ଇସ୍ଲାମାବାଦ: ପାକିସ୍ତାନୀ ସେନାର ଏକ ବିମାନ ବୈଷୟିକ ତ୍ରୁଟି ଯୋଗୁ ସୋମବାର ଟ୍ରେନିଂ କାଳରେ ଦୁର୍ଘଟଣାର ଶିକାର ହୋଇଛି। ଫଳରେ ବିମାନରେ ଥିବା ୨ ଜଣ ପାଇଲଟ ପ୍ରାଣ ହରାଇଛନ୍ତି। ଏହି ଘଟଣା ବଲୁଚିସ୍ତାନ ରାଜଧାନୀ କ୍ୱେଟା ନିକଟରେ ଘଟିଛି। ଏ ସମ୍ପର୍କରେ ସେନା ଗଣମାଧ୍ୟମକୁ ସୂଚନା ଦେଇ କହିଛି ଯେ ମଧ୍ୟାହ୍ନ ସମୟରେ ପାକିସ୍ତାନ ଆର୍ମି ଏଭିଏସନର ଏକ ମୁଶ୍ଶକ ବିମାନ କ୍ୱେଟାର ନବାଂ କିଲ୍ଲୀ ନିକଟରେ କ୍ରାସ ହୋଇ ଯାଇଛି।

ଏ ନେଇ ଜାରି ବୟାନରେ ଏହି ଦୁର୍ଭାଗ୍ୟପୂର୍ଣ୍ଣ ଦୁର୍ଘଟଣାରେ ପାଇଲଟଙ୍କ ଇନଷ୍ଟ୍ରକ୍ଟର ମେଜର ହସନୈନ ଶାହଜାଦ ହୁମୟୁଁ ଓ ଷ୍ଟୁଡେଣ୍ଟ କ୍ୟାପ୍ଟେନ ଅବଦୁଲ ସମଦଙ୍କ ମୃତ୍ୟୁ ହୋଇଛି। ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ ଓ ପ୍ରଧାନମନ୍ତ୍ରୀ ଶବାଜ ସରିଫ ପାଇଲଟଙ୍କ ମୃତ୍ୟୁରେ ଶୋକ ପ୍ରକଟ କରିଛନ୍ତି। ଏହା ପୂର୍ବରୁ ଜୁନ ମାସରେ ପାକ୍ ଅଧିକୃତ କାଶ୍ମୀରର ମୁଜଫରାବାଦ ପାକିସ୍ତାନ ଆର୍ମି ଏଭିଏସନର ଏକ ଏମଆଇ-୧୭ ହେଲିକପ୍ଟର କ୍ରାସ ହୋଇଯାଇଥିଲା। ଏଥିରେ ଥିବା ସମସ୍ତ ଯାତ୍ରୀ ପ୍ରାଣ ହରାଇଥିଲେ।