ଭୁବନେଶ୍ୱର: ୧୯ତମ ଅର୍ବାନ୍ ମୋବିଲିଟି ଇଣ୍ଡିଆ (UMI) କନ୍‌ଫରେନ୍ସ ଆଣ୍ଡ ଏକ୍ସପୋ ୨୦୨୬ରେ ଓଡ଼ିଶା ତିନୋଟି ପୁରସ୍କାର ହାସଲ କରିଛି । ଏହି ସଫଳତା ରାଜ୍ୟର ସହରାଞ୍ଚଳ ପରିବହନ ବ୍ୟବସ୍ଥାର ବିକାଶ ଓ ସ୍ଥାୟୀ ଗମନାଗମନ ଦିଗରେ ନିଆଯାଇଥିବା ପଦକ୍ଷେପକୁ ଜାତୀୟ ସ୍ତରରେ ସ୍ୱୀକୃତି ପ୍ରଦାନ କରିଛି । UMI ୨୦୨୬ର ଉଦ୍‌ଯାପନୀ ଅଧିବେଶନରେ ମାନ୍ୟବର କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଏବଂ ଅନ୍ୟ ବିଶିଷ୍ଟ ଅତିଥିମାନେ ଏହି ପୁରସ୍କାର ପ୍ରଦାନ କରିଥିଲେ। 

ସୂଚନା ଅନୁସାରେ, କ୍ରୁଟକୁ ଉତ୍କର୍ଷ ପୁରସ୍କାର, ପ୍ରଶଂସା ପୁରସ୍କାର ଏବଂ ଶ୍ରେଷ୍ଠ ପ୍ରଦର୍ଶକ ପୁରସ୍କାରରେ ପୁରସ୍କୃତ କରାଯାଇଛି । ଏହି ସମ୍ନାନ ସବୁଜ ପରିବହନର ପ୍ରୋତ୍ସାହନ, ପରିବହନ ବ୍ୟବସ୍ଥାର ଉନ୍ନତି ଏବଂ ଜନସାଧାରଣଙ୍କୁ ଉନ୍ନତ ସେବା ଯୋଗାଇବା ଦିଗରେ ରାଜ୍ୟର ପ୍ରୟାସକୁ ପ୍ରତିଫଳିତ କରୁଛି ।

​​​​​​​

ଭାରତର ପୂର୍ବାଞ୍ଚଳରେ ପ୍ରଥମ ଥର ପାଇଁ ଓଡ଼ିଶାରେ UMI କନ୍‌ଫରେନ୍ସ ଆଣ୍ଡ ଏକ୍ସପୋ ଆୟୋଜିତ ହୋଇଛି । ଏହି ସମ୍ମିଳନୀ ପରିବହନ କ୍ଷେତ୍ରର ବିଶେଷଜ୍ଞ, ନୀତି ନିର୍ଦ୍ଧାରକ, ଶିଳ୍ପ ପ୍ରତିନିଧି ଓ ଅନ୍ୟ ଅଂଶୀଦାରମାନଙ୍କୁ ଅନୁଭୂତି ବାଣ୍ଟିବା, ନୂତନ ଚିନ୍ତାଧାରା ଉପସ୍ଥାପନ କରିବା ଏବଂ ପରସ୍ପର ସହ ସହଯୋଗ ବୃଦ୍ଧି କରିବା ପାଇଁ ଏକ ଜାତୀୟ ମଞ୍ଚ ପ୍ରଦାନ କରିଛି ।

Also Read: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ପ୍ରଧାନମନ୍ତ୍ରୀଙ୍କ ଫୋକସରେ ସହରାଞ୍ଚଳର ବିକାଶ​​​​​​​

UMI ୨୦୨୬ରେ CRUTର ପ୍ୟାଭିଲିୟନ୍‌ରେ ଓଡ଼ିଶାର ସହରାଞ୍ଚଳ ପରିବହନ ପଦକ୍ଷେପ, ସ୍ଥାୟୀ ଗମନାଗମନ ସମାଧାନ ଏବଂ ଜନପରିବହନ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପଗୁଡ଼ିକୁ ପ୍ରଦର୍ଶିତ କରାଯାଇଥିଲା । ଶ୍ରେଷ୍ଠ ପ୍ରଦର୍ଶକ ପୁରସ୍କାର CRUTର ପ୍ରଭାବଶାଳୀ ଉପସ୍ଥାପନାକୁ ସ୍ୱୀକୃତି ଦେବା ସହ ଜାତୀୟ ସ୍ତରରେ ଓଡ଼ିଶାର ପରିବହନ ପଦକ୍ଷେପକୁ ଅଧିକ ପରିଚିତି ପ୍ରଦାନ କରିଛି ।

ଏହି ସଫଳତା ସ୍ଥାୟୀ, ସୁଗମ ଓ ଯାତ୍ରୀକୈନ୍ଦ୍ରିକ ଜନପରିବହନ ବ୍ୟବସ୍ଥାର ବିକାଶ ପାଇଁ CRUTର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିଛି । ଏହା ଓଡ଼ିଶାର ସହରାଞ୍ଚଳ ପରିବହନ କ୍ଷେତ୍ରରେ ନିରନ୍ତର ଉନ୍ନତି ଓ ଭବିଷ୍ୟତମୁଖୀ ବିକାଶ ପାଇଁ ନୂତନ ପ୍ରେରଣା ଯୋଗାଇବ ।