ନୂଆଦିଲ୍ଲୀ: ଅଷ୍ଟ୍ରେଲିୟାର ପ୍ରତିଷ୍ଠିତ ଥିଙ୍କଟ୍ୟାଙ୍କ ଲୋୱି ଇନିଷ୍ଟିଚ୍ୟୁଟ୍ ଏହାର ସଦ୍ୟତମ ‘ଏସିୟା ପାୱାର ଇଣ୍ଡେକ୍ସ-୨୦୨୬’ରେ ଆମେରିକା ଓ ଚୀନ୍ ପରେ ଭାରତକୁ ଏସିୟାର ତୃତୀୟ ସବୁଠାରୁ ଶକ୍ତିଶାଳୀ ଦେଶ ଭାବେ ସ୍ଥାନିତ କରିଛି। ‘ପ୍ରମୁଖ ଶକ୍ତି’ ବର୍ଗରେ ଜାପାନ, ଋଷିଆ ଏବଂ ଅଷ୍ଟ୍ରେଲିଆକୁ ପଛରେ ପକାଇଛି ଭାରତ। ଏହି ରିପୋର୍ଟରେ ଯୁକ୍ତରାଷ୍ଟ୍ର ଆମେରିକା ଓ ଚୀନ୍ କୁ ‘ସୁପର ପାୱାର’ ଭାବେ ସ୍ଥାନିତ କରାଯାଇଛି। ଏଥିରେ ଯୁକ୍ତରାଷ୍ଟ୍ରକୁ ୭୮.୯ ଓ ଚୀନ୍ ୧୦୦ରୁ ୭୩.୬ ସ୍କୋର ହାସଲ କରିଛି। ଭାରତର ସ୍କୋର ୪୦.୫କୁ ବୃଦ୍ଧି ହୋଇଛି।

୨୦୧୮ରେ ସୂଚକାଙ୍କ ଆରମ୍ଭ ହେବା ପରଠାରୁ ଭାରତ ଓ ଚୀନ ମଧ୍ୟରେ ଶକ୍ତି ବ୍ୟବଧାନ ଅନେକ ସଂକୁଚିତ ହୋଇଛି। ଯୁକ୍ତରାଷ୍ଟ୍ର ଓ ଚୀନ୍ ମଧ୍ୟରେ ବ୍ୟବଧାନ ମଧ୍ୟ ହ୍ରାସ ହୋଇଛି। ଲୋୱି ଇନିଷ୍ଟିଚ୍ୟୁଟ୍ ଅନୁସାରେ ଭାରତର କୁଟନୈତିକ ସ୍ଥିତି, ଦୃଢ ଦୀର୍ଘ କାଳୀନ ଆର୍ଥିକ ସମ୍ଭାବନା ଏବଂ ଆଞ୍ଚଳିକ ସୁରକ୍ଷା ସହଭାଗିତାରେ ଏକ ପ୍ରମୁଖ ଶକ୍ତି ଭାବେ ନିଜର ସ୍ଥିତିକୁ ଆହୁରି ମଜଭୁତ କରିଛି। ଭାରତକୁ ଶ୍ରେଷ୍ଠ ୧୦ଟି ଦେଶ ମଧ୍ୟରେ ସର୍ବୋଚ୍ଚ ସ୍କୋର ପ୍ରଦାନ କରାଯାଇଛି। ସୂଚକାଙ୍କ ଆରମ୍ଭ କାଳରେ ୨୦୧୮ରେ ଭାରତ ଚତୁର୍ଥ ସ୍ଥାନରେ ଥିଲା। ୨୦୨୪ରେ ଜାପାନକୁ ପଛରେ ପକାଇ ତୃତୀୟ ସ୍ଥାନକୁ ପହଞ୍ଚିଥିବା ବେଳେ ପ୍ରମୁଖ ଶକ୍ତି ହେବା ପାଇଁ ୨୦୨୫ରେ ୪୦ ପଏଣ୍ଟ ଅତିକ୍ରମ କରିଥିଲା ଓ ୨୦୨୬ରେ ଭାରତ ତୃତୀୟ ସ୍ଥାନ ବଜାର ରଖିଛି।

