ପାଟନା: ଭାରତରେ ଜଣେ ଝିଅ ପଦାକୁ ବାହାରିବା ମାତ୍ରେ ଗୋଟେ ଅଘଟଣର ଭୟ ଗୋଡ଼ାଉଛି। ଯେଉଁଠି ଦେଖିବେ ସେଇଠି ଦିନ ଦିପ୍ରହରେ ମହିଳାଙ୍କୁ ଅସଦାଚରଣ, ଘୋଷରାଟଣା ଓ ମାରପିଟ ଘଟଣା ସାମ୍ନାକୁ ଆସୁଛି। ନିକଟରେ ବିହାରର ଜମୁଇରେ ୧୦ ଶ୍ରେଣୀ ଛାତ୍ରଛତ୍ରୀଙ୍କ ସହ ଯେଉଁଭଳି ବ୍ୟବହାର କରାଗଲା, ତା’ର ଚର୍ଚ୍ଚା ଥମି ନ ଥିବା ବେଳେ ଏବେ ପୁଣି ସେହି ବିହାରର ସମସ୍ତିପୁରରୁ ଯେଉଁ ଘଟଣା ସାମ୍ନାକୁ ଆସିଛି,ତାହା ଦେଶରେ ଛବିରେ କଳଙ୍କ ବୋଳିଛି।

ସମସ୍ତିପୁରରେ ମଧ୍ୟ କିଛି ଯୁବକ ମିଶି ଏକ ଝିଅକୁ ଅସଦାଚରଣ କରିଥିବାର ଭିଡିଓ ଭାଇରାଲ ହୋଇଛି। ୫୬ ସେକେଣ୍ଡର ଏହି ଭିଡିଓ ଭାଇରାଲ ହେବା ପରେ ମାମଲାକୁ ପୁଲିସ ଗୁରୁତର ସହ ନେଇ ୪ ଜଣଙ୍କୁ ଗିରଫ କରିଛି।

କର୍ପୁରୀଗ୍ରାମ ପୁଲିସ ଷ୍ଟେସନ ଅଧୀନସ୍ଥ ଜଗତସିଂହ ପୁର ଗାଁ ଡାମ ବାଇପାସ ରୋଡରେ ଏହି ଅଭିଯୁକ୍ତମାନେ ଯୁବତୀଙ୍କ ସହ ଅସଦାଚରଣ କରିଥିଲେ। ଭିଡିଓ ଭାଇରାଲ୍ ହେବା ପରେ ପୁଲିସ ତୁରନ୍ତ ୪ ଜଣଙ୍କୁ ସେମାନଙ୍କ ଘରୁ ଗିରଫ କରିଛି ବୋଲି ସୂଚନା ଦେଇଛି।

Also read- ରାମ ମନ୍ଦିର ଦାନ ଅର୍ଥ ହେରଫେର ମାମଲା: ୮ ଅଭିଯୁକ୍ତଙ୍କ ବିରୋଧରେ ୭୦ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ

କଣ ଥିଲା ଘଟଣା ?

ପୁଲିସର ସୂଚନା ଅନୁସାରେ, ଭାଇରାଲ ଭିଡିଓରେ ଦେଖାଯାଉଥିବା ଦୃଶ୍ୟରେ ଦଳେ ଯୁବକ ଜଣେ ଯୁବତୀଙ୍କୁ ଘେରିଯାଇ ଅସଦାଚରଣ କରିବାକୁ ଉଦ୍ୟମ କରୁଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଯୁବକ ଯୁବତୀଙ୍କ ବାହୁ ଧରିବାକୁ ଚେଷ୍ଟା କରୁଥିବା ବେଳେ ଯୁବତୀ ହାତ ଛାଟି ଦେଇ ତାଙ୍କୁ ତାଙ୍କ ବାଟରେ ଛାଡ଼ିଦେବାକୁ ଅନୁରୋଧ କରୁଛନ୍ତି। ଅନ୍ୟ ଜଣେ ଯୁବକ ଯୁବତୀଙ୍କୁ ମାରୁଥିବାର ଦେଖାଯାଉଛି। ଯୁବତୀ ଜଣଙ୍କ ତାଙ୍କ ଭାଇଙ୍କୁ ଡାକିବେ ବୋଲି ଚେତାବନୀ ଦେବା ପରେ ଅନ୍ୟ ଜଣେ ଯୁବକ କହୁଛି ଡାକ କାହାକୁ ଡାକିବ।

କାହିଁକି ଯୁବତୀଙ୍କ ସହ ଏଭଳି ବ୍ୟବହାର କଲେ ଯୁବକମାନେ ?

ପୁଲିସର କହିବା ଅନୁସାରେ ଯୁବତୀ ଜଣଙ୍କ ଜଣେ ଯୁବକଙ୍କ ସହ ଗାଡ଼ିରେ ବୁଲୁଥିବା ବେଳେ ବାଇପାସ ରୋଡ୍ରେ ଟିକେ ଅଟକି ଯାଇ ଉଠାଉ ଥିଲେ। ସେହି ସମୟରେ କିଛି ସ୍ଥାନୀୟ ଯୁବକ ସେମାନଙ୍କ ପାଖକୁ ଆସି ତାଙ୍କୁ ଦୁର୍ବ୍ୟବହାର ଏବଂ ହଇରାଣ କରିବା ଆରମ୍ଭ କରିଥିଲେ। ଏହି ଘଟଣାକୁ ମୋବାଇଲ୍ ଫୋନରେ ରେକର୍ଡ କରାଯାଇଥିଲା ଏବଂ ପରେ ଏହାର ଭିଡିଓ ସୋସିଆଲ୍ ମିଡିଆରେ ଅପଲୋଡ ହେବା ପରେ ମାମଲା ସାମ୍ନାକୁ ଆସିଥିଲା।

ଚର୍ଚ୍ଚାରେ ଜାମୁଇ ଘଟଣା

ସମସ୍ତିପୁରର ଘଟଣା ପୂର୍ବରୁ ଜାମୁଇରେ ମଧ୍ୟ ସମାନ ଧରଣର ଏକ ଘଟଣା ଘଟିଥିଲା। ଏଠାରେ ଦଶମ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ରାସ୍ତା ଉପରେ କିଛି ଯୁବକଙ୍କ ଦ୍ୱାରା ହଇରାଣ ଓ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଅଭିଯୁକ୍ତମାନେ ଭିଡିଓ ରେକର୍ଡିଂ କରିଥିଲେ। ସୋମବାର ଏହାର ଦୁଇଟି ଭିଡିଓ କ୍ଲିପ୍ ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ ମାମଲା ସାମ୍ନାକୁ ଆସିଥିଲା।

ଶନିବାର କୋଚିଂ କ୍ଲାସ୍ ସାରିବା ପରେ ଝିଅଟି ତାଙ୍କର ଜଣେ ପୁଅ ସାଙ୍ଗ ସହ ନିକଟସ୍ଥ ମାରୱା ପାହାଡ଼ ବୁଲି ସନ୍ଧ୍ୟାରେ ମୋଟରସାଇକେଲ୍ରେ ଫେରିବା ବେଳେ ରାସ୍ତାରେ ଅସଦାଚରଣର ଶିକାର ହୋଇଥିଲା। କିଛି ଯୁବକ ହଠାତ ସେମାନଙ୍କୁ ଘେରି ଯାଇ ଗାଡିରୁ ଓହ୍ଲାଇବାକୁ କହିଥିଲେ। ଏହାପରେ ସେମାନଙ୍କ ସହିତ ମାରପିଟ କରିବା ଆରମ୍ଭ କରିଦେଇଥିଲେ। ଭିଡିଓରେ ଝିଅଟିକୁ ଅଶାଳୀନ ଭାବରେ ଛୁଇଁବା ସହ ତାଙ୍କର ପୁଅ ସାଂଗକୁ ମାଡ଼ ମରାଯିବାର ଦୃଶ୍ୟ ରହିଥିଲା।

