ମୁମ୍ବାଇ-; ଗୋଟିଏ ଫିଲ୍ମ… ତିନି ବଡ଼ ତାରକା… ଆଉ ଚାରିଆଡ଼େ ଅନେକ ପ୍ରଶ୍ନ। ଅମିତାଭ ବଚ୍ଚନ, ଜୟା ବଚ୍ଚନ ଓ ରେଖାଙ୍କୁ ନେଇ ତିଆରି ହୋଇଥିବା ‘ସିଲସିଲା’ ହିନ୍ଦୀ ସିନେମାର ଏମିତି ଏକ ଫିଲ୍ମ, ଯାହାର କାହାଣୀଠାରୁ ଅଧିକ ଚର୍ଚ୍ଚା ହୋଇଥିଲା ଏହାର କଳାକାରଙ୍କୁ ନେଇ।

ବିବାହିତ ଜୀବନ, ପ୍ରେମ ଓ ବିବାହ ବାହାର ସମ୍ପର୍କକୁ ନେଇ ତିଆରି ହୋଇଥିଲା ୟସ ଚୋପ୍ରାଙ୍କ ଏହି ଚଳଚ୍ଚିତ୍ର। କିନ୍ତୁ ‘ସିଲସିଲା’ ଯେତେବେଳେ ତିଆରି ହେଉଥିଲା, ସେତେବେଳେ ଫିଲ୍ମର କାହାଣୀ ସହ ଅମିତାଭ ଓ ରେଖାଙ୍କ ସମ୍ପର୍କକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟ ଖବରର ଶିରୋନାମାରେ ଥିଲା।

ଆଉ ଏହି କାରଣରୁ ‘ସିଲସିଲା’ର ପ୍ରତ୍ୟେକ ଦୃଶ୍ୟକୁ ନେଇ ଦର୍ଶକଙ୍କ ଦୃଷ୍ଟି ଭଙ୍ଗୀ ଭିନ୍ନ ଥିଲା । ‘ସିଲସିଲା’ର ଆଜି ଯେଉଁ ରୂପ ଆମେ ଦେଖୁଛୁ, ତାହା ଆରମ୍ଭରୁ ଏମିତି ନଥିଲା। ଫିଲ୍ମରେ ଅମିତାଭ ବଚ୍ଚନଙ୍କ ସହ ପ୍ରଥମେ ସ୍ମିତା ପାଟିଲ ଓ ପରଭିନ ବାବିଙ୍କୁ ନିଆଯାଇଥିବା କୁହାଯାଏ। ସ୍ମିତା ପାଟିଲ ପରେ ଜୟା ବଚ୍ଚନ କରିଥିବା ଭୂମିକାରେ ଏବଂ ପରଭିନ ବାବି ପରେ ରେଖା କରିଥିବା ଭୂମିକାରେ ଅଭିନୟ କରିବାର ଥିଲା।

କିନ୍ତୁ ଫିଲ୍ମ ଆରମ୍ଭ ହେବା ପୂର୍ବରୁ ହିଁ ବଦଳିଗଲା ସବୁକିଛି। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ ପରଭିନ ବାବିଙ୍କ ସ୍ଥାନରେ ରେଖା କାହିଁକି ? ଚଳଚ୍ଚିତ୍ର ସାମ୍ବାଦିକ ହନିଫ ଜାଭେରୀଙ୍କ କହିବା ଅନୁସାରେ, ସେହି ସମୟରେ ପରଭିନ ବାବିଙ୍କ ସ୍ୱାସ୍ଥ୍ୟକୁ ନେଇ ସମସ୍ୟା ଦେଖାଦେଇଥିଲା। ଏହା ପରେ ୟସ ଚୋପ୍ରା ଫିଲ୍ମର କାଷ୍ଟିଂରେ ପରିବର୍ତ୍ତନ କରିଥିବା ସେ ଦାବି କରିଛନ୍ତି। ଯେଉଁଥିପାଇଁ ପରଭିନ ବାବିଙ୍କ ସ୍ଥାନ ନେଲେ ରେଖା। ଅନ୍ୟପଟେ ସ୍ମିତା ପାଟିଲଙ୍କ ସ୍ଥାନରେ ଆସିଲେ ଜୟା ବଚ୍ଚନ। ଏବଂ ଏହିଠାରୁ ଆରମ୍ଭ ହେଲା ‘ସିଲସିଲା’କୁ ନେଇ ସବୁଠାରୁ ବଡ଼ ଚର୍ଚ୍ଚା।

