ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧ ଲଗାତାର ଆର୍ଥିକ ଏବଂ ମାନବୀୟ କ୍ଷତି ପହଞ୍ଚାଉଛି । ଉର୍ଜା ସୁରକ୍ଷା ନେଇ ଉଭୟ ପକ୍ଷ ସହମତି ଦେଇଥିଲେ ବି ଆକ୍ରମଣ ଥମିବାର ନାଁ ଧରୁନାହିଁ । ସୋମବାର ରୁଷିଆରେ ଟେକ୍ ଜାଏଣ୍ଟ ୟାଣ୍ଡେକ୍ସର ଏକ ଡାଟା ସେଣ୍ଟର ଉପରେ ଡ୍ରୋନ୍ ଆକ୍ରମଣ କରାଯାଇଛି । ଏହି ଆକ୍ରମଣ ପରେ ରୁଷିଆରେ ଡିଜିଟାଲ୍ ସେବା ପ୍ରଭାବିତ ହୋଇଛି ।

ବିବିସିର ରିପୋର୍ଟ ଅନୁଯାୟୀ, ୟୁକ୍ରେନର ଏହି ଆକ୍ରମଣ ଯୋଗୁ ୟାଣ୍ଡେକ୍ସର ଭ୍ଲାଦିମିର ଡାଟା ସେଣ୍ଟର କ୍ଷତିଗ୍ରସ୍ତ ହୋଇଛି । ଗୋଟିଏ ସପ୍ତାହ ଭିତରେ ୟାଣ୍ଡେକ୍ସ ଉପରେ ତୃତୀୟ ଆକ୍ରମଣ ପରେ ଏଠାରେ କାମ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଉଲ୍ଲେଖଯୋଗ୍ୟ ଯେ ରୁଷର ଟେକ୍ ଜାଏଣ୍ଟ ୟାଣ୍ଡେକ୍ସର ପାଞ୍ଚଟି ବୃହତ ଡାଟା ସେଣ୍ଟର ମଧ୍ୟରୁ ଆକ୍ରମଣର ଶିକାର ହୋଇଥିବା ଏହା ହେଉଛି ତୃତୀୟ ଡାଟା ସେଣ୍ଟର । ମିଳିଥିବା ସୂଚନା ଅନୁଯାୟୀ, ଏହି ଆକ୍ରମଣରେ କେହି ମଧ୍ୟ ଆହତ ହୋଇନାହାନ୍ତି କିନ୍ତୁ ଏହାର କେତେକ ସେବା ଏବେ ବି କାର୍ଯ୍ୟକାରୀ ହୋଇନାହିଁ ।

ଆକ୍ରମଣ ପରେ କମ୍ପାନି ପକ୍ଷରୁ କୁହାଯାଇଛି, "ୟାଣ୍ଡେକ୍ସ କ୍ଲାଉଡ୍ ଜୋନଗୁଡ଼ିକ ଉପଲବ୍ଧ ନାହିଁ" ଏବଂ "ପ୍ଲାଟଫର୍ମ" ସୀମିତ ମୋଡ଼ରେ କାର୍ଯ୍ୟ ଜାରି ରଖିଛି ।" ଡ୍ରୋନ୍ ଆକ୍ରମଣର ଶିକାର ହୋଇଥିବା ଅନ୍ୟ ଡାଟା ସେଣ୍ଟରଗୁଡ଼ିକ ମଧ୍ୟରେ ସାସୋଭୋ (Sasovo) ସ୍ଥିତ ୟାଣ୍ଡେକ୍ସ ଡିସି ଏବଂ କାଲୁଗା (Kaluga) ସ୍ଥିତ କମ୍ପାନିର ଡାଟା ସେଣ୍ଟର ରହିଛି । ସାସୋଭା ଉପରେ ଗୁରୁବାର ଏବଂ କାଲୁଗା ଉପରେ ଶୁକ୍ରବାର ଆକ୍ରମଣ ହୋଇଥିଲା । ଉଲ୍ଲେଖଯୋଗ୍ୟ, ୟାଣ୍ଡେକ୍ସର ତିନୋଟି ସୁପରକମ୍ପ୍ୟୁଟର ମଧ୍ୟରୁ ସାସୋଭୋ ଡାଟା ସେଣ୍ଟରରେ ଦୁଇଟି ରହିଛି ।

Also Read: ଭୟରେ କିମ୍ ଜଙ୍ଗ୍ ! ସବୁଠୁ ଭୟଙ୍କର ମିସାଇଲର ପରୀକ୍ଷଣ କଲା ଦକ୍ଷିଣ କୋରିଆ

ତୃତୀୟ ଆକ୍ରମଣ ପରେ ଏକ୍ସ ପୋଷ୍ଟରେ ୟାଣ୍ଡେକ୍ସ ପକ୍ଷରୁ କୁହାଯାଇଛି ଯେ ଭ୍ଲାଦିମିର ଡାଟା ସେଣ୍ଟରରେ ଏହାର ସେବାଗୁଡ଼ିକ ପରିଚାଳିତ ହେଉଥିଲା । କିନ୍ତୁ ଆକ୍ରମଣ ପରେ ଅନେକ ନିଜର ବାଲାନ୍ସ ଯାଞ୍ଚ କରିପାରିବେ ନାହିଁ, କୌଣସି ପୈଠ କରିପାରିବେ ନାହିଁ, କିମ୍ବା ଟଙ୍କା ଟ୍ରାନ୍ସଫର କରିପାରିବେ ନାହିଁ ।

କମ୍ପାନି ଆହୁରି କହିଛି, "ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆପଣଙ୍କ ସମସ୍ତ ଟଙ୍କା ସୁରକ୍ଷିତ ଅଛି । ଟଙ୍କା ନିଜେ ଡାଟା ସେଣ୍ଟରରେ ସଂରକ୍ଷିତ ହୋଇ ରହେ ନାହିଁ । ସେଠାରେ କେବଳ ସର୍ଭରଗୁଡ଼ିକ ଥାଏ, ଯାହା ସେବାଗୁଡ଼ିକର ପରିଚାଳନାକୁ ସୁନିଶ୍ଚିତ କରିଥାଏ । ପ୍ରତ୍ୟେକ ଆକାଉଣ୍ଟର ରେକର୍ଡ ବିଭିନ୍ନ ପ୍ଲାଟଫର୍ମରେ ଏକାଧିକ କପି ଆକାରରେ ସଂରକ୍ଷିତ ହୋଇଥାଏ । ଆମେ ସେଗୁଡ଼ିକର ସୁରକ୍ଷା ଯାଞ୍ଚ କରିଛୁ । ଗୋଟିଏ ବି ରେକର୍ଡ ହଜିନାହିଁ ।"