ଭୁବନେଶ୍ୱର: ୧୫ ଦିନ ବିତିଗଲାଣି । ତଥାପି ଅନୁତାପରେ ଜଳୁଛି । ଛୁଉଁନି ଦାନାପାଣି । ଚାଲିଆଡେ ଚର୍ଚ୍ଚା ସେ କୁଆଡେ ମଣିଷମରା ଗାଈ । ତା ମୁଣ୍ଡରେ ଲାଗିଛି ମାଲିକକୁ ମାରିଦେବାର କଳଙ୍କ ଟିକା । ସେଥିପାଇଁ ତ କାନ୍ଦୁଛି ଗୁମୁରୀ । ଖାଇବା ତ ଦୂରର କଥା ମୁହଁରେ ଟୋପାଏ ପାଣି ଦେଉନି । ଶରୀର କ୍ଷୀଣ ହୋଇ କଙ୍କାଳ ବାହାରି ପଡ଼ିଲାଣି । ଖବର ପ୍ରସାରିତ ହେବା ପରେ ଗୋରକ୍ଷା ସମିତି ସଦସ୍ୟ ପହଞ୍ଚି ଡାକ୍ତରଙ୍କ ଜରିଆରେ ତା ଦେହରେ ସାଲାଇନ ଚଢ଼େଇଛନ୍ତି ।

ସୂଚନା ଥାଉକି, ମାଲିକଙ୍କୁ ଜୀବନରୁ ମାରିଦେବା ଅନୁତାପରେ ଜର୍ଜରିତ ବହୁ ଚର୍ଚ୍ଚିତ ଗାଈ ‘ମୁଗେଇ’ ଏବେ ବି ନିଜ ଜିଦ୍‌ରେ ଅଟଳ । ମାଲିକ ମୃତ୍ୟୁକୁ ୧୫ ଦିନ ଅତିକ୍ରାନ୍ତ ହୋଇ ସାରିଥିଲେ ବି ଏବେ ବି ସେ ଅନ୍ନ ଜଳ ସ୍ପର୍ଶ କରୁନି । ଫଳରେ ଦୁର୍ବଳ ହୋଇଯାଇଥିବା ମୁଗେଇ ଏବେ ଆଉ ଉଠିବାକୁ ବଳ ପାଉନି । ଏହି ଖବର ପ୍ରଚାର ହେବା ପରେ ସୋମବାର ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ତା’ର ଚିକିତ୍ସା ଆରମ୍ଭ କରିଛି । ଏହି ଟିମ୍ ପକ୍ଷରୁ ଏବେ ମୁଗେଇକୁ ସାଲାଇନ୍ ଦିଆଯିବା ସହ ଜୀବନ ରକ୍ଷାକାରୀ ଔଷଧ ଦିଆଯାଉଛି ।

Also Read...Berhampur Businessman Murder : ସୁଧିରଙ୍କ ସ୍ତ୍ରୀଙ୍କୁ କୋଟିଏ ମାଗୁଥିଲା କିଡ୍‌ନାପର, କହୁଥିଲା- ଆମକୁ ୫୦ ଲକ୍ଷ ମିଳିଛି, ତୁମେ ଡବଲ୍ ଦିଅ, ନହେଲେ...

ଶରୀରର ଆହତ ଅପେକ୍ଷା ତା’ ମନର କଷ୍ଟ ଏହି ନିରୀହ ପଶୁଟିକୁ ଅଧିକ ଯନ୍ତ୍ରଣା ଦେଉଛି ବୋଲି ଚିକିତ୍ସିତ ଟିମ୍ ପକ୍ଷରୁ ସୂଚନା ଦିଆଯାଇଛି । ଦୁଇ ସପ୍ତାହ ଧରି ଅନ୍ନ ଜଳ ତ୍ୟାଗ କରିବା ଫଳରେ ମୁଗେଇର ସ୍ୱାସ୍ଥ୍ୟାବସ୍ଥା ଏବେ ବିଗିଡ଼ିବାରେ ଲାଗିଛି । ଗୋଟିଏ ପକ୍ଷରେ ମୁଗେଇ ନିଜ ଭୁଲ ପାଇଁ ଅନୁତାପରେ ମ୍ରିୟମାଣ ଥିବାବେଳେ ପୁରୁଣା ମାଲିକ କିମ୍ବା ନୂଆ ମାଲିକ ତାକୁ ନିଜ ଘରକୁ ନେଉନଥିଲେ ।

ଏହା ଜାଣିବା ପରେ ମୁଗେଇକୁ ଗୋ-ସେବକ ଦଳ ନିଜ ଦାୟିତ୍ୱରେ ରେମୁଣାସ୍ଥିତ ଗୋଶାଳାକୁ ଆଣି ରଖିଛନ୍ତି । ସେଠାରେ ତାକୁ ବିଭିନ୍ନ ସେବା ଯୋଗାଇ ଦିଆଯାଉଛି । ରେମୁଣା ବ୍ଲକ ଖୁସାଲିଗଞ୍ଜ ଗାଁରେ ପାଳିତ ଗାଈ ମୁଗେଇ ଚଳିତ ମାସ ୧୧ ତାରିଖରେ ତା’ ମାଲିକ ରାମଚନ୍ଦ୍ର ମହାରଣାଙ୍କୁ ଶିଙ୍ଗରେ ଠେଲି ଦେଇଥିଲା । ଏଥିରେ ଗୁରୁତର ଆହତ ହୋଇ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା ରାମଚନ୍ଦ୍ରଙ୍କର ଏହି ଘଟଣାର ୨ ଦିନ ପରେ ମୃତ୍ୟୁ ହୋଇଥିଲା । ଏହା ଜାଣିବା ପରେ ମୁଗେଇ ନିଜ କଲା କର୍ମର ପଶ୍ଚାତାପ କରିବା ସହ ଅନ୍ନଜଳ ସ୍ପର୍ଶ କରୁନଥିଲା ।