କୋଲକାତା, ୦୭/୦୫: ଗୁଳିମାଡରେ ପ୍ରାଣ ହରାଇଛନ୍ତି ପଶ୍ଚିମବଙ୍ଗର ବରିଷ୍ଠ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ ରଥ । ବୁଧବାର ରାତିରେ ତାଙ୍କୁ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛନ୍ତି । ତେବେ ଘଟଣାରେ ପୋଲିସ ତିନି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ ମୁଖ୍ୟ ଆକ୍ରମଣକାରୀ ଏବେବି ଫେରାର ରହିଛି ।

ରିପୋର୍ଟ ଅନୁସାରେ, ବିଜେପି ନେତା ଶୁଭେନ୍ଦୁଙ୍କ ବ୍ୟକ୍ତିଗତ ସହାୟକ ବା ପିଏଙ୍କୁ ଗୁଳି କରି ହତ୍ୟା କରାଯାଇଛି । କୋଲକାତାର ମାଧ୍ୟମଗ୍ରାମରେ ଏହି ଘଟଣା ଘଟିଛି। ସେ ବିଜେପିର ଜଣେ କର୍ମୀ ମଧ୍ୟ ଥିଲେ ।

ତେବେ ସେ କାରରେ ଯାଉଥିବା ବେଳେ ଦୁର୍ବୃତ୍ତ ତାଙ୍କ ଉପରେ ଗୁଳି ଚାଳନା କରିଥିଲେ । ତାଙ୍କ ଶରୀରରେ ତିନୋଟି ଗୁଳି ବାଜି ଥିଲା । ଯେଉଁଥିରେ ସେ ପ୍ରାଣ ହରାଇଥିଲେ । ଗୁଳିମାଡରେ କାରର ବାମ ପାର୍ଶ୍ୱ ଝରକା ଭାଙ୍ଗିଯାଇଛି । ଘଟଣାରେ କାର୍ ଚଲାଉଥିବା ବୁଦ୍ଧଦେବ ଆହତ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତିନି ଅଟକ

ମାମଲାରେ ପୋଲିସ ତିନି ଜଣଙ୍କୁ ଅଟକ ରଖିଛି । ଏଥିରେ ସ୍ଥାନୀୟ ଜଣେ ଶୁଟର୍ ରହିଛନ୍ତି । ଯାହା ନାଁରେ ପୂର୍ବରୁ ଅନେକ ମାମଲା ରହିଛି । ତେବେ ମୁଖ୍ୟ ଆକ୍ରମଣକାରୀ ଫେରାର ଅଛି । ଏହାସହ ସୁପାରୀ କିଲିଂ ଦିଗରୁ ତଦନ୍ତ ହେଉଛି । ଚନ୍ଦ୍ରନାଥଙ୍କୁ ହତ୍ୟା କରିବା ପାଇଁ କେହି ସୁପାରୀ ଦେଇଥାଇପାରନ୍ତି ବୋଲି ମଧ୍ୟ ସନ୍ଦେହ କରାଯାଉଛି ।

Also Read :- West Bengal Violence : ୯ ତାରିଖ ସକାଳ ବିଜେପି ସରକାରର ଶପଥ, ସଂଧ୍ୟାରେ ହେଉ ଅଭିଯୁକ୍ତର ଏନ୍‌କାଉଣ୍ଟର...

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ଫଳାଫଳ ଆସିବା ପରେ ବିଜେପି ମିଠା ବାଣ୍ଟିଥିଲା । ଦଳ ୨୦୦ରୁ ଅଧିକ ସିଟରେ ବିଜୟୀ ହୋଇଛି । କିନ୍ତୁ ଦଳ ଜିତିଲା ପରେ ରାଜ୍ୟ ରାଜନୀତି ସରଗରମ ହୋଇଯାଇଛି । ବିଭିନ୍ନ ସ୍ଥାନରେ ଉତ୍ତେଜନା ଏବଂ ହିଂସା ଦେଖିବାକୁ ମିଳିଛି । କେଉଁଠି ମୂର୍ତ୍ତି ଭଙ୍ଗାରୁଜା ଏବଂ କେଉଁଠି ଦଳୀୟ କାର୍ଯ୍ୟାଳୟରେ ନିଆଁ ଲାଗିଛି । ଏବେସୁଦ୍ଧା ଘଟଣାରେ ଚନ୍ଦ୍ରନାଥଙ୍କୁ ମିଶାଇ ଦୁଇ ବିଜେପି କର୍ମୀ ଏବଂ ଦୁଇ ଜଣ ଟିଏମସି କର୍ମୀ ପ୍ରାଣ ହରାଇ ସାରିଲେଣି ।