ଭୁବନେଶ୍ବର ୧।୧୦: ଛାତ୍ର ସଂସଦ ନିର୍ବାଚନକୁ ନେଇ ଠିକ୍ ସମୟରେ ନିଆଯିବ ନିଷ୍ପତ୍ତି । ଏଭଳି ପ୍ରତିକ୍ରିୟା ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ଛାତ୍ର ସଂସଦ ନିର୍ବାଚନ ନେଇ ମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି, ଛାତ୍ର ସଂସଦ ନିର୍ବାଚନ ନେଇ ସରକାର କେବେ ଅଗ୍ରାହ୍ୟ କରିନାହାନ୍ତି । ଏହାକୁ ଠିକ୍ ଭାବରେ, ଠିକ୍ ଢଙ୍ଗରେ କରିବା ପାଇଁ ସବୁବେଳେ ସକରାତ୍ମକ ରହିଛନ୍ତି । ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନିଆଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ।

ପ୍ରାୟ ୯ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି । ଯାହାକୁ ପୁନଃ ଚାଲୁ କରିବାକୁ ସବୁ ଦଳର ଛାତ୍ର ନେତା-ନେତ୍ରୀ ମାନେ ଦାବି କରିଆସୁଛନ୍ତି । କିଛିଦିନ ତଳେ ଖୋଦ୍ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଥିଲେ, ଛାତ୍ର ସଂସଦ ନିର୍ବାଚନକୁ ନେଇ ସରକାର ସକରାତ୍ମକ ଅଛନ୍ତି । ମନ୍ତ୍ରୀଙ୍କ ଏହି ବିବୃତି ସମସ୍ତଙ୍କୁ ଆନନ୍ଦିତ କରିଥିଲା । ହେଲେ ଏଯାଏ ନିର୍ବାଚନ ପାଇଁ ତାରିଖ ପ୍ରକାଶ ପାଇନି । ଏପଟେ ଦଶହରା ପରେ ପରୀକ୍ଷା ଆରମ୍ଭ ହୋଇଯିବ । ସେ ସମୟରେ ନିର୍ବାଚନ ହେବା ସମ୍ଭବପର ନୁହେଁ ବୋଲି କଲେଜ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହୁଛନ୍ତି । ତେଣୁ ଯଥାସମ୍ଭବ ତାରିଖ ପ୍ରକାଶ କରିବାକୁ ଦାବି ହେଉଛି ।

Also Read:- ଭସାଣି ବନ୍ଦ କରିବାକୁ କହିବାରୁ ଉତ୍ତେଜନା, ପୋଲିସ-ଗ୍ରାମବାସୀ ମୁହାଁମୁହିଁ

ଚଳିତ ବର୍ଷ ହେବ ଛାତ୍ର ସଂସଦ ନିର୍ବାଚନ । ତେବେ ଦଶହରା ଛୁଟି ପୂର୍ବରୁ ହେବ କି ପରେ, ସେ ନେଇ ଉଚ୍ଚଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ବିଚାର ବିମର୍ଷ ଚାଲିଛି । ତଥାପି ରାଜ୍ୟ ସରକାରଙ୍କ ସବୁଜ ସଙ୍କେତକୁ କେବଳ ଅପେକ୍ଷା ରହିଛି । ତେବେ ଆସନ୍ତା ଦୁଇ ଦିନ ମଧ୍ୟରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଯଦି ସବୁ ଠିକଠାକ ରୁହେ ତେବେ ଅକ୍ଟୋବର ୧୪ କିମ୍ବର ୧୫ରେ ସାରା ରାଜ୍ୟରେ ଗୋଟିଏ ଦିନରେ ନିର୍ବାଚନ କରିବାକୁ ରାଜ୍ୟ ସରକାର ସବୁଜ ସଙ୍କେତ ଦେଇପାରନ୍ତି । ଏହାର ଠିକ୍ ୧୦ ଦିନ ପୂର୍ବରୁ ଅର୍ଥାତ ଅକ୍ଟୋବର ୫ରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରସ୍ତୁତି ଚାଲିଛି ।

Watch Video: