ନୂଆଦିଲ୍ଲୀ, ୩୦। ୦୭ : ଥାଇଲାଣ୍ଡରେ ବନ୍ଧା ହେଲେ ୫ ଭାରତୀୟ । ଅପହରଣ ମାମଲାରେ ବାନ୍ଧିଲା ପୋଲିସ । ଅନ୍ୟ ତିନିଜଣ ଭାରତୀୟଙ୍କୁ ଅପହରଣ ଏବଂ ଟଙ୍କା ମାଗିବା ଅଭିଯୋଗରେ ସମସ୍ତଙ୍କୁ ଗିରଫ କରାଯାଇଛି ।

ବ୍ୟାଙ୍ଗକକ୍ ପୋଷ୍ଟ୍ ଅନୁସାରେ, ବ୍ୟାଙ୍ଗକକର ଖିଲୋଙ୍ଗ୍ ଟାନ୍ ହୋଟେଲରେ ୫ ଜଣ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି । ସେମାନେ ଦେଶ ଛାଡି ଚାଲିଯିବାକୁ ଉଦ୍ୟମ କରୁଥିଲେ । ତଦନ୍ତକାରୀ ଅଧିକାରୀଙ୍କ କହିବାନୁସାରେ, କିଛି ଭାରତୀୟ ଏକ ଟୁର୍ ପ୍ୟାକେଜରେ ଥାଇଲାଣ୍ଡ ବୁଲିବାକୁ ଆସିଥିଲେ । ସେମାନଙ୍କୁ ଅପହରଣ କରାଯାଇଥିଲା ।

ଗିରଫ ଅଭିଯୁକ୍ତମାନେ ହେଲେ ଅବତାର ସିଂ, ଜଗଜିତ ସିଂ, ରାମବଲକ କୁମାର, ସୁଖବୀର ସିଂ ଏବଂ କୁଲରା ସିଂ । ସେମାନଙ୍କୁ ପାକିସ୍ତାନର ଜଣେ ବ୍ୟକ୍ତି ହ୍ୱାଟସଆପ୍ ଚାଟ୍ ଜରିଆରେ ଯୋଗାଯୋଗ କରିଥିଲେ । ମାସେ ତଳେ ଉଭୟ ପକ୍ଷଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା । କଥାବାର୍ତ୍ତା ବେଳେ ପାକିସ୍ତାନୀ ଜଣଙ୍କ ତିନି ଜଣ ଭାରତୀୟଙ୍କୁ ଅପହରଣ କରିବାକୁ କହିଥିଲେ । ଦୁବାଇରୁ ଏହି ସମସ୍ତ ଘଟଣା ଉପରେ ପାକ୍ ନାଗରିକ ନଜର ରଖିଥିଲେ । କ୍ରିପ୍ଟୋ କରେନ୍ସି ମାଧ୍ୟମରେ ଟଙ୍କାର କାରବାର ହୋଇଥିଲା । ଏପରିକି ଦେଶ ଛାଡି ଚାଲିଯିବା ପାଇଁ ଟିକେଟ୍ ଦେବେ ବୋଲି ପାକିସ୍ତାନୀ ବ୍ୟକ୍ତି କହିଥିଲେ । 

ଏହାପରେ ପ୍ରକୃତ ପ୍ଲାନ୍ ଆରମ୍ଭ ହୋଇଥିଲା । ଅପହରଣକାରୀମାନେ ତିନି ଭାରତୀୟଙ୍କୁ ବୁଲାଇବାକୁ ନେବେ ବୋଲି କହିଥିଲେ । କିନ୍ତୁ ଗୋଟିଏ ଘରେ ବନ୍ଦ କରି ରଖିଥିଲେ । ସେମାନଙ୍କୁ ମାଡ଼ ମଧ୍ୟ ମରାଯାଉଥିଲା । କିନ୍ତୁ ଭାରତୀୟ ଦୂତାବାସକୁ ଏବାବଦରେ କିଛି ଖବର ମିଳିଥିଲା । ଦୂତାବାସ ଥାଇଲାଣ୍ଡ ସରକାରଙ୍କୁ ଯୋଗାଯୋଗ କରିଥିଲା । ଯାହା ପରେ ଜୁଲାଇ ୨୧ ତାରିଖରେ ପୀଡିତଙ୍କ ପରିବାର ଲୋକେ ମଧ୍ୟ ଥାଇଲାଣ୍ଡ ସରକାରଙ୍କୁ ଏବାବଦରେ ଜଣାଇଥିଲେ । ସେମାନେ କିଛି ଭିଡିଓ ସେୟାର କରିଥିଲେ । ଏହାସହ ଅପହରଣକାରୀ ୪୦ ଲକ୍ଷ ଟଙ୍କା ମାଗୁଥିବା ଅଭିଯୋଗ କରିଥିଲେ ।

Also Read :- ଅବସର ନେଲେ ଆଜିଙ୍କ୍ୟ ରାହାଣେ, କ୍ରିକେଟର ସମସ୍ତ ଫର୍ମାଟକୁ କଲେ ଅଲବିଦା

ଶେଷରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ସିସିଟିଭି ଫୁଟେଜ୍ ଆଧାରରେ ପଟ୍ଟାୟାରେ ଥିବା ଏକ ଘରେ ରେଡ୍ କରିଥିଲା । ସେଠାରେ ଅପହର୍ତ୍ତାଙ୍କୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ହୋଇଥିବା ତିନି ଯୁବକ ହେଲେ ମୋହିତ, ଆଶିଷ ଏବଂ ହିମାଂଶୁ । ରେଡ୍ ବେଳେ ଘରୁ ଦଉଡି, କାଠ ଏବଂ କିଛି ରଙ୍ଗ ଜବତ କରିଛି ପୋଲିସ । ସେମାନଙ୍କ ପୂର୍ବରୁ ଆଉ ଜଣେ ଭାରତୀୟଙ୍କୁ ସେଠାରେ ବନ୍ଧକ ରଖାଯାଇଥିଲା । ଯାହାଙ୍କ ପାଇଁ ପରିବାର ଲୋକେ ୩୦ ଲକ୍ଷ ଟଙ୍କା ଦେଇ ମୁକୁଳାଇଥିଲେ ବୋଲି ପୋଲିସ ସୂଚନା ଦେଇ ।