ନୂଆଦିଲ୍ଲୀ, ୦୧।୧୦: ବଲିଉଡ୍ ଅଭିନେତ୍ରୀ ସ୍ୱରା ଭାସ୍କର ନିଜ ମାତୃତ୍ୱ ଯାତ୍ରାକୁ ନେଇ କରିଛନ୍ତି ବଡ଼ ଖୁଲାସା। ବିବାହ ପୂର୍ବରୁ ହିଁ ସେ ଆଇଭିଏଫ୍ (IVF) ଜରିଆରେ ସନ୍ତାନ ପାଇବାକୁ ଚେଷ୍ଟା କରିଥିଲେ। ରିଆଲିଟି ସୋ’ ‘ରାଇଜ୍ ଆଣ୍ଡ୍ ଫଲ୍’ରେ ନିଜ ଜୀବନର ଏହି ବ୍ୟକ୍ତିଗତ ଅଧ୍ୟାୟ ବିଷୟରେ ସେ ଖୋଲାଖୋଲି କଥା ହୋଇଛନ୍ତି। ସ୍ୱରାଙ୍କ କହିବା ଅନୁସାରେ, ଜୀବନର ଏକ ସମୟରେ ତାଙ୍କୁ ଲାଗିଥିଲା ଯେ ବୋଧହୁଏ ତାଙ୍କର ବିବାହ ହେବ ନାହିଁ। ହେଲେ ସେ ଛୋଟ ପିଲାଙ୍କୁ ବହୁତ ଭଲ ପାଉଥିଲେ ଏବଂ ମା’ ହେବାର ଇଚ୍ଛା ତାଙ୍କ ମନରେ ଦୃଢ଼ ଥିଲା। ତେଣୁ ବିବାହ ହେଉ କି ନହେଉ, ନିଜର ସନ୍ତାନ ହେବା ନେଇ ସେ ନିଷ୍ପତ୍ତି ନେଇଥିଲେ। ଏପରିକି ଅବିବାହିତ ମା’ ହେବାର ବିକଳ୍ପ ଉପରେ ମଧ୍ୟ ସେ ବିଚାର କରିଥିଲେ। ଏନେଇ ସେ ନିଜ ବାପା-ମା’ଙ୍କ ସହ ଆଲୋଚନା ମଧ୍ୟ କରିଥିଲେ।

ସ୍ୱରାଙ୍କ ଏହି ନିଷ୍ପତ୍ତି ଶୁଣି ତାଙ୍କ ବାପା-ମା’ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଥିଲେ। ଏକାକୀ ଭାବେ ପିଲାର ଲାଳନପାଳନ କରିବା କେତେ କଷ୍ଟକର ହୋଇପାରେ, ସେ ବିଷୟରେ ମଧ୍ୟ ସେମାନେ ସ୍ୱରାଙ୍କୁ ବୁଝାଇଥିଲେ। ତଥାପି ମା’ ହେବାର ଇଚ୍ଛାରୁ ସେ ପଛକୁ ହଟିନଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ପରିବାର ମଧ୍ୟ ସ୍ୱରାଙ୍କ ନିଷ୍ପତ୍ତିକୁ ସମର୍ଥନ କରିଥିଲେ। ଏହାପରେ ସେ ସନ୍ତାନଲାଭ ପାଇଁ ଚିକିତ୍ସା ଆରମ୍ଭ କରିଥିଲେ।

ସନ୍ତାନ ପାଇବା ପାଇଁ ସ୍ୱରା ଦୁଇଥର ଆଇଭିଏଫ୍ ଚିକିତ୍ସାର ସହାୟତା ନେଇଥିଲେ। ହେଲେ ଉଭୟ ଥର ତାଙ୍କ ଚେଷ୍ଟା ସଫଳ ହୋଇନଥିଲା। ଏହି ଅଭିଜ୍ଞତା ତାଙ୍କ ମାତୃତ୍ୱ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା। ଏହାପରେ ସ୍ୱରାଙ୍କ ଜୀବନରେ ଫହାଦ ଅହମଦଙ୍କ ପ୍ରବେଶ ହୋଇଥିଲା। ପ୍ରଥମେ ଦୁହିଁଙ୍କ ମଧ୍ୟରେ ଭଲ ବନ୍ଧୁତା ଥିଲା। ସମୟକ୍ରମେ ଏହି ବନ୍ଧୁତା ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା।

୨୦୨୩ ଫେବ୍ରୁଆରିରେ ସ୍ୱରା ଓ ଫହାଦ ମୁମ୍ବାଇରେ ଆଇନଗତ ଭାବେ ବିବାହ କରିଥିଲେ। ବିବାହର କିଛି ମାସ ପରେ, ସେପ୍ଟେମ୍ବର ୨୦୨୩ରେ ଦୁହେଁ ଏକ କନ୍ୟା ସନ୍ତାନର ମାତା-ପିତା ହୋଇଥିଲେ। ଏଭଳି ଭାବେ ବିବାହ ପୂର୍ବରୁ ମା’ ହେବା ପାଇଁ ନେଇଥିବା ସ୍ୱରାଙ୍କ ନିଷ୍ପତ୍ତି ପରେ ତାଙ୍କ ଜୀବନ ଏକ ନୂଆ ମୋଡ଼ ନେଇଥିଲା।