ଏମିତି ୧୫-୨୦ ମିନିଟ୍ ହଇରାଣ ହରକତ ହେବା ପରେ ଦୁଇ ସାଂଗ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ଏହାପରେ ଝିଅର ଅଭିଯୋଗ ପରେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହିତ ମୁଖ୍ୟ ଅଭିଯୁକ୍ତକୁ ଏନକାଉଣ୍ଟର କରି ଧରିଥିଲା। ପୁଲିସର ସୂଚନା ଅନୁସାରେ, ଦୁର୍ଘଟଣା ଘଟାଇଥିବା ୭ରୁ ୮ ଲୋକଙ୍କୁ ଚିହ୍ନଟ କରାଯାଇଛି। ୩ ନାବାଳକଙ୍କୁ ଅଟକ ରଖାଯାଇଥିବା ବେଳେ ଅନ୍ୟମାନଙ୍କୁ ପୁଲିସ ଖୋଜୁଛି।

ଓଡ଼ିଶା ବି ନୁହେଁ ନାରୀ ପାଇଁ ସୁରକ୍ଷିତ !

ଦୁଇଦିନ ତଳେ ଢେଙ୍କାନାଳରେ ମଧ୍ୟ ସମାନ ଘଟଣା ଘଟିଥିଲା। ଢେଙ୍କାନାଳର ଶୈବ ପୀଠ କପିଳାଶରୁ ଫେରୁଥିବା ଯୁବକ ଯୁବତୀଙ୍କୁ ଘେରିଯାଇ ଅସଦାଚରଣ କରିଛି କିଛି ସ୍ତାନୀୟ ଯୁବକ । ଯାହାର ଭିଡିଓ ଭାଇରାଲ ହେବା ପରେ ପୁଲିସ ତଦନ୍ତ ଆରମ୍ଭ ହୋଇଥିଲା। ଏହି ଘଟଣାରେ ତିନି ଜଣକୁ ଅଟକ ରଖାଯାଇଛି।

ସୂଚନା ଅନୁସାରେ, ଗତ ୧୮ ତାରିଖରେ କଟକର ଦୁଇଜଣ ଯୁବକ ଯୁବତୀ କପିଳାଶ ଆସି ଦେଓଗାଁ- ଟାଙ୍ଗି ରାସ୍ତାରେ ବାଇକ ଯୋଗେ ଫେରୁଥିଲେ। ତେବେ ଶୋରିଶିଆ ପଦା ଭଙ୍ଗାରଗଡ଼ା ନିକଟରେ ଏହି ଯୁବକ ଯୁବତୀଙ୍କୁ କିଛି ଯୁବକ ଅସଦାଚରଣ ଓ ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଭିଡିଓ ଭାଇରାଲ ହେଉଥିବା ଜାଣିବା ପରେ ଚୌଦ୍ୱାର ଠାରେ ସେମାନେ ଗତ ୧୯ ତାରିଖରେ ଅଭିଯୋଗ କରିଥିଲେ ।

ଆଉ ଏହି ଆଧାରରେ ଚୌଦ୍ୱାର ଥାନାରୁ ଢେଙ୍କାନାଳ ଗଁନ୍ଦିଆ ଥାନାକୁ ମାମଲାର ତଦନ୍ତ ସ୍ଥାନାନ୍ତରିତ ହୋଇଛି । ପୋଲିସ ତଦନ୍ତକ୍ରମେ ଭାଇରାଲ ଭିଡିଓକୁ ଆଧାର କରି ଭିଡିଓ ଉତ୍ତୋଳନ କରିବା ଓ ଯୁବକ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ୩ ଜଣ, ଗଁନ୍ଦିଆ ଥାନା ଅଂଚଳର ଶୋରିଶିଆ ପଦା ପଂଚାୟତର ବଣିଆ ଗ୍ରାମର ସରୋଜ ନାୟକ, ସମୀର ନାୟକ ଓ ମନ୍ଦାର ପଂଚାୟତ ରାୟପୁର ଗ୍ରାମର ସଂଗ୍ରାମ ରଥଙ୍କୁ ଅଟକ ରଖି ପଚରାଉଚରା କରୁଛି।