ନୂଆଦିଲ୍ଲୀ: ଅପରେସନ ସିନ୍ଦୂରର ପାଖାପାଖି ବର୍ଷକ ପରେ ଭାରତ ଓ ପାକିସ୍ତାନର ୧୦୦ରୁ ଅଧିକ ରାଜନୈତିକ ଓ ସାର୍ବଜନିକ ବ୍ୟକ୍ତିତ୍ୱ ମିଳିତ ରୂପେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ପାକ୍ ସମକକ୍ଷ ଶହବାଜ ସରିଫଙ୍କୁ ଏକ ପତ୍ର ଲେଖିଛନ୍ତି। ଏଥିରେ ସେମାନେ ଦୁଇ ଦେଶଙ୍କ ମଧ୍ୟରେ ଶାନ୍ତି, ବାର୍ତ୍ତା ଓ ସ୍ୱଭାବିକ ଦ୍ୱୀପାକ୍ଷୀୟ ସମ୍ପର୍କ ପୁଣି ସ୍ଥାପିତ କରିବା ଦିଗରେ ମଜଭୁତ ଓ ନିରନ୍ତର ପଦକ୍ଷେପ ନେବାକୁ ଅପିଲ କରିଛନ୍ତି।

ସେଣ୍ଟର ଫର ପିସ୍ ଆଣ୍ଡ ପ୍ରୋଗ୍ରେସ୍ ଦ୍ୱାରା ଭାରତର ୬୧ ଜଣ ଓ ପାକିସ୍ତାନର ୫୬ ଜଣ ମୋଟ ୧୧୭ ଜଣଙ୍କ ସ୍ୱାକ୍ଷରିତ ନିବେଦନରେ ଉଭୟ ସରକାରଙ୍କୁ ଦୀର୍ଘ ସମୟରୁ ଚାଲିଥିବା ଶତ୍ରୁତାକୁ ସମାପ୍ତ କରିବାକୁ ଆଗ୍ରହ କରାଯାଇଛି। ଏଥିରେ କୁହାଯାଇଛି ଯେ ସରକାରଙ୍କ ଏଭଳି ମନବୃତ୍ତି ଯୁବପିଢୀଙ୍କୁ ଅବସର, ସମୃଦ୍ଧି ଓ ଏକ ସୁରକ୍ଷିତ ଭବିଷ୍ୟରୁ ବଞ୍ଚିତ କରୁଛି। ଏଥିରେ ଭାରତୀୟ ସ୍ୱାକ୍ଷରକାରୀଙ୍କ ମଧ୍ୟରେ ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା, ବିଛିନ୍ନତାବାଦୀ ନେତା ମୀରୱାଇଜ ଉମର ଫାରୁକ, ପିଡିପି ମୁଖ୍ୟ ମେହବୁବା ମୁଫ୍ତି, ଆରଜେଡି ସାଂସଦ ମନୋଜ ଝା ଓ ପୂର୍ବତନ ଟିଏମସି ମନ୍ତ୍ରୀ ତଥା ବର୍ତ୍ତମାନର ଏଜେୟୁପି ନେତା ହୁମୟୁନ କବୀର ଆଦି ଅଛନ୍ତି।

