ଜିନ୍ଦ: ସଙ୍ଗତପୁରା ଗାଁର ସୁଦେଶ ଦେବୀ ବିପିଏଲ କାର୍ଡରେ ରେସନ ଆଣିବାକୁ ଯାଇଥିବା ବେଳେ ସେ କେବେ ଭାବି ନଥିଲେ ତାଙ୍କ ଝିଅ ସାତ ଦରିଆ ପାରି ଜାପନାରେ ତ୍ରିରଙ୍ଗା ଉଡାଇବାକୁ ଯାଉଛନ୍ତି। ୨୦୨୬ ଏସିୟାନ ଗେମସ୍ ରୁ ଆସୁଥିବା ଏହି ଖବର ପୁରା ପରିବାରର ଜୀବନ ବଦଳେଇ ଦେଇଛି। ମା ସୁଦେଶ ଗଣମାଧ୍ୟମକୁ ଦେଇଥିବା ବୟାନରେ କହିଛନ୍ତି ଯେ ସେ ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ଲୋକଙ୍କୁ ମିଳୁଥିବା ରେସନ ଗହମ ଆଣିବାକୁ ଯାଇଥିବା ବେଳେ ନିରୁ ଗୋଲ୍ଡ ମେଡାଲ ଜିତିଥିବାର ଖବର ରେସନ ଦୋକାନରେ ଚାଲୁଥିବା ଟିଭିରେ ଦେଖିଲେ ।

ଗୋଟିଏ ପଟେ ରେସନର ବାଧ୍ୟବାଧକତା ତ ଅନ୍ୟପଟେ ପୋଡିୟମର ସବୁଠୁ ଉପରେ ଛିଡା ହୋଇଥିଲେ ତାଙ୍କ ଝିଅ ନିରୁ ଢଣ୍ଡା, ଯିଏ ଏସିୟାନ ଗେମର ଟ୍ରାପ୍ ସୁଟିଂ ପ୍ରତିଯୋଗୀତାରେ ଭାରତ ଲାଗି ପ୍ରଥମ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। ୨୬ ବର୍ଷ ବୟଷ୍କା ନିରୁ ସୁଟିଂର ଫାଇନାଲ ରାଉଣ୍ଡରେ ପ୍ରଚଣ୍ଡ ଏକାଗ୍ରତା ପ୍ରଦର୍ଶନ କରିଛନ୍ତି। ସେ ୩୦ରୁ ୨୮ଟି ଲକ୍ଷ୍ୟକୁ ହାସଲ କରିବାରେ ସଫଳ ହୋଇଥିବା ବେଳେ ଏସିୟାନ ଗେମସ୍ ରେ ରକେର୍ଡ ସୃଷ୍ଟି କରିଛନ୍ତି। ଚୀନ୍ର ଦିଗ୍ଗଜ ସୁଟର ସନ ୟୁନୋଙ୍ଗ ୨୬ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ନିରୁଙ୍କ ଲାଗି ଏହି ମେଡାଲ କେବଳ ଏକ କ୍ରିଡା ପ୍ରତିଯୋଗୀତାରେ ବିଜୟ ନୁହେଁ ବରଂ ଦୀର୍ଘ ଆର୍ଥିକ ଓ ସାମାଜିକ ସଂଘର୍ଷର ଫଳାଫଳ ବୋଲି କୁହାଯାଇପାରେ।

