ନୂଆଦିଲ୍ଲୀ: ୨୦୨୭ ଦିନିକିଆ ବିଶ୍ୱକପ ପୂର୍ବରୁ ଆଇସିସି କ୍ରିକେଟ୍ ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି । ଆଇସିସି ଦ୍ୱାରା ଅନ୍ତର୍ଜାତୀୟ କ୍ରିକେଟରେ ଅକ୍ଟୋବର ୧ରୁ କେତେକ ନୂଆ ପ୍ଲେଇଂ କଣ୍ଡିସନ୍ସ ଲାଗୁ କରାଯାଇଛି । ତେବେ ଯେଉଁ ସିରିଜଗୁଡ଼ିକ ପୂର୍ବରୁ ଚାଲୁରହିଛି, ସେଗୁଡ଼ିକରେ ପୁରୁଣା ନିୟମ ହିଁ ଲାଗୁ ରହି ବ।

ବ୍ୟାଟ୍‌ର ସମୟ ନଷ୍ଟ କଲେ ୫ ରନ୍ ପେନାଲ୍ଟି

ଯଦି ଜଣେ ବ୍ୟାଟର ନିର୍ଦ୍ଧାରିତ ସମୟ ମଧ୍ୟରେ ପରବର୍ତ୍ତୀ ବଲ୍ ଖେଳିବା ପାଇଁ ପ୍ରସ୍ତୁତ ହୁଅନ୍ତି ନାହିଁ, ତେବେ ପ୍ରଥମ ଭୁଲ୍ ପାଇଁ ଚେତାବନୀ ଦିଆଯିବ । ଦ୍ୱିତୀୟ ଭୁଲ୍ ପାଇଁ ଶେଷ ଚେତାବନୀ ଦିଆଯିବ । ତୃତୀୟ ଏବଂ ତା' ପରବର୍ତ୍ତୀ ସମସ୍ତ ଭୁଲ ପାଇଁ ବୋଲିଂ କରୁଥିବା ଟିମକୁ ୫ ପେନାଲ୍ଟି ରନ୍ ମିଳିବ । ବାରମ୍ବାର ଏପରି ଘଟିଲେ ଆଚରଣ ବିଧି ଅଧୀନରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ।

ଦିନବେଳା ଟେଷ୍ଟରେ ପିଙ୍କ୍ ବଲ୍‌ର ଟ୍ରାଏଲ୍

ବର୍ତ୍ତମାନ ପାରସ୍ପରିକ ସମ୍ମତି କ୍ରମେ ଦିନବେଳା ଖେଳାଯାଉଥିବା ଟେଷ୍ଟ ମ୍ୟାଚଗୁଡ଼ିକରେ ପରୀକ୍ଷାମୂଳକ ଭାବେ ପିଙ୍କ୍ ବଲ୍ ବ୍ୟବହାର କରାଯାଇପାରିବ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଖରାପ ଆଲୋକ କାରଣରୁ ଖେଳ ଯେପରି ବାଧାପ୍ରାପ୍ତ ନହେବ । ତେବେ, ପିଙ୍କ୍ ବଲ୍ ବ୍ୟବହାର କରିବାର ନିଷ୍ପତ୍ତି ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ହିଁ ନେବାକୁ ହେବ । ମ୍ୟାଚ୍ ଆରମ୍ଭ ହେବା ପରେ ରେଡ୍ ବଲରୁ ପିଙ୍କ୍ ବଲ୍ କିମ୍ବା ପିଙ୍କ୍ ବଲରୁ ରେଡ୍ ବଲକୁ ପରିବର୍ତ୍ତନ କରାଯାଇପାରିବ ନାହିଁ ।

ମହିଳା କ୍ରିକେଟର ବଲ୍ ଆକାର ଓ ଓଜନ ନିୟମ କଡ଼ାକଡ଼ି

ମହିଳା ଏବଂ ଜୁନିୟର କ୍ରିକେଟରେ ବଲର ଆକାର ଓ ଓଜନକୁ ନେଇ ନୂଆ ନିୟମ ପ୍ରସ୍ତୁତ କରାଯାଇଛି । ବର୍ତ୍ତମାନ ପୁରୁଷ, ମହିଳା ଏବଂ ଜୁନିୟର କ୍ରିକେଟ୍ ପାଇଁ ତିନୋଟି ଅଲଗା ଅଲଗା ଆକାର ଏବଂ ଓଜନ ନିର୍ଦ୍ଧାରଣ କରାଯାଇଛି ।

