ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଭାରତର ପରାଜୟ ପରେ ଯୁବରାଜ ସିଂହ ବଡ଼ ମନ୍ତବ୍ୟ ଦେଇଛନ୍ତି । ଯୁବରାଜଙ୍କ କହିବା ଅନୁଯାୟୀ, ଦଳରେ ଯଶସ୍ୱୀ ଜୟସ୍ବାଲଙ୍କ ଭଳି ପ୍ରତିଭାବାନ ଯୁବ ଓପନରଙ୍କୁ ନିୟମିତ ସୁଯୋଗ ନମିଳିବା ଚିନ୍ତାଜନକ ବିଷୟ। ଜିଓଷ୍ଟାର୍ (JioStar)କୁ ଦେଇଥିବା ଏକ ସାକ୍ଷାତକାରରେ ଯୁବରାଜ କହିଛନ୍ତି, ‘ମୋର ଚିନ୍ତା ବିରାଟ କୋହଲି କିମ୍ବା ରୋହିତ ଶର୍ମାଙ୍କୁ ନେଇ ନୁହେଁ, ବରଂ ଯଶସ୍ୱୀ ଜୟସ୍ବାଲଙ୍କୁ ନେଇ, ଯିଏକି ନିଜର ଶେଷ ୪ଟି ମ୍ୟାଚ୍ ମଧ୍ୟରୁ ୨ଟି ଶତକ ହାସଲ କରିବା ସତ୍ତ୍ୱେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଉନାହାନ୍ତି।’

ବିଶ୍ୱକପ୍‌ ପାଇଁ ପ୍ରସ୍ତୁତି 
ଯୁବରାଜ ସିଂହ ଚେତାବନୀ ଦେଇଛନ୍ତି ଯେ, ଯଦି ଯଶସ୍ୱୀ ଜୟସ୍ବାଲ ବିଶ୍ୱକପ୍ ଯୋଜନାର ଅଂଶ , ତେବେ ତାଙ୍କୁ ମେଗା ଟୁର୍ଣ୍ଣାମେଣ୍ଟ ପୂର୍ବରୁ ପର୍ଯ୍ୟାପ୍ତ ମ୍ୟାଚ୍ ଖେଳିବାର ଅଭିଜ୍ଞତା ମିଳିବା ଦରକାର। ଯଦି ଜଣେ ଖେଳାଳିଙ୍କୁ ମ୍ୟାଚ୍ ପ୍ରାକ୍ଟିସ୍ ନମିଳେ ଏବଂ ବିଶ୍ୱକପ୍ ଭଳି ବଡ଼ ମଞ୍ଚରେ ହଠାତ୍ ଖେଳିବାକୁ କୁହାଯାଏ, ତେବେ ସେ ପ୍ରବଳ ଚାପର ପଡ଼ିପାରନ୍ତି।

ଯୁବରାଜ ଅତୀତର ଏକ ଘଟଣା ମନେ ପକାଇ କହିଛନ୍ତି ଯେ, ୨୦୧୯ ବିଶ୍ୱକପ୍ ସମୟରେ ହଠାତ୍ ଜଣେ ଖେଳାଳି ଆହତ ହେବା ଯୋଗୁଁ ଦୁଇଜଣ ଅନଭିଜ୍ଞ ଯୁବ ଖେଳାଳିଙ୍କୁ ଦଳରେ ସାମିଲ କରିବାକୁ ପଡ଼ିଥିଲା। ଭାରତ ସେହି ସମାନ ଭୁଲର ପୁନରାବୃତ୍ତି କରିବା ଉଚିତ ନୁହେଁ। ଅପ୍ରତ୍ୟାଶିତ ଆହତ ସମସ୍ୟାର ମୁକାବିଲା ପାଇଁ ବ୍ୟାକଅପ୍ (Backup) ଖେଳାଳିଙ୍କୁ ସେତିକି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ଏକ୍ସପୋଜର ମିଳିବା ଆବଶ୍ୟକ।

ବାମହାତୀ ଓପନର ଯଶସ୍ୱୀ ଜୟସ୍ବାଲ ଯେତେବେଳେ ବି ସୁଯୋଗ ପାଇଛନ୍ତି, ନିଜର ଦମଦାର ବ୍ୟାଟିଂ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। କିନ୍ତୁ ଦଳରେ ଖେଳାଳିମାନଙ୍କ ଭିତରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଯୋଗୁଁ ସେ ଏପର୍ଯ୍ୟନ୍ତ ଦିନିକିଆ ଦଳରେ ନିଜର ସ୍ଥାନ ପକ୍କା କରିପାରି ନାହାନ୍ତି। ୨୦୨୭ ବିଶ୍ୱକପ୍ ପାଇଁ ଭାରତ ଏବେଠାରୁ ବିଭିନ୍ନ ବିକଳ୍ପ ଖୋଜୁଥିବା ବେଳେ, ଯୁବରାଜଙ୍କ ମତରେ ଯଶସ୍ୱୀ ଜୟସ୍ବାଲଙ୍କୁ ଅଧିକ ମ୍ୟାଚ୍ ଖେଳାଇବା ଦ୍ୱାରା ଭାରତର ବେଞ୍ଚ୍ ଷ୍ଟ୍ରେନ୍ଥ (Bench Strength) ଆହୁରି ମଜଭୁତ ହେବ ଏବଂ ଦେଶକୁ ଭବିଷ୍ୟତ ପାଇଁ ଏକ ଶକ୍ତିଶାଳୀ ବିକଳ୍ପ ମିଳିପାରିବ।