ନିରୁଙ୍କ କ୍ରିଡ଼ବିତ୍ ଜୀବନ ଆରମ୍ଭ ସୁଟିଂରେ ହୋଇନଥିଲା। ସେ ସ୍କୁଲ ଓ ଷ୍ଟେଟ ଲେବୁଲରେ କବାଡୀ ଖେଳୁଥିଲେ। ୨୦୧୮ ମସିହାରେ ଯେତେବେଳେ ତାଙ୍କ ଦାଦାଙ୍କ ପୁଅ ଲକ୍ଷ୍ୟ ସ୍ୟୋରାଣ ଜାକାର୍ତ୍ତା ଏସିୟାନ ଗେମସ୍ ରେ ସିଲଭର ଜିତିଲେ ସେତେବେଳେ ନିରୁଙ୍କ ମନରେ ସୁଟିଂ ପାଇଁ ଆଗ୍ରହ ସୃଷ୍ଟି ହୋଇଥିଲା। ତେବେ ଏହି ଖେଳ ଗରିବ ଲୋକଙ୍କ ପାଇଁ ନୁହେଁ। ନିରୁଙ୍କ ମା ’ଇଣ୍ଡିଆନ ଏକ୍ସପ୍ରେସ୍’କୁ କହିଛନ୍ତିଯେ ଆମର ମାତ୍ର ୨ ଏକର ଜମି ଓ କିଛି ଗାଈ ମଇଁଷି ଅଛନ୍ତି। ନିରୁ କବାଡୀ ଖେଳୁଥିଲା ହେଲେ ତା ଭାଇ ଲକ୍ଷ୍ୟ ସୁଟିଂରେ ମେଡାଲ ଜିତିବା ପରେ ନିରୁର ଧ୍ୟାନ ଭାଇଙ୍କ ଆଡକୁ ଯାଇଥିଲା। ତେବେ ଆମର ଆର୍ଥିକ ସ୍ଥିତି ସେଭଳି ନଥିଲା ଯେ ଆମେ ତାକୁ ବନ୍ଧୁକ କିଣି ଦେଇ ପାରିବୁ କି ଟ୍ରେନିଂ ଖର୍ଚ୍ଚ କରିପାରିବୁ।

ଖାଲି ପକେଟ୍ ରେ ମହଙ୍ଗା ଖେଳର ସ୍ୱପ୍ନ ଦେଖିବା ବି ମହଙ୍ଗା ହୋଇଥାଏ। ନିରୁ ଙ୍କ କ୍ଷେତ୍ରରେ ମଧ୍ୟ ସେଇଆ ହୋଇଥିଲା। ଏଥିରେ ନିରୁଙ୍କ କାକା ସୋମବୀର ସ୍ୟୋରଣ ସହାୟତା ପାଇଁ ଆଗେଇ ଆସିଥିଲେ। ଆରମ୍ଭରେ ଅଭ୍ୟାସ ପାଇଁ ନିଜର ରାଇଫଲ ବି ନଥିଲା। ଏଣୁ ସେ ଲକ୍ଷ୍ୟଙ୍କ ଗନ ରେ ପ୍ରାକ୍ଟିସ୍ କରୁଥିଲେ। ‘ଟାଇମ୍ସ ଅଫ ଇଣ୍ଡିଆ’ କୁ ଦେଇଥିବା ବୟାନରେ ନିରୁ କହିଛନ୍ତି ଯେ ଆରମ୍ଭରେ ମୋ କାକା ମୋତେ ଏକ ପୋଖରୀ ପାଖକୁ ନେଇଯାଇଥିଲେ ଓ ସେ ମୋତେ ଏକ ଛୋଟ ଟିଣକୁ ଲକ୍ଷ୍ୟ କରିବାକୁ କହିଥିଲେ। ସେତେବେଳେ ମୁଁ ନିଜକୁ ନିଜେ କହିଥିଲି ଚାଲ ଦେଖିବା କଣ କରିପାରିବା ଓ ସେହି ପରୀକ୍ଷାରେ ମୁଁ ପାସ୍ ହୋଇଯାଇଥିଲି। ଏହା ପରେ ସେ ଔପଚାରିକ ସୁଟିଂ ପ୍ରଶିକ୍ଷଣ ପାଇଁ ମଧ୍ୟପ୍ରଦେଶ ସୁଟିଂ ଆକାଡେମୀରେ ଯୋଗ ଦେଇଥିଲି।

ନିରୁ ଭାରତୀୟ ସେନାରେ କୋର ଅଫ ମିଲେଟ୍ରି ପୋଲିସରେ ନାୟେବ ସୁବେଦାର ପଦରେ କାର୍ଯ୍ୟ କରୁଛନ୍ତି ଓ ମହୁସ୍ଥିତ ମାର୍କସମ୍ୟାନସିପ୍ ୟୁନିଟ୍ ରେ ତାଙ୍କର ଟ୍ରେନିଂ କରୁଛନ୍ତି। କ୍ରିଡା ମନ୍ତ୍ରାଳୟ ତାଙ୍କୁ ‘ଟପସ୍’ ସ୍କିମର ଡେଭଲପମେଣ୍ଟ ଗ୍ରୁପରେ ମଧ୍ୟ ସାମିଲ କରିଛନ୍ତି। ୨୦୨୨ରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିବା ନିରୁ ୨୦୨୫ ଏସିୟାନ ଗେମ୍ ସୁଟିଂ ଚାମ୍ପିୟନସିପ୍ ରେ ଗୋଲ୍ଡ ଜିତିଥିଲେ।