ନୂଆଦିଲ୍ଲୀ, ୩୦। ୦୭ : କ୍ରିକେଟକୁ ଅଲବିଦା କରିଛନ୍ତି ଭାରତୀୟ ଦଳର ଷ୍ଟାର୍ ପ୍ଲେୟାର ଆଜିଙ୍କ୍ୟ ରାହାଣେ । ସେ କ୍ରିକେଟର ସମସ୍ତ ଫର୍ମାଟକୁ ବାଏବାଏ କରିଛନ୍ତି । ଏହାସହ ନିଜର ଅବସର ଘୋଷଣା କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଯେ ସେ ଆଇପିଏଲ ମଧ୍ୟ ଖେଳିବେ ନାହିଁ ।

ଗୁରୁବାର ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ୍ ସେୟାର କରି ସେ ଅବସର ବାବଦରେ ସୂଚନା ଦେଇଛନ୍ତି । ଆଇପିଏଲରେ ଗତ ସିଜିନରେ ସେ କେକେଆର ଦଳର ଅଧିନାୟକ ରହିଥିଲେ । କିନ୍ତୁ ଏବେ ସେ ଆଇପିଏଲ ମଧ୍ୟ ଖେଳିବେ ନାହିଁ । ସେ ସମସ୍ତ ଫର୍ମାଟୁ ଅବସର ନେଇଥିବା ଭିଡିଓ ପୋଷ୍ଟ୍ କରି ପ୍ରକାଶ କରିଛନ୍ତି ।

Also Read :- ଏହି ବୋଲରଙ୍କୁ ବେଶି ଭୟ କରନ୍ତି ବୈଭବ ! ୪ଟି ଶବ୍ଦରେ ସାରିଦେଲେ ସବୁ ପ୍ରଶ୍ନର ଉତ୍ତର

୩୮ ବର୍ଷୀୟ ଆଜିଙ୍କ୍ୟ କହିଛନ୍ତି ଯେ, କ୍ୟାପ୍ ନମ୍ବର ୨୭୮ । ଏବେ ଏଠାରେ ବିରାମ । ବର୍ଷବର୍ଷ ଧରି ତାଙ୍କୁ ଭଲ ପାଇବା ମିଳିଛି । ସମସ୍ତଙ୍କୁ ଧନ୍ୟବାଦ । କ୍ରିକେଟ ସହ ଜଡିତ ସମସ୍ତ ବ୍ୟକ୍ତି ତଥା ଫ୍ୟାନ୍ସଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି ।

ଭାରତୀୟ ଦଳରେ ଆଜିଙ୍କ୍ୟ ରାହାଣେ ଜଣେ ଭଲ ବ୍ୟାଟର ଥିଲେ । ସେ ଟେଷ୍ଟ୍ କ୍ରିକେଟରେ ୬ଟି ମ୍ୟାଚରେ ଭାରତର ନେତୃତ୍ୱ ନେଇଛନ୍ତି । ଏହି ସବୁ ମ୍ୟାଚରୁ ଭାରତ ୪ଟିରେ ବିଜୟୀ ହୋଇଛି । ଦୁଇଟି ମ୍ୟାଚ୍ ଡ୍ର ରହିଛି । ଦିନିକିଆରେ ସେ ତିନୋଟି ମ୍ୟାଚରେ ନେତୃତ୍ୱ ନେଉଥିବା ବେଳେ ସବୁଥିରେ ଦଳ ଜିତିଛି ।

ସେ ନିଜ କ୍ୟାରିଅରରେ ୮୫ଟି ଟେଷ୍ଟ୍, ୯୦ଟି ଓଡିଆଇ, ୨୦ଟି ଟି୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଖେଳିଛନ୍ତି । ମୋଟ୍ ସେ ୮୪୧୪ ରନ୍ କରିଥିବା ବେଳେ ଆଭରେଜ୍ ହେଉଛି ୩୫.୯୫ । ତେବେ ରନ୍ ସ୍କୋରରେ ୧୫ଟି ଶତକ ଏବଂ ୫୧ଟି ଅର୍ଧଶତକ ମଧ୍ୟ ସାମିଲ ଅଛି ।