ନୂଆଦିଲ୍ଲୀ: ନୋବେଲ୍ ଚୟନ କମିଟି ପକ୍ଷରୁ ସୋମବାର ୨୦୨୬ ମସିହା ପାଇଁ ଚିକିତ୍ସା ବିଜ୍ଞାନ କ୍ଷେତ୍ର ପାଇଁ ନୋବେଲ୍ ପୁରସ୍କାର ବିଜେତାଙ୍କ ନାଁ ଘୋଷଣା କରାଯାଇଛି । ବୈଜ୍ଞାନିକ କାର୍ଲ ଡାଇସେରୋଥ୍ (Karl Deisseroth), ପିଟର୍ ହେଗେମ୍ୟାନ୍ (Peter Hegemann) ଏବଂ ଜର୍ଜ ନାଗେଲ୍ (Georg Nagel) "ଲାଇଟ୍-ଗେଟେଡ୍ ଆୟନ୍ ଚ୍ୟାନେଲ୍ (light-gated ion channels) ଏବଂ ଅପ୍ଟୋଜେନେଟିକ୍ସ (optogenetics) ସମ୍ବନ୍ଧୀୟ ଆବିଷ୍କାର" ପାଇଁ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ନୋବେଲ୍ ପୁରସ୍କାର ଜିତିଛନ୍ତି ।

ସ୍ୱିଡେନର କାରୋଲିନ୍ସକା ଇନଷ୍ଟିଚ୍ୟୁଟ୍ ମେଡିକାଲ୍ ୟୁନିଭର୍ସିଟିର ନୋବେଲ୍ ଆସେମ୍ବଲି ଦ୍ୱାରା ତିନି ଜଣ ବୈଜ୍ଞାନିକଙ୍କୁ ମିଳିତ ଭାବେ ବିଜେତା ଘୋଷଣା କରାଯାଇଛି । ୫୪ ବର୍ଷୀୟ ଆମେରିକୀୟ କାର୍ଲଡାଇସେରୋଥ୍, ୭୧ ବର୍ଷୀୟ ଜର୍ମାନ ହେଗେମାନ୍ ଏବଂ ୭୩ ବର୍ଷୀୟ ଜର୍ମାନ ଜର୍ଜ ନାଗେଲଙ୍କୁ ଆସେମ୍ୱଲି ଦ୍ୱାରା ମନୋନୀତ କରାଯାଇଛି । ବିଜେତାଙ୍କୁ ୧୨ ନିୟୁତ ସ୍ୱିଡିସ୍ କ୍ରାଉନ୍ (୧.୨ ନିୟୁତ ଡଲାର) ପୁରସ୍କାର ରାଶି ପ୍ରଦାନ କରାଯିବ, ଯାହା ବିଜେତାଙ୍କ ମଧ୍ୟରେ ଭାଗ କରାଯିବ ।

ମସ୍ତିଷ୍କ ଦ୍ୱାରା ବ୍ୟକ୍ତିଗତ ସ୍ନାୟୁ କୋଷର କାର୍ଯ୍ୟକଳାପକୁ ଚାଲୁ କିମ୍ବା ବନ୍ଦ କରିବା ପାଇଁ ବ୍ୟବହାର କରାଯାଉଥିବା ପଦ୍ଧତି ଉପରେ ତିନି ବୈଜ୍ଞାନିକ ଗବେଷଣା କରୁଥିଲେ । ନୋବେଲ ଆସେମ୍ବଲି ବୈଜ୍ଞାନିକଙ୍କୁ ପ୍ରଶଂସା କରି କହିଛି, ଏହି ପଦ୍ଧତି "ବର୍ତ୍ତମାନ ମସ୍ତିଷ୍କର ରହସ୍ୟ ଜାଣିବା ପାଇଁ ବିଶ୍ୱର ବିଭିନ୍ନ ପରୀକ୍ଷାଗାରରେ ବ୍ୟବହୃତ ହେଉଛି ।"

ନୋବେଲ ଆସେମ୍ୱଲିର ସୂଚନା ଅନୁଯାୟୀ, ଡେସେରୋଥ କାଲିଫର୍ନିଆର ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରେ, ହେଗେମ୍ୟାନ୍ ବର୍ଲିନର ହମ୍ବୋଲ୍ଟ ବିଶ୍ୱବିଦ୍ୟାଳୟରେ ଏବଂ ନାଗେଲ୍ ଜର୍ମାନୀର ୱର୍ଜବର୍ଗ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଅଛନ୍ତି । ନୋବେଲ ଆସେମ୍ୱଲି ଅପ୍ଟୋଜେନେଟିକ୍ସକୁ ନ୍ୟୁରୋସାଇନ୍ସରେ ଏକ ନୂତନ ଯୁଗ ଅଭିହିତ କରିଥିଲା । ଏହା ମସ୍ତିଷ୍କ କିପରି କାର୍ଯ୍ୟ କରେ ତାହା ଭଲ ଭାବରେ ଜାଣିବା ପାଇଁ ମସ୍ତିଷ୍କରେ ଥିବା ସ୍ନାୟୁକୋଷ ଓ ସର୍କିଟଗୁଡ଼ିକୁ ଚାଲୁ ଏବଂ ବନ୍ଦ କରିବା ପାଇଁ ଏକ ଆଲୋକ-ନିୟନ୍ତ୍ରିତ ସୁଇଚ୍‌ର ଆବିଷ୍କାର ।

ହେଗେମ୍ୟାନ୍ ଏକ ଏକକୋଷୀ ସବୁଜ ଶୈବାଳ କିପରି ଆଲୋକ ଆଡ଼କୁ ସନ୍ତରଣ କରେ, ସେ ବିଷୟରେ ଅନୁସନ୍ଧାନ କରିବା ପରେ ଏହା ଉପରେ ଅଧିକ ଗବେଷଣା ଆରମ୍ଭ କରିଥିଲେ । ସେ ଏବଂ ନାଗେଲ୍ ଏକ ନିର୍ଦ୍ଦିଷ୍ଟ ପ୍ରୋଟିନ୍ ଆବିଷ୍କାର କରିଥିଲେ, ଯାହା ନୀଳ ଆଲୋକ (ବ୍ଲୁ ଲାଇଟ୍) ଦ୍ୱାରା ଆଲୋକିତ ହେଲେ ଏକ ଇଲେକ୍ଟ୍ରିକାଲ୍ ଇମପଲ୍ସ ସୃଷ୍ଟି କରିବା ପାଇଁ ଏକ ଚ୍ୟାନେଲ ଖୋଲିଦିଏ । ସେହି ପ୍ରୋଟିନକୁ ଅନ୍ୟ କୋଷଗୁଡ଼ିକରେ ପ୍ରବେଶ କରାଇବା ଦ୍ୱାରା ସେଗୁଡ଼ିକ ଲାଇଟ୍-ସେନସେଟିଭ୍ ହୋଇଯାଆନ୍ତି । ଡାଇସେରୋଥ୍ ପରବର୍ତ୍ତୀ ସମୟରେ ଜୀବନ୍ତ ମୂଷାମାନଙ୍କ ମସ୍ତିଷ୍କରେ ଥିବା ସ୍ନାୟୁକୋଷ ପାଇଁ ଏକ ଆଲୋକ-ନିୟନ୍ତ୍ରିତ ସୁଇଚ୍ ତିଆରି କରିବାକୁ ସେହି ପ୍ରୋଟିନକୁ ନିୟନ୍ତ୍ରଣ କରୁଥିବା ଜିନ୍ ସହିତ କାର୍ଯ୍ୟ କରିଥିଲେ ।