ନୂଆଦିଲ୍ଲୀ: ଜୀବନରେ କେତେବେଳେ କାହାର ଭାଗ୍ୟ ବଦଳିଯିବ, ତାହା କେହି କହିପାରିବେ ନାହିଁ । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପଞ୍ଜାବର କୋଟକପୁରା ସହରରେ । ପିଲାଙ୍କ ପାଇଁ ପୋଷାକ କିଣିବାକୁ ବଜାରକୁ ବାହାରିଥିବା ଜଣେ ସାଧାରଣ ଗୃହିଣୀ ମାତ୍ର ୭ ଟଙ୍କା ଖର୍ଚ୍ଚରେ ଏକ ଲଟେରୀ ଟିକେଟ୍ କିଣିଥିଲେ । ଯାହା ତାଙ୍କୁ ରାତା ରାତି କୋଟିପତି କରିଦେଇଛି ।

ମିଳିଥିବା ସୂଚନା ଅନୁଯାୟୀ, ସିକ୍କିମ କୋଟକପୁରାର ବିମଳା ଦେବୀ ନିଜ ପିଲାଙ୍କ ପାଇଁ ସପିଂ କରିବାକୁ ରେଳଷ୍ଟେସନ ନିକଟସ୍ଥ 'ଷ୍ଟାର୍ ଲଟେରୀ ଷ୍ଟଲ୍' ପାଖକୁ ଯାଇଥିଲେ । ସେଠାରେ ସେ ଏକ ଲଟେରୀ ଦୋକାନ ଦେଖିଥିଲେ ଏବଂ ହଠାତ୍ ଇଚ୍ଛା ହେବାରୁ ମାତ୍ର ୭ ଟଙ୍କା ଦେଇ ଗୋଟିଏ ଲଟେରୀ ଟିକେଟ୍ କିଣିନେଇଥିଲେ । ହେଲେ ସେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ ଯେ, ଏହି ସାତ ଟଙ୍କା ତାଙ୍କ ପରିବାରର ସବୁ ଆର୍ଥିକ ସମସ୍ୟା ଦୂର କରିଦେବ ।

ସିକ୍କିମ୍ ସରକାରଙ୍କ ଏହି ଲଟେରୀର ଫଳାଫଳ ବାହାରିବା ପରେ ଲଟେରୀ ଦୋକାନୀ ନରେଶ ମୋଙ୍ଗା ସିଧାସଳଖ ବିମଳାଙ୍କ ପରିବାର ସହିତ ଯୋଗାଯୋଗ କରିଥିଲେ । ସେ ଖୁବ୍ ଖୁସିର ସହ ଜଣାଇଥିଲେ ଯେ, ବିମଳା କିଣିଥିବା ଟିକେଟଟି ୧ କୋଟି ଟଙ୍କାର ପ୍ରଥମ ପୁରସ୍କାର ଜିତିଛି । ଏହି ସମ୍ବାଦ ଶୁଣିବା ମାତ୍ରେ ପରିବାରର ଆନନ୍ଦର ସୀମା ରହି ନଥିଲା ।

ଜଣାପଡ଼ିଛି, ବିମଳାଙ୍କ ସ୍ୱାମୀ ଜଣେ ଦିନମଜୁରିଆ । ଆଜିର ମହଙ୍ଗା ଯୁଗରେ ପରିବାର ପ୍ରତିପୋଷଣ କରିବା ତାଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ଥିଲା । ଏଭଳି ସ୍ଥିତିରେ ଏହି କୋଟିଏ ଟଙ୍କାର ପୁରସ୍କାର ଖବର ପାଇବା ପରେ ସମସ୍ତେ ଲଟେରୀ ଦୋକାନରେ ପହଞ୍ଚିଥିଲେ ଏବଂ ଦୋକାନୀ ମଧ୍ୟ ସେଠାରେ ମିଠା ବାଣ୍ଟି ସେଲିବ୍ରେସନ୍ କରିଥିଲେ । ପରିବାର ଲୋକେ ଖୁସିରେ ନାଚିଥିବାବେଳେ ଆଖପାଖର ପଡ଼ୋଶୀ ଓ ପରିଜନ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

Also Read: ଟେସଲାକୁ ସ୍ୱାଗତ କଲା ଆଲେଫ୍ ଏରୋନେଟିକ୍ସ: ଚର୍ଚ୍ଚାରେ ଏହି ଦୁଇ କମ୍ପାନୀର ଫ୍ଲାଇଂ କାର୍

ବିମଳା ଦେବୀ କହିଛନ୍ତି ଯେ, ସ୍ୱାମୀଙ୍କ ଅଳ୍ପ ଆୟରେ ପରିବାର ଚଳାଇବା ବହୁତ କଷ୍ଟକର ଥିଲା । କିନ୍ତୁ ଏହି ଟଙ୍କା ମିଳିବା ପରେ ସେମାନଙ୍କ ଜୀବନରେ ଏକ ନୂଆ ଆଶା ସଞ୍ଚାର ଦେଖାଦେଇଛି । ଟଙ୍କାକୁ କିପରି ସଠିକ୍ ଭାବେ ବିନିଯୋଗ କରାଯିବ ସେନେଇ ପରିବାରର ସମସ୍ତ ସଦସ୍ୟଙ୍କ ସହ ଆଲୋଚନା କରାଯିବ । ପିଲାମାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ସହିତ ଏକ ଛୋଟ ବ୍ୟାବସାୟ ଆରମ୍ଭ କରିବା ପାଇଁ ସେମାନେ ଚିନ୍ତା କରୁଛନ୍ତି ।

ଲଟେରୀ ଷ୍ଟଲ୍ ଅପରେଟର୍ ନରେଶ ମୋଙ୍ଗା କହିଛନ୍ତି ଯେ ସେ ଗତ ୬ ମାସ ହେଲା ଏହି ବ୍ୟବସାୟ କରୁଛନ୍ତି । ତାଙ୍କ ଦୋକାନରୁ ପୂର୍ବରୁ ମଧ୍ୟ କିଛି ଛୋଟମୋଟ ପୁରସ୍କାର ବାହାରିଥିଲା, କିନ୍ତୁ ପ୍ରଥମ ଥର ପାଇଁ ତାଙ୍କ ଦୋକାନରୁ କେହି କୋଟିପତି ହୋଇଛନ୍ତି, ଯାହାକୁ ନେଇ ସେ ମଧ୍ୟ ବେଶ୍ ଖୁସି ଅଛନ୍ତି ।