ଅଯୋଧ୍ୟା: ରାମ ମନ୍ଦିର ଦାନ ଅର୍ଥ ହେରଫେର ମାମଲାରେ ବଡ଼ ପଦକ୍ଷେପ ନେଇଛି ସୁପ୍ରିମକୋର୍ଟ ନିର୍ଦ୍ଦେଶିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ବା SIT। ବୁଧବାର ଅଯୋଧ୍ୟାର ଅତିରିକ୍ତ ଜିଲ୍ଲା ଜଜ୍ (ଦୁର୍ନୀତି) କୋର୍ଟରେ ୮ ଜଣ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ପ୍ରାୟ ୭୦ ହଜାର ପୃଷ୍ଠାର ଏକ ଚାର୍ଜସିଟ୍ ଦାଖଲ କରାଯାଇଛି। ପ୍ରଥମ ଗିରଫର ୯୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ ହୋଇଛି।

ଚାର୍ଜସିଟ୍ରେ ରାମ ଶଙ୍କର ଯାଦବ ଓରଫ ଟିନ୍ନୁ, ଅନୁକଳ୍ପ ମିଶ୍ର, ଅବିନାଶ ଶୁକ୍ଲା, କରୁଣେଶ ପାଣ୍ଡେ, ମନୀଷ ଯାଦବ, ଲବକୁଶ ମିଶ୍ର, ରାମାଶଙ୍କର ମିଶ୍ର ଏବଂ ସୁଭାଷ ଶ୍ରୀବାସ୍ତବଙ୍କ ନାଁରେ ରହିଛି। ଅଭିଯୁକ୍ତମାନଙ୍କ ବିରୋଧରେ ବିଶ୍ୱାସଭଙ୍ଗ ଏବଂ ଦୁର୍ନୀତି ନିବାରଣ ଆଇନ ଅନୁସାରେ ମାମଲା ରୁଜୁ କରାଯାଇଛି।

ଜୁନ୍ ମାସରେ ଏହି ମାମଲା ରୁଜୁ ହୋଇଥିଲା। ଏସଆଇଟିର ପ୍ରାଥମିକ ତଦନ୍ତରେ ମନ୍ଦିରକୁ ମିଳୁଥିବା ଦାନ ଅର୍ଥରେ ଅନିୟମିତତା ଏବଂ ଅର୍ଥ ହେରଫେର ହୋଇଥିବା ସନ୍ଦେହ ପ୍ରକାଶ ପାଇଥିଲା। ତଦନ୍ତ ସମୟରେ ଅଭିଯୁକ୍ତମାନଙ୍କଠାରୁ ମୋଟ ୭୯ ଲକ୍ଷ ୮୫ ହଜାର ଟଙ୍କା ନଗଦ ଜବତ ହୋଇଥିବା ଏସଆଇଟି ପକ୍ଷରୁ କୁହାଯାଇଛି। କେବଳ ସୁଭାଷ ଶ୍ରୀବାସ୍ତବଙ୍କଠାରୁ କୌଣସି ଟଙ୍କା ମିଳିନଥିଲା। ପ୍ରାୟ ୭୦ ହଜାର ପୃଷ୍ଠାର ଚାର୍ଜସିଟ୍ରେ ୧୦୦ରୁ ଅଧିକ କେସ୍ ଡାଏରୀ, ପ୍ରାୟ ୧୯୦ ଜଣ ସାକ୍ଷୀଙ୍କ ବୟାନ, ବ୍ୟାଙ୍କ ରେକର୍ଡ, ସମ୍ପତ୍ତି ସମ୍ପର୍କିତ ତଥ୍ୟ, ଟଙ୍କାର ଟ୍ରେଲ୍ ଏବଂ ଫୋରେନସିକ୍ ଅଡିଟ୍ ରିପୋର୍ଟ ସାମିଲ ରହିଛି।

Also read- ସୁପ୍ରିମକୋର୍ଟରେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର ଅଧିକାର ପ୍ରସଙ୍ଗ : ୨ ସପ୍ତାହରେ ଜବାବ ରଖିବାକୁ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ

ତଦନ୍ତରେ ମନ୍ଦିର ପରିସର ଭିତରେ ଦାନ ଟଙ୍କା ଗଣତି ସମୟରେ ଅନଧିକୃତ ଭାବେ ନଗଦ ଟଙ୍କା ବାହାର କରିବା କିମ୍ବା ଲୁଚାଇବାର ୧୦୫ଟି ଘଟଣା ସାମ୍ନାକୁ ଆସିଥିବା SIT ଦାବି କରିଛି। ଦାନବାକ୍ସ ଏବଂ ଦାନ କାଉଣ୍ଟରରୁ ଟଙ୍କା ସଂଗ୍ରହଠାରୁ ଆରମ୍ଭ କରି ବ୍ୟାଙ୍କରେ ଜମା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଟଙ୍କାର ଗତିବିଧି ଯାଞ୍ଚ କରାଯାଇଛି। ଗଣତି ସମୟରେ ନଗଦ ଟଙ୍କା ହେରଫେରର ପ୍ରମାଣ ମିଳିଥିବା ବେଳେ ବ୍ୟାଙ୍କକୁ ଟଙ୍କା ନେବା ସମୟରେ ହେରଫେର ହୋଇଥିବାର କୌଣସି ପ୍ରମାଣ ମିଳିନଥିବା ତଦନ୍ତକାରୀମାନେ କହିଛନ୍ତି।

ଏହାସହ ମନ୍ଦିର ଟ୍ରଷ୍ଟର ସଫ୍ଟୱେରରେ ରେକର୍ଡ ହୋଇଥିବା ୮୦୩ଟି ମୂଲ୍ୟବାନ ଦାନ ସାମଗ୍ରୀକୁ ଏସାଇଟି ଯାଞ୍ଚ କରିଛି। ଏଥିରେ କୌଣସି ଅସଙ୍ଗତି ମିଳିନଥିବା କୁହାଯାଇଛି। ରସିଦ ନଥିବା ଆଉ ୮୬ଟି ମୂଲ୍ୟବାନ ସାମଗ୍ରୀକୁ ମଧ୍ୟ ଭୌତିକ ଭାବେ ଯାଞ୍ଚ କରାଯାଇଛି।

ସେହିପରି ୨୦୦ କିଲୋଗ୍ରାମ ରୁପା ଇଟା, ୩୮.୨୮୮ କିଲୋଗ୍ରାମ ରୁପା, ରୁପା ହାର, ଚରଣ ପାଦୁକା ଏବଂ ରାମଚରିତମାନସର ଏକ ପୁସ୍ତକ ସମେତ ବିଭିନ୍ନ ରୁପା ଦାନର ମଧ୍ୟ ଯାଞ୍ଚ କରାଯାଇଛି। ଏଥିସହ ୯୪୪.୪୧୧ କିଲୋଗ୍ରାମ ରୁପାକୁ ତରଳାଇବା ପାଇଁ ସିକ୍ୟୁରିଟି ପ୍ରିଣ୍ଟିଂ ଆଣ୍ଡ ମିଣ୍ଟିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍କୁ ପଠାଯାଇଥିବା ଘଟଣାର ମଧ୍ୟ ଯାଞ୍ଚ ହୋଇଛି।

ଏସଆଇଟି ଅଭିଯୁକ୍ତମାନଙ୍କ ବ୍ୟାଙ୍କ ଖାତା, ଜମା ଓ ଉଠାଣ, ସମ୍ପତ୍ତି, ଗାଡ଼ି, ଗହଣା ଏବଂ ନିର୍ମାଣ କାର୍ଯ୍ୟରେ ହୋଇଥିବା ଖର୍ଚ୍ଚକୁ ମଧ୍ୟ ଯାଞ୍ଚ କରିଛି। ଅଭିଯୁକ୍ତମାନଙ୍କ ଜଣାଶୁଣା ଆୟର ଉତ୍ସ ତୁଳନାରେ ସମ୍ପତ୍ତି ଅସଙ୍ଗତ ଭାବେ ବଢ଼ିଛି କି ନାହିଁ, ସେନେଇ ମଧ୍ୟ ଅନୁସନ୍ଧାନ କରାଯାଇଛି।

ରାମ ମନ୍ଦରି ଚୋରି ଅଭିଯୋଗରେ ସୁପ୍ରିମକୋର୍ଟ ଜୁଲାଇ ୧୩ର ନିର୍ଦ୍ଦେଶ ଦେବା ପରେ ଏସଆଇଟି ଗଠନ କରାଯାଇଥିଲା। ଲକ୍ଷ୍ନୌ ରେଞ୍ଜର ଆଇଜି କିରଣ ଏସ୍ଙ୍କ ନେତୃତ୍ୱରେ ଏହି ଟିମ୍ରେ ଫୈଜାବାଦ ରେଞ୍ଜର ଡିଆଇଜି ସୋମେନ ବର୍ମା ଏବଂ ଅଯୋଧ୍ୟା ଏସ୍ଏସ୍ପି ଗୌରବ ଗ୍ରୋଭର ସାମିଲ ଅଛନ୍ତି। ଫୋରେନସିକ୍ ଅଡିଟ୍ ଏହି ତଦନ୍ତର ଏକ ପ୍ରମୁଖ ଅଂଶ ଥିବା ଅଧିକାରୀମାନେ କହିଛନ୍ତି।