ଓଭରଥ୍ରୋ'ର ସଂଜ୍ଞା ସ୍ପଷ୍ଟ

ଆଇସିସି ପକ୍ଷରୁ କେଉଁ ପରିସ୍ଥିତିକୁ ଓଭରଥ୍ରୋ ବୋଲି ଗ୍ରହଣ କରାଯିବ ସହା ମଧ୍ୟ ସ୍ପଷ୍ଟ କରାଯାଇଛି । ଯଦି କୌଣସି ଫିଲ୍ଡର ରନ୍ ରୋକିବା ପାଇଁ ରନ୍ ଆଉଟ୍ କରିବା ଉଦ୍ଦେଶ୍ୟରେ ଷ୍ଟମ୍ପ ଆଡ଼କୁ ବଲ୍ ଫିଙ୍ଗନ୍ତି, ତେବେ ତାହାକୁ ଓଭରଥ୍ରୋ ବୋଲି ଧରାଯିବ । କିନ୍ତୁ କେବଳ ବଲକୁ ରୋକିବା କିମ୍ବା ଅନ୍ୟ ଫିଲ୍ଡରଙ୍କୁ ପାସ୍ କରିବା ସମୟରେ ହୋଇଥିବା ମିସଫିଲ୍ଡକୁ ଓଭରଥ୍ରୋ ବୋଲି ଗ୍ରହଣ କରାଯିବ ନାହିଁ ।

ବଲ୍ କେବେ ସ୍ଥିର ବୋଲି ଧରାଯିବ ?

ଅମ୍ପାୟାରଙ୍କ ପାଖରେ ଏହା ସ୍ଥିର କରିବାରେ ଅଧିକ ଅଧିକାର ରହିବ ଯେ ବଲଟି ଶେଷରେ ସେଟଲ୍ଟ ହୋଇଛି ହୋଇଛି କି ନାହିଁ । ବଲଟି ବୋଲର କିମ୍ବା ୱିକେଟକିପରଙ୍କ ହାତରେ ରହିବା ନିହାତି ଜରୁରୀ ହେବ ନାହିଁ । ଏହି ନିୟମ ବିଶେଷ କରି ମ୍ୟାଚର ଶେଷ ବଲ୍ ସମୟରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ ।

ରନ୍ ଆଉଟ୍ ଏବଂ ଷ୍ଟମ୍ପିଂରେ ଫିଲ୍ଡରଙ୍କ ପୂରା କଣ୍ଟ୍ରୋଲ ଜରୁରି

ଯଦି ଜଣେ ଫିଲ୍ଡର ବଲକୁ ଧରି ଷ୍ଟମ୍ପ ପକାନ୍ତି, ତେବେ ତାଙ୍କର ବଲ୍ ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ରହିବା ନିହାତି ଜରୁରି । କେବଳ ହାତରେ ବଲକୁ ଛୁଇଁଦେବା ଏବଂ ସେହି ସମୟରେ ଷ୍ଟମ୍ପ ଉପୁଡ଼ିଯିବା ଯଥେଷ୍ଟ ହେବ ନାହିଁ ।

କେବେଠାରୁ ଲାଗୁ ହେବ ଏହି ନୂଆ ନିୟମ ?

ଏହି ସମସ୍ତ ପରିବର୍ତ୍ତନ ୧ ଅକ୍ଟୋବର ୨୦୨୬ କିମ୍ବା ତା'ପରେ ଆରମ୍ଭ ହେଉଥିବା ଅନ୍ତର୍ଜାତୀୟ ସିରିଜଗୁଡ଼ିକରେ ଲାଗୁ ହେବ । ଯେଉଁ ସିରିଜ୍ଗୁଡ଼ିକ ୧ ଅକ୍ଟୋବର ପୂର୍ବରୁ ଆରମ୍ଭ ହୋଇସାରିଛି, ସେଗୁଡ଼ିକ ପୁରୁଣା ପ୍ଲେଇଂ କଣ୍ଡିସନ୍ସ ଅଧୀନରେ ହିଁ ଚାଲୁରହିବ ।