also read - ପରିଣୀତିଙ୍କ ନୂଆ ୱେବ୍ ସିରିଜ୍କୁ ପ୍ରଶଂସା କଲେ ରାଘବ

ଏହି ସିନେମା ପାଇଁ ଜୟା ପ୍ରଥମେ ରାଜି ହେଉନଥିଲେ l ରେଖା କିନ୍ତୁ ଫିଲ୍ମ ପାଇଁ ରାଜି ହୋଇଯାଇଥିଲେ l ଗୋଟିଏପଟ ଥିଲେ ଜୟାଙ୍କ ସ୍ୱାମୀ ଅମିତାଭ ବଚ୍ଚନ, ଅନ୍ୟପଟେ ଥିଲେ ରେଖା। ସେହି ସମୟରେ ଅମିତାଭ ଓ ରେଖାଙ୍କ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ଓ ଅନୁମାନ ଚାଲିଥିଲା। ଏହି ପରିସ୍ଥିତିରେ ଜୟାଙ୍କୁ ଫିଲ୍ମରେ ନେବା ୟସ ଚୋପ୍ରାଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା ବୋଲି ତାଙ୍କ ହନିଫ କହିଛନ୍ତି। ଜୟା ବଚ୍ଚନଙ୍କୁ ‘ସିଲସିଲା’ ପାଇଁ ରାଜି କରାଇବାରେ ଅଭିନେତା ସଞ୍ଜୀବ କୁମାରଙ୍କ ଭୂମିକା ଥିବା କୁହାଯାଏ।

ଜୟା ଓ ସଞ୍ଜୀବ କୁମାରଙ୍କ ମଧ୍ୟରେ ଖୁବ ଭଲ ସମ୍ପର୍କ ଥିଲା। ‘କୋଶିଶ’ ଫିଲ୍ମରେ ଉଭୟେ ଏକାଠି ନଜର ଆସିଥିଲେ । ପରେ ଦୁହିଁଙ୍କ ସମ୍ପର୍କ ଆହୁରି ନିବିଡ଼ ହୋଇଥିବା ହନିଫ ଜାଭେରୀ କହିଛନ୍ତି। ସଞ୍ଜୀବ କୁମାର ଜୟାଙ୍କୁ ନିଜ ଭଉଣୀ ଭଳି ମାନୁଥିଲେ ବୋଲି ମଧ୍ୟ ସେ କହିଛନ୍ତି। ୟସ ଚୋପ୍ରା ଏହି ସମ୍ପର୍କର ଫାଇଦା ନେଇ ସଞ୍ଜୀବଙ୍କ ଜରିଆରେ ଜୟାଙ୍କୁ ଫିଲ୍ମ ପାଇଁ ରାଜି କରାଇଥିବା ଦାବି କରାଯାଇଛି। ଶେଷରେ ଜୟା ଫିଲ୍ମ ପାଇଁ ରାଜି ହେଲେ। କିନ୍ତୁ ରଖିଥିଲେ ଗୋଟିଏ ସର୍ତ୍ତ।ଜୟା କହିଥିଲେ ଯେ ସେ ଫିଲ୍ମର ସୁଟିଂ ସେଟ୍ରେ ସବୁବେଳେ ଉପସ୍ଥିତ ରହିବେ, ତାଙ୍କର ଦୃଶ୍ୟ ନଥିଲେ ମଧ୍ୟ। ତେବେ କାହିଁକି ଏଭଳି କହିଥିଲେ ଜୟା ? ଏହାର ଉତ୍ତରରେ ହନିଫ କହିଥିଲେ ରେଖାଙ୍କ କାରଣରୁ।

