ଟାଙ୍ଗୀ: ନିଶା କାରବାର ବିରୋଧରେ ଟାଙ୍ଗୀ ଅବକାରୀ ବିଭାଗର ବଡ଼ ଧରଣର ଆକ୍ସନ । ଚଢ଼ାଉ କରି ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଜବତ ବ୍ରାଉନ ସୁଗାରର ଆନୁମାନିକ ବଜାର ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଟାଙ୍ଗୀ ଅବକାରୀ ଉପ- ନିରୀକ୍ଷକ ରାଜେନ୍ଦ୍ର କୁମାର ସିଂହଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର ଥାନା ଅନ୍ତର୍ଗତ ସାନଗୋବିନ୍ଦପୁର ଗ୍ରାମ ରାସ୍ତାରେ ପାଟ୍ରୋଲିଂ କରୁଥିଲା।

ତେବେ ପାଟ୍ରୋଲିଂ ବା ସମୟରେ ଅବକାରୀ ଟିମ୍ ମା' ଗୁରେଇ ମନ୍ଦିର ନିକଟରେ ଜଣେ ବ୍ୟକ୍ତିଙ୍କ ଗତିବିଧି ଉପରେ ସନ୍ଦେହ ହେବାରୁ ତାଙ୍କୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ତାଙ୍କ ନିକଟରୁ ୩୪ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିଲା। ଗିରଫ ଅଭିଯୁକ୍ତ ପୁରୀ ଜିଲ୍ଲା ଗୋଡ଼ିଶାଗଡ଼ା ଥାନା ଅନ୍ତର୍ଗତ ବାଲିପଡ଼ା ଗ୍ରାମର ଅବିନାଶ ଛୋଟରାୟ। ଗିରଫ ଅଭିଯୁକ୍ତଙ୍କୁ ଆଇନଗତ ପ୍ରକ୍ରିୟା ଅନୁସାରେ ଅଦାଲତକୁ ପଠାଯାଇଛି।

ଅବକାରୀ ଅଧୀକ୍ଷକ ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ଏବଂ ଟାଙ୍ଗୀ ଅବକାରୀ ନିରୀକ୍ଷକ ଅଜିତ କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ଏହି ଚଢ଼ାଉ କରାଯାଇଥିଲା।