ନୂଆଦିଲ୍ଲୀ: ଏସିଆନ୍ ଗେମ୍ସରେ ଗ୍ରୀକୋ-ରୋମାନରେ ସ୍ୱର୍ଣ୍ଣ ପଦକ ପାଇଁ ଭାରତ ଦୀର୍ଘ ୬୪ ବର୍ଷ ହେଲା ଅପେକ୍ଷା କରି ଆସିଲାଣି। ଲାଗୁଥିଲା ଏଥର ସେହି ଅପେକ୍ଷାର ଅନ୍ତ ଘଟିବ। ହେଲେ ରେସଲର୍ ନିତେଶ ସିୱାଚଙ୍କ ସ୍ୱର୍ଣ୍ଣ ପଦକ ଜିତିବା ସ୍ୱପ୍ନ ଆଜି ଅଧୁରା ରହିଯାଇଛି। ପୁରୁଷ ୯୭ କିଲୋଗ୍ରାମ ବର୍ଗର ଫାଇନାଲରେ ନିତେଶ ଜାପାନର ୟୁରି ନାକାଜାଟୋଙ୍କଠାରୁ ୦-୪ରେ ପରାସ୍ତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି।

ଘରୋଇ ଦର୍ଶକଙ୍କ ସମର୍ଥନ ପାଉଥିବା ନାକାଜାଟୋ ଆରମ୍ଭରୁ ମ୍ୟାଚ୍ ଉପରେ ନିୟନ୍ତ୍ରଣ ରଖିଥିଲେ। ନିତେଶ ଆରମ୍ଭରେ ଟୁ-ଅନ୍-ୱାନ୍ ଗ୍ରିପ୍ ଜରିଆରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ନାକାଜାଟୋ ଚାପ ବଜାୟ ରଖି ନିତେଶଙ୍କୁ କୌଣସି ବଡ଼ ଆକ୍ରମଣର ସୁଯୋଗ ଦେଇନଥିଲେ।

Also Read- ଖେଳ ନିୟମରେ ବଡ଼ ପରିବର୍ତ୍ତନ ICC, ଓଭରଥ୍ରୋ'ରୁ ନେଇ ରନ୍ ଆଉଟ୍ ପର୍ଯ୍ୟନ୍ତ ବଦଳିଲା ଅନେକ ନିୟମ

ପ୍ରଥମ ପର୍ଯ୍ୟାୟରୁ ନାକାଜାଟୋଙ୍କ ପ୍ରଭାବ

ମ୍ୟାଚ୍ରେ ପ୍ରଥମ ପଏଣ୍ଟ ନାକାଜାଟୋ ହାସଲ କରିଥିଲେ। ସେ ନିତେଶଙ୍କୁ ମ୍ୟାଚ୍‌ର ବାହାରକୁ ଠେଲି ପଏଣ୍ଟ ନେଇଥିଲେ। ଏହାପରେ ପାସିଭିଟି ( ନିଷ୍କ୍ରିୟତା) ପାଇଁ ନିତେଶଙ୍କୁ ଗ୍ରାଉଣ୍ଡ ପୋଜିସନ୍କୁ ଯିବାକୁ ପଡ଼ିଥିଲା। ତେବେ ଭାରତୀୟ ରେସଲର୍ ଭଲ ଡିଫେନ୍ସ କରିଥିଲେ ଏବଂ ନାକାଜାଟୋଙ୍କୁ ଗଟ୍-ରେଞ୍ଚ୍ ଜରିଆରେ ପଏଣ୍ଟ ନେବାକୁ ଦେଇନଥିଲେ।