ଏହି ଘଟଣା ସତ କି ନୁହେଁ, ତାହାକୁ ନେଇ ଭିନ୍ନ ମତ ରହିଛି। କିନ୍ତୁ ଏହି କାଷ୍ଟିଂ ନିଷ୍ପତ୍ତି ‘ସିଲସିଲା’କୁ ରିଲିଜ୍ ପୂର୍ବରୁ ହିଁ ଚର୍ଚ୍ଚା ଆଣିଦେଇଥିଲା। ଗୋଟିଏ ବର୍ଷ ପରେ ନିଜେ ୟସ ଚୋପ୍ରା ଫିଲ୍ମର କାଷ୍ଟିଂକୁ ନେଇ ଏକ ରୋଚକ ଘଟଣା କହିଥିଲେ। ଶାହରୁଖ ଖାନଙ୍କ ସହ ଏକ ଆଲୋଚନାରେ ୟସ ଚୋପ୍ରା କହିଥିଲେ ଯେ ସେ ପ୍ରଥମେ ସ୍ମିତା ପାଟିଲ ଓ ପରଭିନ ବାବିଙ୍କୁ ଫିଲ୍ମ ପାଇଁ ନେଇଥିଲେ। ପରେ ଅମିତାଭଙ୍କ ସହ ଆଲୋଚନା ସମୟରେ କାଷ୍ଟିଂକୁ ନେଇ ଆଲୋଚନା ହୋଇଥିଲା। ୟସ ଚୋପ୍ରାଙ୍କ କହିବା ଅନୁସାରେ, ଅମିତାଭ ତାଙ୍କୁ ପଚାରିଥିଲେ ସେ ବର୍ତ୍ତମାନର କାଷ୍ଟିଂରେ ସନ୍ତୁଷ୍ଟ କି? ଏହା ପରେ ୟସ ଚୋପ୍ରା ତାଙ୍କ ମନର କଥା କହିଥିଲେ। ସେ ଅମିତାଭ, ଜୟା ଓ ରେଖାଙ୍କୁ ଏକାଠି ନେଇ ଫିଲ୍ମ କରିବାକୁ ଚାହୁଁଥିବା କହିଥିଲେ। ଅମିତାଭ ଏଥିରେ ରାଜି ହୋଇଥିଲେ। କିନ୍ତୁ ଦୁଇ ଅଭିନେତ୍ରୀଙ୍କୁ ରାଜି କରାଇବାର ଦାୟିତ୍ୱ ୟଶଙ୍କ ଉପରେ ଛାଡ଼ିଥିଲେ।

ଶେଷରେ ଅମିତାଭ, ଜୟା ଓ ରେଖା ଏକାଠି ଆସିଲେ ପରଦାକୁ।ଫିଲ୍ମ ହେଲା… ଚର୍ଚ୍ଚା ଆହୁରି ବଢ଼ିଲା l ‘ସିଲସିଲା’ର କାହାଣୀ ଥିଲା ପ୍ରେମ, ବିବାହ ଓ ସମ୍ପର୍କର ଜଟିଳତାକୁ ନେଇ। କିନ୍ତୁ ପରଦା ବାହାରେ ତିନି ଅଭିନେତାଙ୍କୁ ନେଇ ଚାଲିଥିବା ଚର୍ଚ୍ଚା ଫିଲ୍ମର ଲୋକପ୍ରିୟତା ଆହୁରି ବଢ଼ାଇଦେଲା। ଫିଲ୍ମଟି ଆଜି ମଧ୍ୟ ହିନ୍ଦୀ ସିନେମାର ଏକ ଚର୍ଚ୍ଚିତ ଚଳଚ୍ଚିତ୍ର ଭାବେ ମନେ ପକାଯାଏ।

