାଯାଉଛି। ଅନ୍ୟପଟେ ଇମ୍ରାନ ଖାନ ୨୦୨୩ ମସିହାରୁ ଜେଲରେ ଅଛନ୍ତି। ତାଙ୍କ ମୁକ୍ତି ଦାବିରେ ପିଟିଆଇ ସମର୍ଥକମାନେ ଆନ୍ଦୋଳନ ଚଳାଇଛନ୍ତି। ଇସଲାମାବାଦ ଅଭିମୁଖେ ପ୍ରତିବାଦ ମାର୍ଚ୍ଚ କରିବାକୁ ମଧ୍ୟ ଦଳ ପକ୍ଷରୁ ଯୋଜନା କରାଯାଇଥିଲା। ଏହି ସମୟରେ ଜରୁରୀକାଳୀନ ସ୍ଥିତି ଘୋଷଣା ହେବା ରାଜନୈତିକ ବିବାଦକୁ ଆହୁରି ବଢ଼ାଇଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ପିଟିଆଇ ବିରୋଧ କରିଛି। ଦଳର କହିବା ଅନୁସାରେ, ଆତଙ୍କବାଦ ନିୟନ୍ତ୍ରଣ ନାଁରେ ନିର୍ବାଚିତ ସରକାରର କ୍ଷମତା ଛଡ଼ାଇ ନିଆଯାଇଛି। ଏହା ପ୍ରାଦେଶିକ ସ୍ୱାୟତ୍ତତା ଓ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ଆଘାତ ବୋଲି ଦଳ ଅଭିଯୋଗ କରିଛି।

READ ALSO - ପାକିସ୍ତାନୀ କୋଷ୍ଟ ଗାର୍ଡ୍ ଜାହାଜ ଉପରେ ବଡ଼ ଆକ୍ରମଣ, ୧୩ କମାଣ୍ଡୋ ନିହତ !

ଅନ୍ୟପଟେ, କେନ୍ଦ୍ର ସରକାର ଏହି ପଦକ୍ଷେପକୁ ସୁରକ୍ଷା ଓ ଆଇନଶୃଙ୍ଖଳା ସହ ଜଡ଼ିତ ବୋଲି କହୁଛନ୍ତି। ତେଣୁ ଏହି ବିବାଦର ଗୋଟିଏ ପଟେ ରହିଛି ଆତଙ୍କବାଦ ନିୟନ୍ତ୍ରଣର ଯୁକ୍ତି, ଅନ୍ୟପଟେ ରହିଛି ନିର୍ବାଚିତ ସରକାରର ଅଧିକାର ଓ ରାଜ୍ୟର ନିଜସ୍ୱ ଶାସନ ବ୍ୟବସ୍ଥାର ପ୍ରଶ୍ନ।ଏବେ ଖାଇବର ପଖ୍ତୁନଖ୍ୱାରେ ପ୍ରଶାସନିକ ନିୟନ୍ତ୍ରଣ କେନ୍ଦ୍ର ସରକାରଙ୍କ ହାତକୁ ଯାଇଛି। ଆଇନଶୃଙ୍ଖଳା ରକ୍ଷା ପାଇଁ ସେନାକୁ ମଧ୍ୟ ସହଯୋଗ କରିବାକୁ କୁହାଯାଇଛି। ଏହି ପଦକ୍ଷେପକୁ ପାକିସ୍ତାନର ସଂସଦୀୟ ଅନୁମୋଦନ ମଧ୍ୟ ଆବଶ୍ୟକ। ଅନ୍ୟପଟେ, ପିଟିଆଇ ଏହି ନିଷ୍ପତ୍ତି ବିରୋଧରେ ଆଇନଗତ ଓ ରାଜନୈତିକ ଲଢ଼େଇ ଜାରି ରଖିବାକୁ କହିଛି। ତେଣୁ ଆଗାମୀ ଦିନରେ ପାକିସ୍ତାନରେ ଆନ୍ଦୋଳନ, ସରକାରୀ ପଦକ୍ଷେପ ଏବଂ ସାମ୍ବିଧାନିକ ଲଢ଼େଇ ଉପରେ ସମସ୍ତଙ୍କ ନଜର ରହିବ।