ପଶ୍ଚିମବଙ୍ଗ ୦୭/୦୫: କୁଆଡେ ଗଲା ଚନ୍ଦ୍ରନାଥ ରଥଙ୍କ ହତ୍ୟାକାରୀ । ବାଲାଂଦେଶ ବର୍ଡର ଦେଇ ଖସିଯାଇଛନ୍ତି କି ଦୁର୍ବୃତ୍ତ । ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ PA ଚନ୍ଦ୍ରନାଥ ରଥଙ୍କୁ ଗୁଳି କରି ହତ୍ୟା ମାମଲାରେ ତନାଘନା । ୩ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି ପଶ୍ଚିମବଙ୍ଗ ପୋଲିସ । ହତ୍ୟାକାରୀ ବାଂଲାଦେଶ ଲୁଚି ପଳାଇଥିବାର ଖବର ବି ଆସୁଛି । ତାଙ୍କ PAଙ୍କୁ ପ୍ରି ପ୍ଲାନଡ ମର୍ଡର କରାଯାଇଥିବା ସଂଗୀନ ଅଭିଯୋଗ ଆଣିଛନ୍ତି ବିଜେପି ନେତା ଶୁଭେନ୍ଦୁ ।

ସେପଟେ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ନକଲି ନମ୍ବର ପ୍ଲେଟ୍, ଗ୍ଲକ୍ 47Xପିସ୍ତଲ ଏବଂ ପଏଣ୍ଟ ବ୍ଲାଙ୍କ ଗୁଳି ପରି ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି । ଘଟଣାସ୍ଥଳରୁ ଯେଉଁ ଖାଲି ଖୋକା ଜବତ ହୋଇଛି ସେଥିରୁ ଏ କଥା ସ୍ପଷ୍ଟ ହେଉଛି କି ହତ୍ୟାକାରୀ ଗ୍ଲକ୍ 47X ପିସ୍ତଲରେ ଗୁଳି କରିଛି । ହତ୍ୟାରେ ରାଜନୈତିକ ଷଡଯନ୍ତ୍ରର ଗନ୍ଧ ବାରି ହୋଇ ପଡୁଥିବାବେଳେ ବିଭିନ୍ନ ଦିଗକୁ ନେଇ ଛାନଭିନ ଚଳାଇଛି ପୋଲିସ । ତେବେ ବିଜେପି ଏହାକୁ ସୁଚିନ୍ତିତ ଯୋଜନାବଦ୍ଧ ଆକ୍ରମଣ ବୋଲି କହୁଛି ।

ପ୍ରାୟ ୫ ବର୍ଷ ଧରି ଚନ୍ଦ୍ରନାଥ, ଶୁଭେନ୍ଦୁଙ୍କ ବ୍ୟକ୍ତିଗତ ସହାୟକ ଓ କାର୍ଯ୍ୟନିର୍ବାହୀ ସହାୟକ ଭାବରେ କାମ କରୁଥିଲେ । ୪୨ ବର୍ଷୀୟ ରଥଙ୍କୁ ବୁଧବାର ବିଳମ୍ବିତ ରାତିରେ ଉତ୍ତର ୨୪ ପ୍ରଗଣାରେ ଗୁଳି କରି ହତ୍ୟା କରାଯାଇଥିଲା । ସ୍ଥାନୀୟ ଲୋକମାନେ ଉଭୟ PA ଚନ୍ଦ୍ରନାଥ ରଥ ଓ ଡ୍ରାଇଭର ବୁଦ୍ଧଦେବ ବେରାଙ୍କୁ ସ୍ଥାନୀୟ ହସ୍‌ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଚନ୍ଦ୍ରନାଥଙ୍କୁ ମୃତ ଘୋଷଣା କରିଥିଲେ । ତେବେ ବୁଦ୍ଧଦେବଙ୍କ ଛାତି ପେଟ ଓ ଗୋଡରେ ଗଭୀର ଆଘାତ ଲାଗିଛି । ସେ ଚିକିତ୍ସାଧୀନ ଅଛନ୍ତି ।

Also Read:ଶୁଭେନ୍ଦୁ ଅଧିକାରୀଙ୍କ PA ହତ୍ୟା ମାମଲା : ସାର୍ପ ସୁଟର ଅଟକ, ତିନି ଜଣଙ୍କୁ ପଚରାଉଚରା କରୁଛି ପୋଲିସ