ଅଭିନେତା ରଣଜିତ ମଧ୍ୟ ବର୍ଷ ପରେ ପରଭିନ ବାବିଙ୍କ ‘ସିଲସିଲା’ରୁ ବାଦ ପଡ଼ିବା ଘଟଣାକୁ ମନେ ପକାଇଥିଲେ।ଏଏନଆଇକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଥିଲେ ଯେ ପରଭିନ ଏହି ଘଟଣାରେ ଖୁବ ଦୁଃଖିତ ଥିଲେ। ତେବେ ଏହି ଘଟଣା ସମ୍ପର୍କରେ ପରେ ଅନ୍ୟାନ୍ୟ ଦାବି ମଧ୍ୟ ସାମ୍ନାକୁ ଆସିଛି। ହନିଫ ଜାଭେରୀ ମଧ୍ୟ ପରଭିନଙ୍କ ସ୍ୱାସ୍ଥ୍ୟ ଓ ବ୍ୟବହାରକୁ ନେଇ କିଛି ଦାବି କରିଛନ୍ତି। ତେବେ ଏଗୁଡ଼ିକୁ ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ମୃତି ଓ ଦାବି ଭାବେ ଦେଖିବା ଉଚିତ।

‘ସିଲସିଲା’ ଓ ‘ଅର୍ଥ’ ମଧ୍ୟରେ ମଧ୍ୟ ତୁଳନା କରାଯାଇଥାଏ। ଉଭୟ ଫିଲ୍ମର କାହାଣୀରେ ବିବାହ, ସମ୍ପର୍କ ଓ ବିବାହ ବାହାର ସମ୍ପର୍କ ଭଳି ବିଷୟ ଥିଲା। ‘ଅର୍ଥ’ର ନିର୍ଦ୍ଦେଶକ ମହେଶ ଭଟ୍ଟ ପରେ ଏହି ତୁଳନାକୁ ନେଇ ନିଜ ମତ ରଖିଥିଲେ। ତାଙ୍କ କହିବା ଅନୁସାରେ, ‘ଅର୍ଥ’ରେ ବିବାହ ବାହାର ସମ୍ପର୍କକୁ ଅଧିକ ବାସ୍ତବ ଓ ଭାବନାପୂର୍ଣ୍ଣ ଭାବେ ଦେଖାଯାଇଥିଲା। ‘ଅର୍ଥ’ ତାଙ୍କ ଜୀବନର କିଛି ଘଟଣାରୁ ପ୍ରେରିତ ଥିବା କଥା ମହେଶ ଭଟ୍ଟ ନିଜେ କହିଥିଲେ ମହେଶ ।

‘ସିଲସିଲା’କୁ କେବଳ ଏକ ପ୍ରେମ କାହାଣୀ କହିଦେଲେ ବୋଧହୁଏ କାହାଣୀଟି ଅଧା ରହିଯିବ। କାରଣ ଏହି ଫିଲ୍ମର ପରଦା ଉପରେ ଥିଲା ପ୍ରେମ ଓ ସମ୍ପର୍କର କାହାଣୀ। ଆଉ ପରଦା ପଛରେ ଥିଲା କାଷ୍ଟିଂକୁ ନେଇ ବଡ଼ ପରିବର୍ତ୍ତନ, ତାରକାମାନଙ୍କୁ ନେଇ ଚର୍ଚ୍ଚା ଏବଂ ଅନେକ ଅକୁହା ପ୍ରଶ୍ନ। ଆଜି ମଧ୍ୟ ଯେତେବେଳେ ହିନ୍ଦୀ ସିନେମାର ସବୁଠାରୁ ଚର୍ଚ୍ଚିତ ତ୍ରିକୋଣୀୟ କାହାଣୀ ଓ ଫିଲ୍ମର କଥା ଉଠେ, ଅମିତାଭ ବଚ୍ଚନ, ଜୟା ବଚ୍ଚନ ଓ ରେଖାଙ୍କ ‘ସିଲସିଲା’ ନିଶ୍ଚୟ ମନେ ପଡ଼େ। ଫିଲ୍ମ ଶେଷ ହୋଇଗଲା, କିନ୍ତୁ ‘ସିଲସିଲା’କୁ ନେଇ ଚର୍ଚ୍ଚା… ଆଜି ବି ଜାରି ରହିଛି।