ଜାକର୍ତ୍ତା, ୦୭/୦୯ : ଇଣ୍ଡୋନେସିଆରେ ଆଗ୍ନେୟ ଉଦଗିରଣ । ରବିବାର ଭୋର ସମୟରେ ଅନାକ କ୍ରାକାଟାଉ ଆଗ୍ନେୟଗିରିରେ ଅଚାନକ ବିସ୍ଫୋରଣ ହୋଇ ଆତଙ୍କ ଖେଳିଯାଇଛି । ଜନଜୀବନ ଉପରେ ଏହାର ପ୍ରଭାବ ପଡିଛି । ଏଥିପାଇଁ ୧୫୫୮ ଟି ବିମାନ ବାତିଲ କରାଯାଇଛି ।

ରିପୋର୍ଟ ଅନୁସାରେ, ରବିବାର ଆଗ୍ନେୟ ଉଦଗିରଣରେ ଇଣ୍ଡୋନେସିଆ ଥରିଥିଲା । ବିସ୍ଫୋରଣ ପରେ ଆକାଶକୁ ଦୁଇଟି ଧୂମ କୁଣ୍ଡଳି ଉଠିଥିଲା। ଏଥିରୁ ଗୋଟିଏ ପାଖାପାଖି ୨୦ ହଜାର ଫୁଟ ଉଚ୍ଚ ହୋଇଥିବା ବେଳେ ଅନ୍ୟଟି ୫୦ ହଜର ଫୁଟ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ବାୟୁମଣ୍ଡଳରେ ପାଉଁଶ ଭରିବା ଯୋଗୁ ଜାକାର୍ତ୍ତାର ସୋଏକାର୍ଣ୍ଣୋ-ହଟ୍ଟା ଇଣ୍ଟରନ୍ୟାସନାଲ ଏୟାରପୋର୍ଟକୁ ବନ୍ଦ କରିଦିଆଯାଇଥିଲା। ଏହି ଆଗ୍ନେୟଗିରି ଜାଭା ଓ ସୁମାତ୍ରା ଦ୍ୱୀପ ମଧ୍ୟବର୍ତ୍ତୀ ସୁଣ୍ଡା ପ୍ରଣାଳୀରେ ରହିଛି। ଭୂ-ବୈଜ୍ଞାନିକ ସଂସ୍ଥାଙ୍କ ଅନୁସାରେ ଆଗ୍ନେୟଗିରିରେ ଗତ ଶୁକ୍ରବାରଠାରୁ ହଲଚଲ ଆରମ୍ଭ ହୋଇଥିଲା।

ରବିବାର ଭୋରରେ ବିସ୍ଫୋରଣ

ରବିବାର ଭୋର ୩ଟା ୫୩ ମିନିଟରେ ପ୍ରାୟ ୩୦ ସେକେଣ୍ଡ ପର୍ଯ୍ୟନ୍ତ ଆଗ୍ନେୟଗିରିରେ ବିସ୍ଫୋରଣ ହୋଇଥିଲା। ମନିଟରିଂ ପାଇଁ ଲଗାଯାଇଥିବା କ୍ୟାମେରାରେ ଲାଭାର ଚମକ୍ ମଧ୍ୟ ରେକର୍ଡ କରାଯାଇଛି। ସ୍ଥାନୀୟ ପ୍ରଶାସନ ଲୋକଙ୍କୁ ସକ୍ରିୟ ଆଗ୍ନେୟଗିରିଠୁ ଅନୁନ୍ୟ ୩ କିଲୋମିଟର ଦୂରରେ ରହିବାକୁ ସତର୍କ କରିଛି। ଆଗ୍ନେୟଗିରି ବିସ୍ଫୋରଣ ପରେ ବାହାରି ଥିବା ପାଉଁଶ ଦୁଇ ଦିଗକୁ ବ୍ୟାପିଛି। ଏହାର ପ୍ରଭାବ ବ୍ୟାଣ୍ଟନ, ଲ୍ୟାମ୍ପୁଙ୍ଗ, ବେଙ୍ଗକୁଲୁ, ଦକ୍ଷିଣ ସୁଡା ଷ୍ଟ୍ରେଟ୍ ଓ ପଶ୍ଚିମରେ ଭାରତ ମହାସାଗର ପର୍ଯ୍ୟନ୍ତ ଦେଖାଯାଇଛି।

