ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ସ୍ଥଗିତ ରହିବା ଏକ ନୂଆ ଇତିହାସ ରଚିଛି। ଅଗଷ୍ଟ ୧୩ ତାରିଖ ଦିନ ସଂସଦର ଉଭୟ ସଦନ ସ୍ଥଗିତ ଘୋଷଣା ପରେ ବିନା ସତ୍ରାବସନାରେ ୮୮ ଦିନ ବିତିଲାଣି। ଫଳରେ ୨୦୦୮ ମସିହାର ୮୭ ଦିନର ରେକର୍ଡ ଭାଙ୍ଗିଛି। ଏହି ଅପ୍ରତ୍ୟାସୀତ ନିରନ୍ତରତା ଯୋଗୁ ରାଜନୈତିକ ଅଳିନ୍ଦରେ ଫୁସରଫାସର ମଧ୍ୟ ଆରମ୍ଭ ହୋଇଗଲାଣି। ଏବେ ସମସ୍ତେ ଏ ନେଇ ଚିନ୍ତିତ ଯେ ପର୍ଦ୍ଦା ପଛରେ ଚାଲିଛି କ’ଣ? ୯ ନଭେମ୍ବର ସୋମବାର ସକାଳ ସୁଦ୍ଧା ନା ତ ଲୋକସଭା ନା ରାଜ୍ୟସଭା ଔପଚାରିକ ରୂପେ ପ୍ରୋରୋଗ (ସତ୍ରାବସାନ) ଘୋଷଣା ହୋଇନି। ଏଣୁ ଜାରି ଅଧିବେଶନରେ ଆଗାମୀ ବୈଠକ କେବେବି ଆହ୍ୱାନ କରାଯିବାର ଆଶଙ୍କା ଲାଗି ରହିଛି।

ଏହି ଅସାଧାରଣ ବିଳମ୍ବ ପଛରେ ଏକ ବଡ଼ ରାଜନୈତିକ ଗଣିତ ଲୁଚି ରହିଥିବାର ମନେ କରାଯାଉଛି। ଏଥିରେ ସବୁଠୁ ବଡ଼ ଚର୍ଚ୍ଚା ମହିଳା ସଂରକ୍ଷଣ ବିଧେୟକ ସମ୍ପର୍କିତ ସାମ୍ବିଧାନିକ ସଂଶୋଧନକୁ ନେଇ ହେଉଛି। ଏଥିରେ ଲୋକସଭା ଆସନ ସଂଖ୍ୟାକୁ ୫୪୩ରୁ ବଢାଇ ସର୍ବାଧିକ ୮୫୦ ପର୍ଯ୍ୟନ୍ତ କରିବାକୁ ପ୍ରାବଧାନ ରହିଛି। ଯଦି ସରକାର ଏହି ଅଧିବେଶନରେ କୌଣସି ବିଶେଷ ଅଥବା ସମ୍ପ୍ରସାରିତ ବୈଠକ ଆହ୍ୱାନ କରନ୍ତି ତେବେ ଏଥି ପାଇଁ ମାତ୍ର ୨ ଦିନର ନୋଟିସ୍ ପର୍ଯ୍ୟାପ୍ତ। ନୂଆ ଅଧିବେଶନରେ ଏଥି ପାଇଁ ୧୪ ଦିନ ସମୟ ଲାଗିବ। ଏପ୍ରିଲ ମାସର ବଜେଟ୍ ଅଧିବେଶନରେ ଏପରି ଏକ ସଂଶୋଧନ ଲୋକସଭାରେ ଜରୁରି ସଂଖ୍ୟାମତ ପ୍ରାପ୍ତ କରିପାରିନଥିଲା। ଏହା ପରଠାରୁ ଏହି ରଣନୀତି ଉପରେ ଖାସ ନଜର ଲାଗି ରହିଛି।

ସାମ୍ବିଧାନିକ ପ୍ରାବଧାନ ଅନୁସାରେ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ସ୍ଥଗନ ପରେ ଅଧିବେଶନକୁ ସମାପ୍ତ କରିବା ପାଇଁ କୌଣସି ନିଶ୍ଚିତ ସମୟ ସୀମା ନିର୍ଦ୍ଧାରଣ କରାଯାଇ ନାହିଁ। ଏଣୁ ଏତେ ସମୟ ପର୍ଯ୍ୟନ୍ତ ସତ୍ରାବସାନ ନ ହେବା କୌଣସି ପ୍ରକାରର ଅସାମ୍ବିଧାନିକ ଅଥବା ପ୍ରକ୍ରିୟାଗତ ଅନିୟମିତତା ନୁହେଁ। ଇତିହାସ ଉପରେ ନଜର ପକାଇଲେ ଏହା ପୂର୍ବରୁ ୨୦୦୮ ମସିହାରେ ୮୭ ଦିନ, ୧୯୮୭ରେ ୭୬ ଦିନ ଓ ୧୯୮୯ରେ ୫୪ ଦିନ ପର୍ଯ୍ୟନ୍ତ ସଂସଦ ସତ୍ରାବସାନ ହୋଇ ନଥିଲା। ତେବେ ସରକାରଙ୍କ ଏହି ପଦକ୍ଷେପ ସଂସଦର ଅଳ୍ପ ସୂଚନା ଉପରେ ପୁଣି ଆରମ୍ଭ ହେବାର ସମ୍ଭାବନାକୁ ଜୀବନ୍ତ ରଖୁଛି। ଦେଶର ନଜର ଏବେ ଏହି କଥା ଉପରେ ରହିଛି ଯେ ସରକାର ଏହି ସମ୍ପ୍ରସାରିତ ଅଧିବେଶନ ମାଧ୍ୟମରେ କୌଣସି ବଡ଼ ବିଧାୟୀ ଅଥବା ନୀତିଗତ ନିଷ୍ପତ୍ତିକୁ ଅମଳି ଜାମା ପିନ୍ଧାଇବାର ବିଚାର କରୁଛନ୍ତି କି?