ହତ୍ୟାକାରୀମାନେ କୋଲ୍‌କାତା ବିମାନବନ୍ଦରରୁ ମାତ୍ର କିଛି କିଲୋମିଟର ଦୂରରେ ଦୋଲତାଲା ଓ ମଧ୍ୟମଗ୍ରାମ ଚୌମାଥା ମଧ୍ୟରେ ଥିବା ଦୋହାରିଆ ନିକଟରେ ଚନ୍ଦ୍ରନାଥଙ୍କ SUVକୁ ଅଟକାଇଥିଲେ ।ପୋଲିସ ତଥ୍ୟ ମୁତାବକ ଚନ୍ଦ୍ରନାଥ ରାତି ପ୍ରାୟ ୧୦ଟା ୩୦ ସମୟରେ କୋଲ୍‌କାତାରୁ ମଧ୍ୟମଗ୍ରାମ ସ୍ଥିତ ଘରକୁ ଫେରୁଥିଲେ । ଏହି ସମୟରେ ଅନ୍ୟ ଏକ ଚାରିଚକିଆ ଗାଡି ପଛେ ପଛରେ ୪ ଜଣ ବାଇକରେ ଚନ୍ଦ୍ରନାଥଙ୍କ ଗାଡିକୁ ଘେରି ଯାଇଥିଲେ । ଆକ୍ରମଣ ସମୟରେ ଛଅରୁ ଦଶ ରାଉଣ୍ଡ ଗୁଳି ଚାଳନା କରାଯାଉଥିବା ସନ୍ଦେହ କରୁଛି ପୋଲିସ ।

ପ୍ରାଥମିକ ଫରେନ୍ସିକ ରିପୋର୍ଟ ଆଧାରରେ ଆକ୍ରମଣକାରୀମାନେ ଅତ୍ୟାଧୁନିକ ବନ୍ଧୁକ ଗ୍ଲକ୍ 47Xପିସ୍ତଲ ବ୍ୟବହାର କରିଥିବା ସୂଚନା ମିଳିଛି । ସାଧାରଣତଃ ଏହି ପ୍ରକାର ପିସ୍ତଲ ସାଧାରଣ ଅପରାଧୀମାନେ ବ୍ୟବହାର କରନ୍ତିନି । କୌଣସି ବୃତ୍ତିଗତ ସୁଟରମାନଙ୍କର ଏଥିରେ ହାତ ଥିବା ସନ୍ଦେହ କରାଯାଉଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ ପିଟିଆଇକୁ ସୂଚନା ଦେଇଛନ୍ତି ।

ପଶ୍ଚିମବଙ୍ଗ ଡିଜିପି ସିଦ୍ଧିନାଥ ଗୁପ୍ତା କହିଛନ୍ତି ପୋଲିସ  ଅଫୁଟା ଗୁଳି, ଗୁଳି ଚାଳନା କାର୍ଟିଜ ଉଦ୍ଧାର କରାଯାଇଛି । ଆକ୍ରମଣ ସମୟରେ ବ୍ୟବହୃତ ହୋଇଥିବା ଏକ ଚାରିଚକିଆ ଗାଡି ଜବତ ହୋଇଛି । ଗାଡିର ନମ୍ବର ପ୍ଲେଟ ନକଲି ଓ ତା ସହ କିଛି ହେରଫେର କରାଯାଇଥିବା କୁହାଯାଉଛି ।  ସିସିଟିଭି ଫୁଟେଜ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଯାଞ୍ଚ କରାଯାଉଛି । ସିଆରପିଏଫ ଡିଜି ଜ୍ଞାନେନ୍ଦ୍ର ପ୍ରତାପ ସିଂହଙ୍କ ସହ ଘଟଣାସ୍ଥଳ ପରିଦର୍ଶନ କରିବା ପରେ ଏପରି କହିଛନ୍ତି ଡିଜିପି ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ରେଜଲ୍ଟ ଘୋଷଣାର ୪୮ ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ଘଟିଥିବା ହତ୍ୟାକାଣ୍ଡକୁ ନେଇ ରାଜନୈତକ ମହଲରେ ଝଡ ସୃଷ୍ଟି ହୋଇଛି । ପଶ୍ଚିମବଙ୍ଗରେ ବିଜେପିର ଚମତ୍କାର ସଫଳତା ପରେ ହିଂସା ଜନିତ ମାମଲା ବଢି ଯାଇଛି । ପ୍ରତିଦିନ ହିଂସାର ନୂଆ ନୂଆ ଖବର ସାମ୍ନାକୁ ଆସୁଛି ।

Also Read:West Bengal Violence : ୯ ତାରିଖ ସକାଳ ବିଜେପି ସରକାରର ଶପଥ, ସଂଧ୍ୟାରେ ହେଉ ଅଭିଯୁକ୍ତର ଏନ୍‌କାଉଣ୍ଟର...