ବିମାନବନ୍ଦର ବନ୍ଦ

ବାୟୁମଣ୍ଡଳରେ ପାଉଁଶ ଭରିଯିବା ଯୋଗୁ ବିପଦକୁ ନଜରରେ ରଖି ସୋଏକର୍ଣ୍ଣ-ହଟ୍ଟା ଏୟାରପୋର୍ଟକୁ ଭୋର୫ଟା ୩୦ ମିନିଟ୍ ରୁ ସକାଳ ସାଢେ ୯ଟା ପର୍ଯ୍ୟନ୍ତ ବନ୍ଦ କରାଯାଇଥିଲା। ବିମାନ ବନ୍ଦର ଅସ୍ଥାୟୀ ବନ୍ଦ କାରଣରୁ ରବିବାର ୨୦୯ଟି ବିମାନ ଚଳାଚଳ ପ୍ରଭାବିତ ହୋଇଥିଲା। ଏବେ ପ୍ରାୟ ୧୫୫୮ଟି ବିମାନକୁ ବାତିଲ କରାଯାଇଛି । ଫଳରେ ଲକ୍ଷେ ୭୦ ହଜାରରୁ ଅଧିକ ଯାତ୍ରୀ ପ୍ରଭାବିତ ହୋଇଛନ୍ତି ।

Also Read :- କନ୍ଦାଉଛି ପିଆଜ ଦାମ୍ ; ହାଟରେ ରେଟ୍ ୬୦, ଖୁଚୁରା ଦୋକାନରେ ୭୦

ସ୍ଥାନୀୟ ମିଡିଆ ଅନୁସାରେ, ଅନ୍ତର୍ଜାତୀୟ ଉଡାଣରେ ସିଙ୍ଗାପୁର ଫ୍ଲାଇଟ୍ ଗୁଡିକ ଉପରେ ଅଧିକ ପ୍ରଭାବ ପଡିଛି। ହଂକଂ, ସିଡନୀ, ଆମଷ୍ଟାରଡମ, ସିଓଲ, ଦୋହା ଓ କୁଆଲାଲମ୍ପୁର ଉଡାଣ ପ୍ରଭାବିତ ହୋଇଛି। ରବିବାର ରାତି ଏବଂ ସୋମବାର ସକାଳେ ଏୟାରପୋର୍ଟ ହ୍ୟାଙ୍ଗରରେ ଥିବା ୧୫୫୮ ବିମାନ ସକାଳେ ଉଡାଣ କରିପାରିନାହାନ୍ତି। ଯାହା ସେଠାକାର ବିମାନ ଯାତ୍ରୀଙ୍କ ଉପରେ ପ୍ରଭାବ ପକାଇଛି ।

ବିଦେଶୀ ନାଗରିକଙ୍କ କହିବାନୁସାରେ, ସେମାନେ ସକାଳୁ ବିମାନବନ୍ଦରରେ ଅପେକ୍ଷା କରିଛନ୍ତି । ହେଲେ ଗୋଟିଏ ହେଲେ ବିମାନ ଚଳାଚଳ କରୁନାହିଁ । ଫଳରେ ସ୍ପେନ୍, ଇଟାଲି ଫ୍ରାନ୍ସ ଆଦି ଯିବାକୁ ଥିବା ଯାତ୍ରୀମାନେ ନାନା ହଇରାଣ ହରକତର ସାମ୍ନା କରୁଥିବା ଦେଖିବାକୁ ମିଳିଛି ।