ପୁରୀ ୨୩।୧୦ : ଆସନ୍ତା ୨୬ ତାରିଖ ସୋମବାର ଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ କାର୍ତ୍ତିକ ବ୍ରତ। ଶ୍ରୀକ୍ଷେତ୍ରରେ ରହି ହବିଷ୍ୟ ବ୍ରତ ପାଳନ କରିବା ସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ସ୍ବତନ୍ତ୍ର ବେଶ ଦର୍ଶନ କରିବେ ବ୍ରତ ଧାରିଣୀ। ବ୍ରତ ଧାରିଣୀଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାୟକ ପୁରୀ ଗସ୍ତରେ ଆସି ବୃନ୍ଦାବତୀ ନିବାସ ଯାଇ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ପୁରୀ ଏସପି ପ୍ରତୀକ ସିଂ, ସିଟି ଡିଏସପି ସମସ୍ତ ବ୍ୟବସ୍ଥା ଉପରେ ଆଇଜିଙ୍କୁ ଅବଗତ କରାଇଥିଲେ। ସମୀକ୍ଷା ପରେ କେନ୍ଦ୍ରାଞ୍ଚଳ ଆଇଜି କହିଛନ୍ତି ହବିଷ୍ୟାଳୀ ଶିବିର ଠାରୁ ଶ୍ରୀମନ୍ଦିର ଯାଏଁ ସମସ୍ତ ପ୍ରସ୍ତୁତି ପୋଲିସ ପକ୍ଷରୁ କରାଯାଇଛି। ବିଶେଷ କରି ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା, ଶ୍ରୀମନ୍ଦିର ଭିତରେ ଓ ବାହାରେ ଭକ୍ତଙ୍କ ସୁରକ୍ଷା ନେଇ ପୋଲିସ ସମ୍ପୂର୍ଣ୍ଣ ସଜାଗ ଅଛି।

Also Read:-ଦୀର୍ଘ ୧୦ ମାସ ପରେ ପ୍ରଥମ ଥର ୨ ଲକ୍ଷ ତଳକୁ ଖସିଲା ରୁପା ଦର; ସୁନା ଦରରେ ୩୫ ହଜାର ଟଙ୍କା ହ୍ରାସ

ସେହିପରି ସୁରକ୍ଷା ଦାୟିତ୍ବରେ ସମୁଦାୟ ୨୦ ପ୍ଲାଟୁନ ପୋଲିସ ଫୋର୍ସ ସହ ବରିଷ୍ଠ ପୋଲିସ ଅଧିକାରୀ ମୁତୟନ ରହିବେ। କେବଳ ହବିଷ୍ୟାଳୀ ଶିବିରରେ ପାଞ୍ଚ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ଚଳିତ ଥର ବୃନ୍ଦାବତୀ ନିବାସ, ମୋଚି ସାହି କଲ୍ୟାଣ ମଣ୍ଡପ, ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ଠାରେ ହବିଷ୍ୟାଳୀ ମାନେ ରହି ବ୍ରତ ପାଳନ କରିବେ। ସେହିପରି ବିଭିନ୍ନ ମଠବାଡି, ଲଜ୍, ଧର୍ମଶାଳାରେ ରହି ହବିଷ ବ୍ରତ ପାଳନ କରିବେ ହବିଷ୍ୟାଳୀ। ହବିଷ୍ୟାଳୀମାନଙ୍କୁ ପୋଲିସ କିଭଳି ଉତ୍ତମ ବ୍ୟବହାର କରିବ ସେନେଇ ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି।