ସିମଲା: ହିମାଚଳ ପ୍ରଦେଶର ଦୁର୍ଗମ ପାହାଡ଼ ମଝିରେ ରହିଛି ଏମିତି ଏକ ଶିବଲିଙ୍ଗ, ଯାହାକୁ ଘେରି ରହିଛି ଅନେକ ରହସ୍ୟ ଓ ଆସ୍ଥା। ଏଠାରେ ରହିଛି ପ୍ରାୟ ୪୫ ଫୁଟ୍ ଉଚ୍ଚ ଓ ୧୬ ଫୁଟ୍ ପ୍ରସ୍ଥର ପ୍ରାକୃତିକ ଶିବଲିଙ୍ଗ, ଯାହାର ରଙ୍ଗ ଦିନରେ ଅନେକଥର ବଦଳୁଥିବା କୁହାଯାଏ। ଏହାକୁ ଭକ୍ତମାନେ ଭଗବାନ ଶିବଙ୍କ ଅଲୌକିକ ଚମତ୍କାର ବୋଲି ବିଶ୍ୱାସ କରନ୍ତି । ତେବେ ଆସନ୍ତୁ ଜାଣିବା କ'ଣ ରହିଛି ଏହାର ରହସ୍ୟ ।

ହିମାଚଳ ପ୍ରଦେଶର କିନ୍ନୌର ଜିଲ୍ଲାରେ ସମୁଦ୍ର ପତନଠାରୁ ପ୍ରାୟ ୧୫ ହଜାର ଫୁଟ୍ ଉଚ୍ଚତାରେ ଅବସ୍ଥିତ 'କିନ୍ନର କୈଳାଶ' । ଏଠାରେ ଥିବା ବିଶାଳ ପ୍ରାକୃତିକ ଶିଳାକୁ ଶିବଲିଙ୍ଗ ଭାବେ ପୂଜା କରାଯାଏ। ଏହାର ଉଚ୍ଚତା ପ୍ରାୟ ୪୫ ଫୁଟ୍ ଏବଂ ଚଉଡ଼ା ୧୬ ଫୁଟ୍ । ଏହି ଶିବଲିଙ୍ଗର ସବୁଠୁ ବଡ଼ ବିଶେଷତା ହେଉଛି ଏହାର ରଙ୍ଗ ପରିବର୍ତ୍ତନ। ସୂର୍ଯ୍ୟଙ୍କ ଆଲୋକ, ପାଗ ଓ ପରିବେଶର ପ୍ରଭାବରେ ଏହା କେବେ ଧଳା, କେବେ ଧୂସର, ତ କେବେ ଗାଢ଼ କଳା ଦେଖାଯାଏ। ଭକ୍ତମାନଙ୍କ ପାଇଁ ଏହା ମହାଦେବଙ୍କ ଦିବ୍ୟ ଲୀଳା, ଯେଉଁଠାରେ ବୈଜ୍ଞାନିକମାନେ ଏହାକୁ ପ୍ରାକୃତିକ ଆଲୋକ ଓ ଶିଳାର ଗଠନ ସହ ଯୋଡ଼ି ଦେଖିଥାନ୍ତି।

କିନ୍ନୌର କୈଳାଶରେ ପହଞ୍ଚିବା ସହଜ କଥା ନୁହେଁ। ପ୍ରାୟ ୧୮ରୁ ୨୦ କିଲୋମିଟରର କଠିନ ଟ୍ରେକିଂ ପରେ ଶ୍ରଦ୍ଧାଳୁମାନେ ଏହି ପବିତ୍ର ସ୍ଥାନରେ ପହଞ୍ଚିଥାନ୍ତି । ପ୍ରତିବର୍ଷ ହଜାର ହଜାର ଭକ୍ତ କଠିନ ଯାତ୍ରା କରି ବାବା ଭୋଲେନାଥଙ୍କ ଦର୍ଶନ ପାଇଁ ଏଠାକୁ ଆସନ୍ତି । ପୁରାଣ ଅନୁସାରେ ଭଗବାନ ଶିବ ଓ ମାତା ପାର୍ବତୀ ଏହି ସ୍ଥାନରେ ବାସ କରୁଥିଲେ। ଏହି କାରଣରୁ ଏହି ସ୍ଥାନକୁ ଅତ୍ୟନ୍ତ ପବିତ୍ର ବୋଲି ମାନାଯାଏ । ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟ ଓ ଆଧ୍ୟାତ୍ମିକ ପରିବେଶ ଏହାକୁ ଆହୁରି ସ୍ୱତନ୍ତ୍ର କରିଥାଏ।

Also Read: ଶ୍ରାବଣ ମାସରେ ରାହୁଙ୍କ ବଡ଼ ପରିବର୍ତ୍ତନ! ଅଗଷ୍ଟ ୨ରୁ ବଦଳିବ ଏହି ୪ ରାଶି ବ୍ୟକ୍ତିଙ୍କ ଭାଗ୍ୟ....

ରଙ୍ଗ ବଦଳୁଥିବା ଏହି ବିଶାଳ ଶିବଲିଙ୍ଗ ସତରେ ଏକ ଅଲୌକିକ ଚମତ୍କାର, ନା ପ୍ରକୃତିର ଏକ ଅଦ୍ଭୁତ ସୃଷ୍ଟି? ଏହାକୁ ନେଇ ଅନେକଙ୍କ ମତ ଭିନ୍ନ ହୋଇପାରେ। କିନ୍ତୁ ଭକ୍ତଙ୍କ ଆସ୍ଥା ଓ କିନ୍ନୌର କୈଳାଶର ରହସ୍ୟ ଆଜି ମଧ୍ୟ ଲକ୍ଷ ଲକ୍ଷ ଲୋକଙ୍କୁ ଆକର୍ଷିତ କରୁଛି। ଆସ୍ଥା ହେଉ କି ରହସ୍ୟ, ଏହି ଚମତ୍କାର ପାଇଁ ଏଠାରେ ପ୍ରତିବର୍ଷ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । ଆଜି ବି ବିଜ୍ଞାନ ଏହାର କାରଣ ଖୋଜୁଥିବା ବେଳେ, ଭକ୍ତଙ୍କ ପାଇଁ ଏହା ମହାଦେବଙ୍କ ଅଲୌକିକ ମହିମା।