ନୀଳଗିରି: ହିନ୍ଦୁ ଧର୍ମରେ ଗାଈକୁ ମାଆର ସମ୍ମାନ ଦିଆଯାଏ। ସେହି ଗୋ- ମାତା ବି ଖୁବ୍ ସମ୍ବେଦନଶୀଳ। ମଣିଷ ଭଳି ଭାବପ୍ରବଣତା ରହିଛି ତା’ ପାଖରେ। ଯାହାର ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଖୁସାଲିଗଞ୍ଜ ଗ୍ରାମରେ। ଗାଁର ରାମଚନ୍ଦ୍ରଙ୍କ ମୃତ୍ୟୁ ପରେ ତାଙ୍କ ପାଳିତ ଗାଈ ମଲ୍ଲୀ ଏବେ ଝୁରୁଛି ତାଙ୍କୁ। ୧୩ ଦିନ ହେଲାଣି ଖାଦ୍ୟ ବି ଖାଉନି। ଆଉ ମଲ୍ଲୀର ଏ ଅବସ୍ଥାକୁ ସମ୍ଭାଳିପାରୁନାହାନ୍ତି ପରିବାର ଲୋକ।

ସୂଚନା ଅନୁସାରେ, ଗାଁର ରାମଚନ୍ଦ୍ର ମହାରଣା ଓ ସୁନତି ମହାରଣାଙ୍କ ଗୁହାଳରେ ୫/୬ ଗାଈ ଅଛନ୍ତି। ତା’ ମଧ୍ୟରେ ପ୍ରାୟ ପାଞ୍ଚବର୍ଷ ପୂର୍ବେ ତଳେ ହୋଇଥିଲା ବାଛୁରୀ ମଲ୍ଲୀ। ଯାହାକୁ ଉଭୟ ଅତି ସ୍ନେହ ଆଦରରେ ପାଳନ କରିଥିଲେ। ତେବେ ଗାଁର ଜଣେ ଯୁବକ ଏକ ଗାଈର ଲାଳନ ପାଳନ ପାଇଁ ଅନୁରୋଧ କରିବାରୁ ସେ ମଲ୍ଲିକୁ ଦେଇଦେବା ପାଇଁ ଚାହିଁଥିଲେ। ଆଉ ଗତ ୧୨ ତାରିଖର ଉକ୍ତ ବ୍ୟକ୍ତିଙ୍କୁ ମଲ୍ଲୀକୁ ବିଦାୟ ଦେବା ବେଳେ ଦୁର୍ଭାଗ୍ୟବଶତଃ ମଲ୍ଲୀ ରାମଚନ୍ଦ୍ରଙ୍କୁ ଠେଲି ଦେଇଥିଲା। ଏଥିରେ ତଳେ ପଡ଼ି ଯାଇଥିଲେ ରାମଚନ୍ଦ୍ର। ଆଉ ଏଥିରେ ତାଙ୍କ ମୃତ୍ୟୁ ହୋଇଥିଲା।

ଆଉ ସେବେଠାରୁ ସେ ଅନୁତାପ କରୁଛି। ଖାଇବା ପିଇବା ଛାଡ଼ିଦେଇଛି ମଲ୍ଲୀ। ଦୁଃଖରେ ଭାଙ୍ଗି ପଡ଼ିଛି। ନିଜକୁ କ୍ଷମା କରିପାରୁନି, କି ନିଜକୁ ସହଜ କରିପାରୁନି। ନା ସେ ଘରକୁ ଫେରି ପାରୁଛି ନା ପେଟକୁ ଦାନା ନେଉଛି। ଯେଉଁ ସ୍ନେହ ମମତାର ପଘାରେ ସେ ବନ୍ଧା ହୋଇଥିଲା ଆଜି ତାର ସାମାନ୍ୟ ଭୁଲ ପାଇଁ ସେ ପଘା ଛିଣ୍ଡି ଯାଇଛି। ଆଉ ସେଇଥିପାଇଁ ତ ସେ କିଛି ନ ଖାଇ ନ ପ୍ରାୟ ୧୩ ଦିନ ହେବ ପିଇ ଗୋଟିଏ ସ୍ଥାନରେ ପଡ଼ି ରହୁଛି। ବୋଧ ହୁଏ ନିଜ ମାଲିକକୁ ସେ ମାରିଦେଇଥିବାର ଅଭିଯୋଗ ନିଜ ମୁଣ୍ଡରେ ଧରି ସେ ଏଠି ସେଠି ବୁଲୁଛି।

ଅବଶ୍ୟ ମାଲିକଙ୍କ ସୁଧଘର ଦିନ କେହି ଜଣେ କିଛି ଦେବାରୁ ସେ ସାମାନ୍ୟ କିଛି ଖାଇଥିଲା। କିନ୍ତୁ ଏବେବି ସେ ସ୍ବାଭାବିକ ହୋଇପାରୁନି। ରାମଚନ୍ଦ୍ରଙ୍କ ପତ୍ନୀ କହନ୍ତି ତାର ଖୁବ ଯତ୍ନ ନେଉଥିଲେ । ଗାଈର ଅବସ୍ଥା ଧୀରେ ଧୀରେ ଖରାପ ହେଉଥିବା ବେଳେ କାହାକୁ ବି ସେ ପାଖ ପଶିବାକୁ ଦେଉନାହିଁ।