ବଢିଛି ମୋଦିଙ୍କ ପ୍ରଭାବ
ରିପୋର୍ଟର ସବୁଠୁ ବଡ଼ କଥା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସିଆୟର ଦ୍ୱିତୀୟ ସବୁଠାରୁ ପ୍ରଭାବଶାଳୀ ଆଞ୍ଚଳିକ ନେତା ଭାବେ ସ୍ଥାନ ପାଇଛନ୍ତି। ଏଥିରେ ସେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ପଛରେ ପକାଇ ଦେଇଛନ୍ତି। ୨୦୨୫ରେ ପଞ୍ଚମ ସ୍ଥାନରେ ଥିବା ମୋଦି ଗୋଟିଏ ବର୍ଷରେ ୩ ସ୍ଥାନ ଉପରକୁ ଉଠି ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି। ସର୍ଭେରେ ଲୋୱିର ବିଶେଷଜ୍ଞମାନେ ମୋଦିଙ୍କୁ ଏସିୟାରେ ଭାରତର କୂଟନୈତିକ ସ୍ୱାର୍ଥକୁ ଆଗକୁ ବଢାଇବାରେ ଅଧିକ ପ୍ରଭାବଶାଳୀ ଭାବେ ମୂଲ୍ୟାଙ୍କିତ କରିଛନ୍ତି। ତେବେ ଉପସାଗରୀୟ ବିବାଦ ସମୟରେ ଭାରତର ଲୋ ପ୍ରୋଫାଇଲ ତାଙ୍କ ବିଶ୍ୱ ନେତୃତ୍ୱ ଛବିକୁ କିଛିଟା ପ୍ରଭାବିତ କରିଥିଲା।

କେଉଁସବୁ କ୍ଷେତ୍ରରେ ଭାରତ ଏବେ ମଜଭୁତ

  • ବିଦେଶୀ ନିବେଶ: ଭାରତ ବୈଶ୍ୱିକ ନିବେଶ ପ୍ରବାହରେ ଆମେରିକା ପରେ ଦ୍ୱିତୀୟ ସ୍ଥାନରେ ରହିଛି। ଭାରତକୁ ବିଶ୍ୱର ନୂଆ ନିବେଶ ହଟସ୍ପଟ ବୋଲି କୁହାଯାଉଛି।
  • ପ୍ରତିରକ୍ଷା ନେଟୱାର୍କ: ଦକ୍ଷିଣ-ପୂର୍ବ ଏସିୟାରେ ବ୍ରହ୍ମୋସ ମିଜାଇଲର ବିକ୍ରି ଓ କ୍ଷେତ୍ରୀୟ ପ୍ରତିରକ୍ଷା ଭାଗିଦାରୀରେ ଭାରତର ରକ୍ଷା ନେଟୱାର୍କ ଅଧିକ ମଜଭୁତ ହୋଇଛି।
  • ଆର୍ଥିକ ସମ୍ପର୍କ: ସ୍ଥିର ବ୍ୟାପାର ଓ ନିବେଶ ସମ୍ବଦ୍ଧ କାରଣରୁ ଭାରତ ଏବେ ସେହି ସବୁ ବଛାବଛା ଦେଶଙ୍କ ସୂଚୀରେ ସାମିଲ ଯେଉଁମାନଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହୋଇ ନାହିଁ।
  • ଅନ୍ୟ ମାନଦଣ୍ଡରେ ଭାରତର ସଶସ୍ତ୍ର ବଳ ଓ ଦୀର୍ଘ ସମୟ ୱାର୍କଫୋର୍ସ ରାଙ୍କିଙ୍ଗରେ ମଧ୍ୟ ଶୀର୍ଷରେ ରହିଛି।

ଏହି ସୂଚକାଙ୍କ ୧୩୧ଟି ସୂଚକ ଉପରେ ଆଧାରକରି ୨୭ଟି ଦେଶ ଏବଂ ଅଞ୍ଚଳକୁ ମୂଲ୍ୟାଙ୍କନ କରେ। ଯେଉଁଥିରେ ଅର୍ଥନୈତିକ ଓ ସାମରିକ କ୍ଷମତା ସମେତ କୂଟନୀତି, ପ୍ରତିରକ୍ଷା, ସହଭାଗିତା ଏବଂ ସାଂସ୍କୃତିକ ପ୍ରଭାବ ଅନ୍ତର୍ଭୁକ୍ତ। ଲୋୱି ଇନିଷ୍ଟିଚ୍ୟୁଟ୍ ୨୦୧୮ ମସିହାରୁ ଏହି ରିପୋର୍ଟ ପ୍ରକାଶ କରିଆସୁଛି। ଚଳିତବର୍ଷ ରିପୋର୍ଟରେ ଆମେରିକା ଓ ଚୀନ୍ ମଧ୍ୟରେ ବ୍ୟବଧାନ ଅନେକ ହ୍ରାସ ପାଇଛି। ଚୀନ୍ ଓ ଭାରତ ମଧ୍ୟରେ ବ୍ୟବଧାନ ମଧ୍ୟ ହ୍ରାସ ହେଉଛି, ହେଲେ ଉଭୟ ଦେଶଙ୍କ ମଧ୍ୟରେ ଏବେବି ଗୁରୁତ୍ୱପୂର୍ଣ୍ଣ ବ୍ୟବଧାନ ରହିଛି।