ନୂଆଦିଲ୍ଲୀ: ସେ କ୍ରିକେଟର ହୁଅନ୍ତୁ କି କ୍ରିକେଟ୍ ଫ୍ୟାନ୍ସ, ପ୍ରତ୍ୟେକଙ୍କ ପାଇଁ ଦିନିକିଆ ବିଶ୍ଵକପ୍ ବହୁତ ଖାସ୍ ରହିଥାଏ। କ୍ରିକେଟର ପ୍ରକୃତ ମଜା ହିଁ ଦିନିକିଆ ବିଶ୍ଵକପରେ ଥାଏ। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ପ୍ରତି ଚାରି ବର୍ଷରେ ଥରେ ଏହି ମେଗା ଇଭେଣ୍ଟର ଆୟୋଜନ କରିଥାଏ। ଆଇସିସି ଦିନିକିଆ ବିଶ୍ଵକପର ଆରମ୍ଭ ୧୯୭୫ ମସିହାରେ କରିଥିଲା। ତେବେଠୁ ପ୍ରତି ଚାରି ବର୍ଷରେ ଥରେ ଏହାର ଆୟୋଜନ ହୋଇ ଆସୁଛି। ଆସନ୍ତା ବର୍ଷ ଦକ୍ଷିଣ ଆଫ୍ରିକାରେ ଖେଳାଯିବ ଏହି ଭବ୍ୟ ଟୁର୍ଣ୍ଣାମେଣ୍ଟ। ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି। ଏଥିପାଇଁ ଆଜି ଦକ୍ଷିଣ ଆଫ୍ରିକାର କେପଟାଉନରେ ଏକ ଭବ୍ୟ କାର୍ଯ୍ୟକ୍ରମରେ ୨୦୨୭ ଦିନିକିଆ ବିଶ୍ଵକପର କାର୍ଯ୍ୟସୂଚୀ ବା ସିଡ୍ୟୁଲ୍ ଘୋଷଣା କରାଯିବ। ଆଜିଠୁ ଠିକ୍ ଗୋଟିଏ ବର୍ଷ ପରେ କ୍ରିକେଟର ଏହି ମହାକୁମ୍ଭ ଆରମ୍ଭ ହେବ। ଆଜି ସିଡ୍ୟୁଲ ଘୋଷଣା ସହିତ ଟିକେଟ୍ ବିକ୍ରି ମଧ୍ୟ ଆରମ୍ଭ ହୋଇଯିବ।

୨୦୨୭ ଦିନିକିଆ ବିଶ୍ଵକପ୍ ଅକ୍ଟୋବର ୨ରୁ ନଭେମ୍ବର ୨୧ ପର୍ଯ୍ୟନ୍ତ ଖେଳାଯିବ। ଏଥର ବିଶ୍ଵକପରେ ମୋଟ୍ ୧୪ଟି ଟିମ୍ ଅଂଶଗ୍ରହଣ କରିବେ। ଏ ପର୍ଯ୍ୟନ୍ତ ୧୦ଟି ଟିମ୍ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି। ଆୟୋଜକ ହୋଇଥିବା କାରଣରୁ ଦକ୍ଷିଣ ଆଫ୍ରିକା ଓ ଜିମ୍ବାଓ୍ଵେ ସିଧାସଳଖ ଟୁର୍ଣ୍ଣାମେଣ୍ଟରେ ପ୍ରବେଶ କରି ସାରିଛନ୍ତି। ନାମିବ୍ୟା ମଧ୍ୟ ବିଶ୍ଵକପର ସହ ଆୟୋଜକ ଦେଶ, ମାତ୍ର ଆଇସିସିର ପୂର୍ଣ୍ଣକାଳୀନ ସଦସ୍ୟ ହୋଇ ନ ଥିବା କାରଣରୁ ଦଳକୁ ସିଧାସଳଖ ପ୍ରବେଶ ମିଳିନାହିଁ।

Also Read: ଶ୍ରୀଲଙ୍କାକୁ ହରାଇ ଫାଇନାଲରେ ଭାରତ, ଗୋଲ୍ଡ ପାଇଁ ମୁହାଁମୁହିଁ ହେବେ ଇଣ୍ଡିଆ-ପାକିସ୍ତାନ

ଓ୍ଵେଷ୍ଟଇଣ୍ଡିଜ କରି ପାରିନି କ୍ଵାଲିଫାଏ

ଆଇସିସିର ଦିନିକିଆ ରାଙ୍କିଂ ଆଧାରରେ ଭାରତ, ପାକିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ସିଧାସଳକ ଯୋଗ୍ୟତା ଅର୍ଜନ କରିଛନ୍ତି। ଦକ୍ଷିଣ ଆଫ୍ରିକା ଓ ଜିମ୍ବାଓ୍ଵେ ସିଧାସଳଖ ପ୍ରବେଶ କରି ସାରିଛନ୍ତି। ବାକି ୪ଟି ଟିମ୍ କ୍ଵାଲିଫାୟର ରାଉଣ୍ଡ ଖେଳି ଯୋଗ୍ୟତା ଅର୍ଜନ କରିବେ। ଓ୍ଵେଷ୍ଟଇଣ୍ଡିଜ ୨୦୨୭ ଦିନିକିଆ ବିଶ୍ଵକପ୍ ପାଇଁ ସିଧାସଳଖ କ୍ଵାଲିଫାଏ କରି ପାରି ନ ଥିବାରୁ ଦଳକୁ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡ ଖେଳିବାକୁ ପଡ଼ିବ।

କେତେଟାରେ ହେବ ସିଡ୍ୟୁଲର ଘୋଷଣା

୨୦୨୭ ଦିନିକିଆ ବିଶ୍ଵକପର ସିଡ୍ୟୁଲର ଘୋଷଣା ଭାରତୀୟ ସମୟ ଅନୁସାରେ ରାତି ୮ଟା ୩୦ରେ ହେବ। ଟିଭିରେ ଆପଣ ଷ୍ଟାର ସ୍ପୋର୍ଟ ନେଟଓ୍ଵର୍କ ଚ୍ୟାନେଲରେ ସିଧା ପ୍ରସାରଣ ଦେଖି ପାରିବେ। ମୋବାଇଲରେ ଆପଣ ଏହାର ଲାଇଭ ଷ୍ଟ୍ରିମିଂ ଜିଓହଟଷ୍ଟାରରେ ଦେଖି ପାରିବେ।

Also Read: ଦିନିକିଆରେ ଶୁଭମନ୍ ଗିଲଙ୍କ ଦ୍ୱିତୀୟ ଦ୍ୱିଶତକ, ରୋହିତଙ୍କ ପରେ ଏପରି କରିବାରେ ଦ୍ୱିତୀୟ ବ୍ୟାଟର