ସେହିପରି ପାକିସ୍ତାନୀ ସ୍ୱାକ୍ଷରକାରୀଙ୍କ ମଧ୍ୟରେ ପୂର୍ବତନ ବିଦେଶ ମନ୍ତ୍ରୀ ଖୁର୍ସିଦ ମହମଦ କସୁରୀ, ପୂର୍ବତନ କୂଟନୀତିଜ୍ଞ ଅସରଫ ଜାହାଙ୍ଗୀର କାଜି, ନ୍ୟାସନାଲ ଆସେମ୍ବ୍ଲି ସଦସ୍ୟ ଇସଫନ୍ୟାର ଭଣ୍ଡାରା ଓ ପରମାଣୁ ଭୌତିକ ବୈଜ୍ଞାନିକ ତଥା ଲେଖକ ପରଭେଜ ହୁଡଭୋୟୋ ଆଦି ଅଛନ୍ତି। ସ୍ୱାକ୍ଷରକାରୀମାନେ ଉଭୟ ନେତାଙ୍କୁ ବିଶ୍ୱାସ ନିର୍ମାଣ ଉପାୟଗୁଡିକୁ ପୁନର୍ଜୀବିତ କରିବାକୁ ଯେଉଁଥିରେ ପୂର୍ଣ୍ଣ କୂଟନୈତିକ ସମ୍ପର୍କ ସ୍ୱଭାବିକ କରିବା, ନୂଆଦିଲ୍ଲୀ ଓ ଇସ୍ଲାମାବାଦରେ ଉଚ୍ଚାୟୁକ୍ତଙ୍କ ପୁନଃ ନିଯୁକ୍ତି, ଭିସା ସେବା ସ୍ୱଭାବିକ କରିବା ଓ ବାଣିଜ୍ୟିକ ଉଡାଣ ନିମନ୍ତେ ଆକାଶ ସୀମା ପୁଣି ଖୋଲିବାକୁ ଆଗ୍ରହ କରିଛନ୍ତି।

ଏହି ଅପିଲ ଏପରି ସମୟରେ ଆସିଛି ଯେତେବେଳେ ନୂଆଦିଲ୍ଲୀ ତାର ପାକିସ୍ତାନ ପ୍ରତି ଦୃଷ୍ଟିକୋଣ ଅପରିବର୍ତ୍ତିତ ରଖିଥିବାର ବାରମ୍ବାର ଦୋହରାଉଛି। ଏଥିରେ ନୂଆଦିଲ୍ଲୀ ଆତଙ୍କବାଦ ଓ ବାର୍ତ୍ତା, ଆତଙ୍କବାଦ ଓ ବାଣିଜ୍ୟ ଏକ ସାଙ୍ଗରେ ଚାଲି ପାରିବନି ବୋଲି କହୁଛି। ଏହା ଛଡା ଭାରତ ଏହା ବି ସ୍ପଷ୍ଟ କରିଛି ଯେ ଦ୍ୱିପାକ୍ଷୀୟ ସମ୍ପର୍କରେ କୌଣସି ବି ସୁଧାର ସୀମାପାର ଆତଙ୍କବାଦର ଅନ୍ତ ଉପରେ ନିର୍ଭର କରେ। ତେବେ ସ୍ୱାକ୍ଷରକାରୀମାନେ ବାଣିଜ୍ୟ ଓ ଯାତ୍ରା ନିମନ୍ତେ ଅଟାରୀ-ୱାଘା ସୀମାକୁ ପୁଣି ଖୋଲିବା, ଶ୍ରୀନଗର ମୁଜଫରାବାଦ ବସ୍ ସେବା ପୁଣି ଆରମ୍ଭ କରିବା ଓ ଅନ୍ୟ ସୀମାରେ ମଧ୍ୟ ସମ୍ପର୍କ ଲାଗି ପଦକ୍ଷେପ ଦାବି କରିଛନ୍ତି।

ପତ୍ରରେ କୁହାଯାଇଛି ଯେ ଭାରତ-ପାକିସ୍ତାନ ମିଳିତ ଏକ ପଞ୍ଚମାଂସ ମାନବ ଜାତିର ଘର ଓ ଆମ ଜନସଂଖ୍ୟାର ଏକ ବିଶାଳ ଅଂଶ ହେଉଛନ୍ତି ଯୁବକ। ଏଣୁ ଦୁଇ ଦେଶର ଲୋକେ ନିରନ୍ତର ପରସ୍ପର ପ୍ରତି ଅବିଶ୍ୱାସ ରଖିବା ଓ ମୁହାଁମୁହିଁ ହୋଇ ରହିବା ବଦଳେ ଶାନ୍ତି, ବିକାଶ, ସମ୍ପର୍କ ଓ ସହଯୋଗରେ ପରିଭାଷିତ ଭବିଷ୍ୟର ହକଦାର ଅଟନ୍ତି। ଦୀର୍ଘ ଦଶନ୍ଧୀରୁ ପୃଥକତା ଆମର ସାମୂହିକ କ୍ଷମତାକୁ ବାଧିତ କରିଛି, ଏହାର ପରିଣାମ ସ୍ୱରୂପ ସାମାଜିକ, ଆର୍ଥିକ ଓ ମାନବୀୟ ସ୍ତରରେ ଅନେକ କ୍ଷତି ହୋଇଛି। ଏଥିରୁ ଆମେ ଭାବୁଛୁ ନିରନ୍ତର ସମ୍ପର୍କ ଓ ବାର୍ତ୍ତା ଆମ ମତପାର୍ଥକ୍ୟ ସମାଧାନ କରିବାରେ ଓ ଏକ ସ୍ଥିର ଓ ସମୃଦ୍ଧ କ୍ଷେତ୍ର ନିର୍ମାଣରେ ଏକମାତ୍ର ବ୍ୟବହାର୍ଯ୍ୟ ମାର୍ଗ।

ଏହି ନିବେଦନରେ ଜମ୍ମୁ-କାଶ୍ମୀର ସମେତ ସମସ୍ତ ଲମ୍ବିତ ପ୍ରସଙ୍ଗରେ ବ୍ୟାପକ ଦ୍ୱୀପାକ୍ଷୀୟ ବାର୍ତ୍ତା ପୁଣି ଆରମ୍ଭ କରିବାକୁ, ୨୦୦୪-୨୦୦୭ ମଧ୍ୟରେ ହୋଇଥିବା ଏମଓୟୁର ଢାଞ୍ଚା ସମୀକ୍ଷା କରିବା, ଅସୈନ୍ୟ କରଣ ଓ ଉତ୍ତେଜନା ହ୍ରାସ ଦିଗରେ କାମ କରିବା ଓ ଉଭୟ ଦେଶର ବୈଧ ସୁରକ୍ଷା ଚିନ୍ତାକୁ ଦୂର କରିବାକୁ ମଧ୍ୟ ଆହ୍ୱାନ କରାଯାଇଛି। ସ୍ୱାକ୍ଷରକାରୀମାନେ ବିଶ୍ୱାସ ବଢାଇବାର ଉପାୟ ଭାବେ କର୍ତାରପୁର ଶାହିବ କରିଡୋରକୁ ପୁଣି ଖୋଲିବା, ପାକିସ୍ତାନ ନିଲମ ଘାଟିର ଶାରଦା ପୀଠକୁ ପୁଣି ପହଞ୍ଚ ପ୍ରଦାନ କରିବା ଓ ସୀମାର ଉଭୟପଟେ ଧାର୍ମିକ ଓ ସାଂସ୍କୃତିକ ଐତିହ୍ୟ ସ୍ଥଳକୁ ଯାତ୍ରା ସୁଗମ କରିବା ପାଇଁ ମଧ୍ୟ ଆଗ୍ରହ କରାଯାଇଛି।

ପତ୍ରରେ କୁହାଯାଇଛି ଯେ ଆପଣମାନେ ଜନତାଙ୍କ ଆକାଙକ୍ଷାକୁ ଶୁଣନ୍ତୁ ଓ ପୃଥକତା ସ୍ଥାନରେ ସହଭାଗିତା, ଶତ୍ରୁତା ବଦଳେ ବାର୍ତ୍ତା ଓ ବିବାଦ ବଦଳେ ସହଯୋଗକୁ ବାଛନ୍ତୁ। ଦକ୍ଷିଣ ଏସିୟାର ଭବିଷ୍ୟତ ବିଭାଜନ ଓ ସଂଘର୍ଷରେ ନୁହେଁ ବରଂ ଶାନ୍ତି, ପ୍ରଗତି ଓ ପାରସ୍ପରିକ ପ୍ରଗତିରେ ଆକାର ନେବା ଦରକାର। ଏହି ନିବେଦନରେ କୌଣସି ରାଜନୈତିକ ବିଚାରଧାରର ସମର୍ଥନ କରୁନି। ଏହା କୋଟିକୋଟି ଜନାତଙ୍କ କଲ୍ୟାଣ, ଆକାଙକ୍ଷା ଓ ଭବିଷ୍ୟତର ସଂଘର୍ଷ, ବିଭାଜନରୁ ଉପରେ ରଖିବାକୁ ଆହ୍ୱାନ କରୁଛି।