ପ୍ରୟାଗରାଜ, ୦୬/୦୯ : ଉତ୍ତରପ୍ରଦେଶର ସାହାରନପୁର ଜିଲ୍ଲାପାଳ ଅଫିସ ପରିସରରେ ଥିବା ୭୦ ବର୍ଷର ପୁରୁଣା ମସଜିଦକୁ ଶନିବାର ବୁଲଡୋଜର ମାଧ୍ୟମରେ ଭାଙ୍ଗି ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ସେଠାରେ ୫ କମ୍ପାନୀ ପିଏସି, ଆରଏଏଫ୍ ଏବଂ ପୁଲିସର ୨୦୦ ଯବାନ ମୁତୟନ ହୋଇଥିଲେ। ସନ୍ଧ୍ୟାରେ ଆବର୍ଜନା ହଟାଇବା କାମ ହୋଇଥିଲା।

ମସଜିଦ୍ ହଟାଇବା ଲାଗି ଜିଲ୍ଲାପାଳଙ୍କ ପକ୍ଷରୁ ଆଦେଶ ଜାରି ହୋଇଥିଲା । ଉତ୍ତରପ୍ରଦେଶର ଏକ କୋର୍ଟ ମଧ୍ୟ ଉକ୍ତ ମସଜିଦକୁ ଅବୈଧ କହିଥିଲେ। ମସଜିଦ ଭଙ୍ଗାଯିବାକୁ ଥିବା ଜଣାପଡ଼ିବା ପରେ ଶୁକ୍ରବାର ରାତିରେ ବହୁ ସଂଖ୍ୟାରେ ଲୋକ ସେଠାରେ ଜମା ହୋଇଥିଲେ । ପ୍ରଶାସନ ପକ୍ଷରୁ ସେଠାରେ ପୁଲିସ ଏବଂ ଅନ୍ୟ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଥିଲା I ମସଜିଦ୍ ଭଙ୍ଗାଯିବା ବେଳେ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।

ୟୁପିର କାଇରାନା ସାଂସଦ ଏହାକୁ ବିରୋଧ କରିଥିଲେ। ପରେ ପୁଲିସ ତାଙ୍କୁ ଗୃହବନ୍ଦୀ କରିଥିଲା। ସେହିପରି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ମସଜିଦ୍ ଭଙ୍ଗାଯିବାକୁ ବିରୋଧ କରିଛନ୍ତି। ଜଣେ ସଚ୍ଚୋଟ ହିନ୍ଦୁ କେବେ ଅନ୍ୟ ଧର୍ମକୁ ଅପମାନିତ କରିପାରିବନି ବୋଲି ସେ କହିଛନ୍ତି। ଏଆଇଏମଆଇଏମ୍ ମୁଖ୍ୟ ଅସଦର୍ଦ୍ଦିନ୍ ଓୱେସୀ କହିଛନ୍ତି, କ’ଣ ଏବେ ମୁସଲମାନଙ୍କ ଧାର୍ମିକ ସ୍ବାଧୀନତାର ଅଧିକାର ଶେଷ ହୋଇଯାଇଛି ? ମନଗଢ଼ା କାହାଣୀ କହି ମୁସଲମାନଙ୍କ ଧାର୍ମିକ ସ୍ଥଳଗୁଡ଼ିକୁ କାହିଁକି ନଷ୍ଟ କରାଯାଉଛି ?

Also Read :- ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ପଞ୍ଚାୟତ ନିର୍ବାଚନ: ରାଜ୍ୟ ନିର୍ବାଚନ କମିଶନର

ପ୍ରକାଶଥାଉ କି, ମସଜିଦ୍ ବେଆଇନ ଭାବେ ବନାଯାଇଥିବା ଏବଂ ତାହାକୁ ଧାର୍ମିକସ୍ଥଳ ସହ ବାଣିଜ୍ୟିକ ଉଦ୍ଦେଶ୍ୟରେ ମଧ୍ୟ ବ୍ୟବହାର ହେଉଥିବା ଅଭିଯୋଗ ଆସିଥିଲା। ପରେ ମସଜିଦ ଭଙ୍ଗାଯିବାକୁ ନେଇ ଜିଲ୍ଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା। ଏହାକୁ ବିରୋଧ କରି ମୁସଲିମ୍ ପକ୍ଷ ଜିଲ୍ଲା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ଜିଲ୍ଲା ଜଜ୍ ଏହି ଆବେଦନକୁ ଖାରଜ କରି ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶକୁ କାଏମ ରଖିଥିଲେ। କୋର୍ଟ କହିଥିଲେ, ସରକାରୀ ଜମିକୁ ବେଆଇନ ଭାବେ ଦଖଲ କରାଯାଇ ମସଜିଦ୍ ବନାଯାଇଛି।