ପ୍ରଥମ ପର୍ଯ୍ୟାୟ ଶେଷ ସୁଦ୍ଧା ନାକାଜାଟୋ ୨-୦ରେ ଆଗୁଆ ଥିଲେ। ପର୍ଯ୍ୟାୟର ଶେଷ ଭାଗରେ ମଧ୍ୟ ସେ ନିତେଶଙ୍କୁ ହେଡ୍ଲକ୍ରେ ରଖି ମ୍ୟାଚ୍ ଉପରେ ନିଜ ନିୟନ୍ତ୍ରଣ ବଜାୟ ରଖିଥିଲେ।

ଦ୍ୱିତୀୟ ପର୍ଯ୍ୟାୟରେ ବଢ଼ିଲା ଚାପ

ଦ୍ୱିତୀୟ ପର୍ଯ୍ୟାୟରେ ନାକାଜାଟୋ ଆହୁରି ଆକ୍ରମଣାତ୍ମକ ହୋଇଥିଲେ। ଏକ ଧକ୍କା ମାରି ସେ ନିତେଶଙ୍କ ବାଲାନ୍ସ ବିଗାଡ଼ି ଦେଇଥିଲେ।ଏହାପରେ ତୁରନ୍ତ ଟେକ୍ଡାଉନ୍ ହାସଲ କରିଥିଲେ। ଫଳରେ ସେ ୪-୦ରେ ଅଗ୍ରଣୀ ନେଇଥିଲେ। ମ୍ୟାଚ୍ ଶେଷ ହେବାକୁ ପ୍ରାୟ ଗୋଟିଏ ମିନିଟ୍ ବାକି ଥିବାବେଳେ ନିତେଶଙ୍କୁ ପଏଣ୍ଟ ପାଇଁ ଆକ୍ରମଣ କରିବାର ଆବଶ୍ୟକତା ଥିଲା। କିନ୍ତୁ ନାକାଜାଟୋଙ୍କ ଦୃଢ଼ ଡିଫେନ୍ସକୁ ଭେଦ କରିବାରେ ନିତେଶ ସଫଳ ହୋଇନଥିଲେ। ଶେଷରେ ୦-୪ରେ ପରାଜୟ ସହ ତାଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

ଗ୍ରୀକୋ-ରୋମାନ୍ ସ୍ୱର୍ଣ୍ଣ ପାଇଁ ଭାରତର ଅପେକ୍ଷା ଜାରି

କଠିନ ପରିଶ୍ରମ କରି ନିତେଶ ରୌପ୍ୟ ପଦକ ହାସଲ କରିଥିଲେ ବି ଏସିଆନ୍ ଗେମ୍ସର ଗ୍ରୀକୋ-ରୋମାନ୍ ରେସଲିଂରେ ସ୍ୱର୍ଣ୍ଣ ପଦକ ପାଇଁ ଭାରତକୁ ଆହୁରି ଅପେକ୍ଷା କରିବାକୁ ପଡ଼ିପାରେ। ଭାରତ ଶେଷ ଥର ପାଇଁ ୧୯୬୨ରେ ଗ୍ରୀକୋ-ରୋମାନ୍ ରେସଲିଂରେ ସ୍ୱର୍ଣ୍ଣ ଜିତିଥିଲା। ସେତେବେଳେ ମାଲୱା ସିଂହ ୫୨ କିଲୋଗ୍ରାମ ବର୍ଗରେ ଏବଂ ଗଣପତ ଆନ୍ଦାଲକର ୯୭ କିଲୋଗ୍ରାମରୁ ଅଧିକ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।

ନାଗୋୟାରେ ଖେଳାଯାଉଥିବା ଏସିଆନ ଗେମ୍ସରେ ନିତେଶଙ୍କ ପାଖରେ ଦୀର୍ଘ ୬୪ ବର୍ଷର ଅପେକ୍ଷା ଶେଷ କରିବାର ସୁଯୋଗ ଥିଲା। କିନ୍ତୁ ନାକାଜାଟୋଙ୍କ ଶୃଙ୍ଖଳିତ ଓ ଦୃଢ଼ ପ୍ରଦର୍ଶନ ତାଙ୍କୁ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ କରିଛି।